ବିପ୍ଲବୀ ପରିକ୍ରମା ଡିଜିଟାଲ :- ବଲିଉଡ ଜଗତରେ କେତେବେଳେ ହତ୍ୟା ଧମକ ତ କେତେବେଳେ ଗାଡି ଉଡାଇଦେବାର ଧମକ ଦେଉଛନ୍ତି । ବଲିଉଡ ସୁପରଷ୍ଟାର ସଲମାନଙ୍କୁ ୨୦୧୮ ରୁ ଧମକ ପରେ ଧମକ ମିଳୁଥିବା ବେଳେ ସୋମବାର ପୁଣି ଏକ ହତ୍ୟା ଧମକ ତ ମିଳିଛି, କିନ୍ତୁ ଏହି ଧମକ ଯେତିକି ଚର୍ଚ୍ଚାରେ ନାହିଁ ସେତିକି ଚର୍ଚ୍ଚାରେ ରହିଛି ତାରିଖକୁ ନେଇ । କାରଣ ପୂର୍ବ ବର୍ଷ ବି ଏଇ ସମାନ ତାରିଖରେ ସଲମାନଙ୍କୁ ମିଳିଥିଲା ହତ୍ୟା ଧମକ । ୨୦୨୪ ଏପ୍ରିଲ ୧୪ ତାରିଖରେ ସଲମାନଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ତାଙ୍କ ଘରକୁ ଗୁଳିମାଡ କରାଯାଇଥିଲା ଏବଂ ହତ୍ୟା ଧମକ ମିଳିଥିଲା । ଗ୍ୟାଲେକ୍ସି ଗୁଳିମାଡକୁ ଆଜି ବର୍ଷେ ପୂରିଥିବା ବେଳେ ପୁଣି ସେହି ସମାନ ଦିନରେ ସଲମାନଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି । ୨୦୨୪ ଏପ୍ରିଲ ୧୪ ପରେ ୨୦୨୫ ଏପ୍ରିଲ ୧୪ ତାରିଖ ଦିନ ପୁଣି ଏକ ହତ୍ୟା ଧମକ ମିଳିବା ପରେ ଭୟଭୀତ ହୋଇଛନ୍ତି ସମସ୍ତେ ଆଉ ଧମକ ପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ତେବେ ଆଜି ସଲମାନ୍ ଖାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମୁମ୍ବାଇର ବର୍ଲି ପୁଲିସ୍ ବିଭାଗର ହ୍ବାଟ୍ସଆପ୍ ନମ୍ବରକୁ ଆସିଛି । ଏଭଳି ଧମକପୂର୍ଣ୍ଣ ମେସେଜରେ ସଲମାନଙ୍କ ଘରେ ପଶି ମାରିବାକୁ କୁହାଯାଇଛି । ଖାଲି ଏତିକି ନୁହଁ ସଲମାନ୍ ଖାନଙ୍କ ଗାଡ଼ିକୁ ବୋମାରେ ଉଡ଼ାଇବା ପାଇଁ ମଧ୍ୟ ମିଳିଛି ଧମକ । ଖାଲି ମେସେଜ୍ ଜରିଆରେ ନୁହଁ ଫୋନ୍ କରି ମଧ୍ୟ ଦିଆଯାଇଛି ଧମକ ।