( ବିପ୍ଲବୀ ପରିକ୍ରମା ବ୍ୟୁରୋ ):- ଜନାଦେଶ କାହା ସପକ୍ଷରେ ଯାଇଛି। କ୍ଷମତାରେ ଥିବା ଦଳ ପୁଣି ଥରେ କ୍ଷମତା ଆହରଣ କରିବ ନା କ୍ଷମତା ଚୌକିରେ ନୂଆ ଦଳ ବସିବ। ୫ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳକୁ ଅପେକ୍ଷା ଥିବା ବେଳେ ଖ୍ରୀଷ୍ଟିଆନ୍ ବହୁଳ ମିଜୋରାମରେ ରବିବାର ଉତ୍ସବର ଦିନ ହେତୁ ଏଠାରେ ୪ ତାରିଖରେ ଗଣତି ଓ ଫଳାଫଳ ଆସିବ। ତେବେ କଂଗ୍ରେସ ଶାସିତ ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷମତା ବଦଳିବ ନା ଜନତା ପୁଣି ଥରେ କଂଗ୍ରେସକୁ କ୍ଷମତାସୀନ କରିବେ। ଏକଜିଟ ପୋଲର ପୂର୍ବାନୁମାନ ସତ ହେବ ନା ସବୁ କିଛି ଓଲଟପାଲଟ ହୋଇଯିବ। ଏମିତି ଆକଳନ ଭିତରେ ରାଜସ୍ଥାନ ଓ ଛତିଶଗଡ଼ରେ ପୁଣି କ୍ଷମତା ଦଖଲ କରିବ ବୋଲି ଦମ୍ଭୋକ୍ତି ଦେଖାଇଛି କଂଗ୍ରେସ। ମିଜୋରାମରେ ମେଣ୍ଟ କରି କ୍ଷମତା ଚୌକି ହାସଲ କରିବ ବୋଲି କହୁଛି କଂଗ୍ରେସ। ସରକାର କି ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ କୌଣସି ଅନ୍ତଃସ୍ରୋତ ନାହିଁ। ସରକାରଙ୍କ ଯୋଜନା ଓ ଗ୍ୟାରେଣ୍ଟିକୁ ଜନତା ପସନ୍ଦ କରିଛନ୍ତି। ବିଜେପି ନେତାଙ୍କ ନକରାତ୍ମକ କ୍ୟାମ୍ପେନ୍ ଭାରି ପଡ଼ିବ। ଭୋଟର ୫ ବର୍ଷର ମାହୋଲକୁ ନେଇ ସ୍ଥିର କରନ୍ତି। ବିଜେପି ଅନୁସାରେ ରାଜସ୍ଥାନରେ ବିଜେପି ଏଥର ସରକାର ଗଠନ କରୁଥିବାବେଳେ ୧୩୫ରୁ ଅଧିକ ଆସନ ଆଣିବ ବିଜେପି। କଂଗ୍ରେସ ୫୦ ଉପରକୁ ଡେଇଁବନି। କଂଗ୍ରେସର ଲୁଟ୍ ସରକାରରୁ ମୁକ୍ତି ପାଇବେ ଜନତା। ଅରାଜକତା, ଭ୍ରଷ୍ଟାଚାର ଓ ମିଛ ପ୍ରତିଶୃତି କଂଗ୍ରେସର ଚରିତ୍ର। ସେଥିଲାଗି ଜନତା ରାଜସ୍ଥାନରେ ପଦ୍ମ ଫୁଟାଇବାର ସଂକଳ୍ପ ନେଇସାରିଛନ୍ତି। ଛତିଶଗଡ଼ରେ ଅବଶ୍ୟ କଡ଼ା ଟକ୍କର ହେବ। ତା ସତ୍ତ୍ୱେ ବିଜେପି ଏଠାରେ ସରକାର ଗଠନ କରିବ। ଯେହେତୁ ଏଥର ଭୋଟିଂ ପ୍ରତିଶତ ଅଧିକ ରହିଛି। ଏହାର ଅର୍ଥ ଯେତେବେଳେ ଜନତା ପରିବର୍ତ୍ତନ ଚାହାନ୍ତି, ସେତେବେଳେ ଭୋଟିଂ ଅଧିକ ହୁଏ। ତେବେ କଂଗ୍ରେସ ଶାସିତ ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ କ୍ଷମତାକୁ ପୁଣି ଥରେ ଫେରିବ ନା ବିଜେପି କ୍ଷମତା ଚୌକି ଛଡ଼ାଇନେବ। ଅପେକ୍ଷା ରହିବ ଡିସେମ୍ୱର ୩କୁ ଏହାର ସ୍ପଷ୍ଟ ଜବାବ ଉତ୍ତର ପାଇଁ ।