ବିପ୍ଲବୀ ପରିକ୍ରମା ଡିଜିଟାଲ :- ଏକ ରୋମାଞ୍ଚକର ମ୍ୟାଚ୍ରେ ଜିତିଲା ପଞ୍ଜାବ। ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ନେତୃତ୍ୱରେ ବୋଲରମାନଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ପଞ୍ଜାବ କିଙ୍ଗସ୍, କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୧୬ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ପଞ୍ଜାବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୫. ୩ ଓଭରରେ ୧୧୧ ରନ୍ କରିଥିଲା। ଜବାବରେ ସମଗ୍ର KKR ଦଳ ୧୫. ୧ ଓଭରରେ ୯୫ ରନରେ ଅଲଆଉଟ୍ ହୋଇଯାଇଥିଲା। ପଞ୍ଜାବ ପକ୍ଷରୁ ଚହଲ ୪ଓଭରରେ ୨୮ ରନ ଦେଇ ୪ଟି ୱିକେଟ୍ ନେଇଥିବା ବେଳେ ଦ୍ରୁତ ବୋଲର ମାର୍କୋ ଜାନସେନ୍ ୧୭ ରନ ଦେଇ ୩ଟି ୱିକେଟ୍ ନେଇ ଦଳର ଅଭୂତପୂର୍ବ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ଏହିପରି ପଞ୍ଜାବ ଆଇପିଏଲ ଇତିହାସର ସର୍ବନିମ୍ନ ସ୍କୋରକୁ ରକ୍ଷା କରିଛି। ଟାର୍ଗେଟର ପିଛା କରିବା ସମୟରେ KKR ପ୍ରଥମ ଓଭରରେ ହିଁ ୱିକେଟ ହରାଇବାରୁ କୌଣସି ସମୟରେ ଭଲ ସ୍ଥିତିରେ ଦେଖାଯାଇ ନଥିଲା। ତଥାପି ଅଧିନାୟକ ଅଜିଙ୍କ୍ୟ ରାହାଣେ ପ୍ରଭାବଶାଳୀ ଖେଳାଳି ଅଙ୍ଗକ୍ରିଶ ରଘୁବଂଶୀଙ୍କ ସହ ତୃତୀୟ ୱିକେଟ ପାଇଁ ୫୫ ରନର ଭାଗୀଦାରୀ କରିଥିଲେ। କିନ୍ତୁ ଏହି ଭାଗୀଦାରି ଭାଙ୍ଗିବା ମାତ୍ରେ କେକେଆରର ଇନିଂସ ତାସ ଘର ପରି ଭାଙ୍ଗି ପଡ଼ିଲା। ଶେଷରେ ଆଣ୍ଡ୍ରେ ରସେଲ ନିଶ୍ଚିତ ଭାବେ କିଛି ବଡ଼ ସଟ୍ ଖେଳି ଦଳକୁ ଜିତାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅନ୍ୟ ପାର୍ଶ୍ୱରୁ କ୍ରମାଗତ ୱିକେଟ୍ ପତନ ଯୋଗୁଁ ସେ ତାଙ୍କ ପ୍ରୟାସରେ ସଫଳ ହୋଇନଥିଲେ।କେକେଆର ପକ୍ଷରୁ ହର୍ଷିତ ସବୁଠାରୁ ସଫଳ ବୋଲର ଥିଲେ ଯିଏ ତିନି ଓଭରରେ ୨୫ ରନ ଦେଇ ତିନିଟି ୱିକେଟ ନେଇଥିଲେ। ତାଙ୍କ ବ୍ୟତୀତ ବରୁଣ ଚକ୍ରବର୍ତ୍ତୀ ଏବଂ ସୁନୀଲ ନାରିନ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ। ଏହା ବାଦ୍ ବୈଭବ ଆରୋରା ଏବଂ ଆନରିଚ୍ ନୋର୍ଜ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।