ଆତଙ୍କବାଦୀଙ୍କୁ ମୋଦିଙ୍କ କଡା ଚେତାବନୀ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଯେଉଁମାନେ ଆତଙ୍କୀ ଆକ୍ରମଣ ଷଡଯନ୍ତ୍ରରେ ସାମିଲ ଥିଲେ ସେମାନଙ୍କୁ କଳ୍ପନାରୁ ବାହାରେ ମିଳିବ କଠୋର ଦଣ୍ଡ । ଯେଉଁମାନେ ଭାରତର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ ଦେଖାଇଛନ୍ତି ସେମାନଙ୍କୁ ଛଡା ଯିବନି । ମିଳିବ କଠୋର ଦଣ୍ଡ । ସେମାନଙ୍କୁ ମାଟିରେ ମିଶାଇ ଦିଆଯିବାର ସମୟ ଆସିଛି ।’ ବିହାର ମଧୁବନୀରୁ, ପହଲଗାମରେ ନରସଂହାର ରଚିଥିବା ଆତଙ୍କବାଦୀଙ୍କୁ ଏଭଳି କଡା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପହଲଗାମରେ ଆତଙ୍କୀଙ୍କ ନରସଂହାର ପରେ ସାରା ଦେଶ ଆଜି ସ୍ତବ୍ଧ । ଅନନ୍ତନାଗର ମିନି ସ୍ବିଜରଲ୍ୟାଣ୍ଡ କୁହାଯାଉଥିବା ପହଲଗାମରେ ପାକିସ୍ତାନ ଆତଙ୍କୀ ଖେଳିଛନ୍ତି ରକ୍ତ ହୋଲି । ନିରୀହ ପର୍ଯ୍ୟଟକଙ୍କୁ ଖୋଜି ଖୋଜି ଗୁଳି କରିଛନ୍ତି । ଏହି ବର୍ବରକାଣ୍ଡରେ ପୂରା ଦେଶ ଆଜି ସ୍ତବ୍ଧ । ସାରା ଦେଶରୁ ଆତଙ୍କୀଙ୍କ ବିରୋଧରେ କଠୋର ଦଣ୍ଡ ପାଇଁ ସ୍ବର ଉଠୁଥିବା ବେଳେ ଆଜି ଆତଙ୍କୀଙ୍କୁ ଚରମବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ ଏପ୍ରିଲ ୨୨ ରେ ଜମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀମାନେ ନିରୀହ ଦେଶବାସୀଙ୍କୁ ଯେଉଁଭଳି ନିର୍ଦ୍ଦୟ ଭାବେ ହତ୍ୟା କଲେ । ଏଥିରେ ପୂରା ଦେଶ ବ୍ୟଥିତ । କୋଟି କୋଟି ଦେଶବାସୀ ଦୁଃଖିତ । ସମସ୍ତ ପୀଡିତ ପରିବାର ସହ ଦେଶବାସୀ ଛିଡା ହୋଇଛନ୍ତି । ଯେଉଁମାନଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି ସେମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ । ସରକାର ସେମାନଙ୍କ ପାଇଁ ସମସ୍ତ ପ୍ରୟାସ କରୁଛନ୍ତି । ଏହି ଆକ୍ରମଣରେ କିଏ ନିଜ ପୁଅକୁ ହରାଇଛି … କିଏ ନିଜ ଭାଇକୁ ହରାଇ ଆଉ ପୁଣି କିଏ ନିଜ ଜୀବନସାଥୀକୁ ହରାଇଛି ।’ ସେମାନଙ୍କ ଭିତରେ କିଏ ବଙ୍ଗାଳୀ କହୁଥିଲା, କିଏ କନ୍ନଡ କହୁଥିଲା, କିଏ ମରାଠୀ ଥିଲା, କିଏ ଓଡ଼ିଶାରୁ ଥିଲା ତ କିଏ ବିହାରର ଲାଲ୍ ଥିଲା । ଆଜି ସେମାନଙ୍କ ମୃତ୍ୟୁ କାର୍ଗିଲଠୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ ଆମ ସମସ୍ତଙ୍କ ପାଇଁ ଦୁଃଖ । ଆମର ଆକ୍ରୋଶ ଏକା ଭଳି । ଦେଶର ଶତ୍ରୁମାନେ ଭାରତର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ କରିଛନ୍ତି । ସେମାନଙ୍କୁ ମୁଁ କହିବାକୁ ଚାହୁଁଛି, ଯେଉଁ ଆତଙ୍କୀ ଓ ସେମାନଙ୍କ ଷଡଯନ୍ତ୍ରରେ ସାମିଲ ଥିବା ସମସ୍ତଙ୍କୁ ସେମାନଙ୍କ କଳ୍ପନା ବାହାରେ ମିଳିବ କଠୋର ଦଣ୍ଡ । ଏବେ ଆତଙ୍କୀଙ୍କୁ ମାଟିରେ ମିଶାଇ ଦେବାର ସମୟ ଆସିଛି । ୧୪୦ କୋଟି ଭାରତୀୟଙ୍କ ଇଚ୍ଛା ଶକ୍ତି ଆତଙ୍କୀଙ୍କ ଅଣ୍ଟା ଭାଙ୍ଗି କି ରହିବ ।

ସୂଚନା ପ୍ରକାରେ, ଗତ ଏପ୍ରିଲ ୨୨ ରେ ଅନନ୍ତନାଗ ଜିଲ୍ଲାର ପହଲଗାମରେ ଆତଙ୍କୀମାନେ ନରସଂହାର କରିଥିଲେ । ଆଖି ବୁଜା ଗୁଳି ଚଳାଇଥିଲେ । ଯେଉଁଥିରେ ଓଡ଼ିଶାର ୨ ଜଣଙ୍କ ସମେତ ଭାରତର ମୋଟ ୨୮ ଜଣ ପ୍ରାଣ ହରାଇଛନ୍ତି । କିଏ ହନିମୁନରେ ଯାଇଥିଲା ତ କିଏ ପରିବାର ସହ ଛୁଟି କାଟିବାକୁ ଯାଇଥିଲା । ପତ୍ନୀଙ୍କ ସାମ୍ନାରେ ଧର୍ମ ପଚାରି ନିର୍ଦ୍ଦୟ ଭାବେ ଗୁଳି କରିମାରିଥିଲେ ଆତଙ୍କୀ । ଏହି ଆକ୍ରମଣରେ ପୂରା ଦେଶସ୍ତବ୍ଧ ପାଲଟି ଯାଇଛି ।

LEAVE A REPLY

Please enter your comment!
Please enter your name here