ବିକ୍ଳଵୀ ପରିକ୍ରମା ବ୍ୟୁରୋ :- ୨୦୧୮ରେ ହ୍ରାସ ପାଇ ୨୮ ଏବଂ ୨୦୨୨ରେ ରାଜ୍ୟରେ ମହାବଳଙ୍କ ସଂଖ୍ୟା ଥିଲା ୨୦ , ଆଉ ଦେଶରେ ବାଘ ସଂଖ୍ୟା ବୃଦ୍ଧି ପାଇଥିବାବେଳ ଓଡ଼ିଶାରେ ବାଘଙ୍କ ସଂଖ୍ୟା ଲଗାତର କମିବାରେ ଲାଗିଥିଲା,ଏକଥା ଆମେ କହୁନୁ ଅନ୍ତର୍ଜାତୀୟ ବାଘ ଦିବସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଜାତୀୟ ବ୍ୟାଘ୍ର ଗଣନା ରିପୋର୍ଟ କହୁଛି ରାଜ୍ୟରେ ବାଘଙ୍କ ଆଶ୍ଚର୍ଯ୍ୟ ଜନକ ଭାବରେ ହ୍ରାସ ପାଇଛି । ୪ ବର୍ଷ ଭିତରେ ଓଡ଼ିଶାରେ କେବଳ ଶିମିଳିପାଳ ଅଭୟାରଣ୍ୟରେ ବାଘଙ୍କ ସଂଖ୍ୟା ବଢ଼ିଛି
ଶିମିଳିପାଳରେ ୨୦୧୮ରେ ୮ଟି ମହାବଳ ବାଘ ଥିବାବେଳେ ବର୍ତ୍ତମାନ ଏହି ସଂଖ୍ୟା ଦ୍ଵିଗୁଣିତ ହୋଇ ୧୬ରେ ପହଞ୍ଚିଛି। କିନ୍ତୁ ଶିମିଳିପାଳକୁ ଛାଡ଼ି ଦେଲେ ଓଡ଼ିଶାର ଅନ୍ୟ ସବୁ ଅଭୟାରଣ୍ୟରେ ବାଘଙ୍କ ସଂଖ୍ୟା ଢେର୍ କମିଛି। ସାତକୋଶିଆ ଅଭୟାରଣ୍ୟରେ ମହାବଳ ବଂଶ ସମ୍ପୂର୍ଣ୍ଣ ଭାବେ ଲୋପ ପାଇଛି। ଏହା ପରେ ରାଜ୍ୟରେ ବାଘଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଶିମିଳିପାଳରେ ବାଘଙ୍କ ସଂଖ୍ୟା ବଢ଼ିଥିଲେ ମଧ୍ୟ ରାଜ୍ୟ ପାଇଁ ଏହା ଆଖିଦୃଶିୟା ନୁହେଁ ବୋଲି ଅନେକ ବିଶେଷଜ୍ଞ ମତ ଦେଇଥିଲେ । କାରଣ କେନ୍ଦ୍ର କହୁଛି ଓଡ଼ିଶାରେ ମହାବଳ ବାଘଙ୍କ ସଂଖ୍ୟା ଏବେ ଦିନକୁ ଦିନ କମିବାରେ ଲାଗିଛି ଆଉ ଭାରତରେ ବାଘଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, କିନ୍ତୁ ଏସବୁ ଭିତରେ ବିଗତ କିଛି ଦିନ ହେଲା ରାଜ୍ୟରେ ବାଘର ଉପସ୍ତିତିକୁ ନେଇ ଏକ ରୋଚକ ମୋଡ଼ ସୃଷ୍ଟି ହୋଇଛି, ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ସ୍ତିତ କୋଡେପାଲି ଗାଁରେ ୫ ଦିନ ଧରି ଆତଙ୍କ ଖେଳାଇଥିଲା କଲରାପତରିଆ ବାଘ, ଶେଷରେ ଆପ୍ରାଣ ଉଦ୍ୟମ ପରେ ବାଘ କୁ ଧରିଥିଲା ବନବିଭାଗ, ଏହାପରେ ଗଜପତି ଜିଲ୍ଲା ଓଡିଶା – ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଜଙ୍ଗଲରେ ବୁଲୁଥିବା ଏବଂ ଗାଈଗୋରୁ ମାରି ଖାଉଥିବା ମହାବଳ ବାଘ, ମହାରାଷ୍ଟ୍ରର ଚନ୍ଦ୍ରପୁରୀ ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସିଥିବା ଜଣାପଡିଥିଲା । ୭୫୦ କିଲୋମିଟର ଅତିକ୍ରମ କରି ଭାରତର ପଶ୍ଚିମରେ ଥିବା ବିଦର୍ଭ ଅଞ୍ଚଳରୁ ବାଘଟି ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାର ମହେନ୍ଦ୍ରଗିରି ରେଞ୍ଜକୁ ଆସିବା ନିହାତି ଆଶ୍ଚର୍ଯ୍ୟଜନକ କଥା । ଏହା ମଧ୍ୟ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଚକିତ କରିଥିଲା । ୨୦୨୧ରେ ଏହି ମହାବଳ ବାଘର ଫଟୋ ବ୍ରହ୍ମପୁରୀ ଜଙ୍ଗଲରେ କ୍ୟାମେରା ଟ୍ରାପରେ କଏଦ ହୋଇଥିଲା । ଏବେ ଏହା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ଦେଇ ଓଡ଼ିଶାରେ ପହଞ୍ଚିଛି । ସୁରକ୍ଷିତ ବାସସ୍ଥାନ ଓ ସାଥି ସନ୍ଧାନରେ ଏହା ଆସି ଥାଇପାରେ ବୋଲି କୁହାଯାଇଥିଲା । ଏତିକିରେ ଥମିନି ବାଘ ଆତଙ୍କ ଏହାପରେ ମଧ୍ୟ ବାରମ୍ବାର କ୍ୟାମେରା ଟ୍ରାପରେ କଏଦ ହୋଇଛି ବାଘ, ଏହାପରେ ଓଡ଼ିଶା ଜଙ୍ଗଲରେ ଦେଖାଗଲା କଳା ବାଘ। କଳା ରଙ୍ଗର କଲରା ପତରିଆ ବାଘ ଟ୍ରାପ କ୍ୟାମେରାରେ ଧରାପଡିଥିଲା, ଯାହା ରାଜ୍ୟ ପାଇଁ ବେଶ ଉତ୍ସାହଜନକ ଘଟଣା। ରାଜ୍ୟରେ ଚାଲିଥିବା ବାଘଗଣନା ବେଳେ ରାଜ୍ୟରେ କଳା ରଙ୍ଗର କଲରା ପତରିଆ ବାଘ ଦେଖିବାକୁ ମିଳିଥିଲା। କେବଳ ଗଜପତି ନୁହେଁ, ଏବେ କେନ୍ଦୁଝର ଓ ସମ୍ବଲପୁର ଜଙ୍ଗଲ ବି ମହାବଳଙ୍କ ନୂଆ ଠିକଣା ପାଲଟିଛି। ଶିମିଳିପାଳ ଜଙ୍ଗଲରୁ ଏକ ମହାବଳ ବାଘ ଆସି କେନ୍ଦୁଝର ଘଟଗାଁ ଅଞ୍ଚଳରେ ରହୁଥିବା ଦେଖିବାକୁ ମିଳୁଥିବା ବେଳେ ଛତିଶଗଡ଼ରୁ ଦେବ୍ରିଗଡ଼ ଅଭୟାରଣ୍ୟକୁ ନିଜ ନୂଆ ବାସସ୍ଥାନ କରିଛି ଆଉ ଏକ ମହାବଳ। ନିକଟ ଅତୀତରେ କ୍ୟାମେରା ଟ୍ରାପରେ ଏ ବାଘଗୁଡ଼ିକର ଉପସ୍ଥିତି ସ୍ପଷ୍ଟ ହୋଇଛି। ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ରାଜ୍ୟ ସରକାର ନିଜସ୍ୱ ବାଘ ଗଣନା କରୁଥିବାରୁ ଏବେ ରାଜ୍ୟର ବିଭିନ୍ନ ଜଙ୍ଗଲରେ କ୍ୟାମେରା ଟ୍ରାପ ଲଗାଯାଇଛି । ଫଳରେ କିଛି ସ୍ଥାନରେ ମହାବଳ ବାଘର ଉପସ୍ଥିତି ସ୍ପଷ୍ଟ ହୋଇଛି ।କେନ୍ଦ୍ର ସରକାରଙ୍କ ସଦ୍ୟତମ ବାଘ ଗଣନା ରିପୋର୍ଟ ଅନୁସାରେ,୨୦୧୮ ତୁଳନାରେ ୨୦୨୨ରେ ଓଡ଼ିଶାର ବାଘ ସଂଖ୍ୟା ୨୮ରୁ ୨୦କୁ କମିଛି।ଏହା ପରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ନିଜସ୍ୱ ବାଘ ଗଣନା ।
ଏସବୁ ଭିତରେ ରାଜ୍ୟର ନୂଆ ନୂଆ ଜଙ୍ଗଲରେ ବାଘଙ୍କ ଉପସ୍ଥିତି ଜାନୁଆରୀରେ ପ୍ରକାଶିତ ହେବାକୁ ଥିବା ରାଜ୍ୟ ବାଘ ଗଣନା ରିପୋର୍ଟରେ ରୋଚକ ତଥ୍ୟ ଆସିବା ଅନୁମାନ କରାଯାଉଛି , ଆଉ ବିଶେଷଜ୍ଞଙ୍କ ମତରେ ରାଜ୍ୟରେ ବିଭିନ୍ନ ଜିଲ୍ଲାର ଜଙ୍ଗଲରେ ମହାବଳର ଉପସ୍ଥିତି ଅତ୍ୟନ୍ତ ଶୁଭଙ୍କର ଓ ପରିବେଶ ପ୍ରେମୀମାନଙ୍କୁ ଅଧିକ ଉତ୍ସାହିତ କରିଛି । ତେବେ ରାଜ୍ୟ ସରକାରଙ୍କ ବାଘ ଗଣନା ରିପୋର୍ଟ ଆସିବାପରେ ହିଁ ସ୍ବଷ୍ଟ ହୋଇପାରିବ ସତରେ କେତେ ସଂଖ୍ୟକ ବାଘ ଅଛନ୍ତି।