ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ):- : ଗଜପତି ଜିଲ୍ଲା ଗଙ୍ଗାବାଡ଼ ସମେତ ଜିଲ୍ଲାର ଆଦିବାସୀ ବହୁଳ ପଞ୍ଚାୟତମାନଙ୍କରେ ଶିକ୍ଷକମାନେ ନିୟମିତ ସ୍କୁଲକୁ ନଯିବା, ଲୋକଙ୍କ ପାଇଁ ସ୍ବର ଉତ୍ତଳନ କରୁଥିବା ଆଦିବାସୀ ସରପଞ୍ଚ ହରିବନ୍ଧୁ କାର୍ଜୀଙ୍କ ନାଁରେ ମିଥ୍ୟା ମୋକଦ୍ଦମା ଦାୟର, ଶିକ୍ଷକଙ୍କ ଅସଦାଚରଣର ଶିକାର ଆଦିବାସୀ ନାବାଳିକାର ଏତଲା ଗ୍ରହଣ କରିବା, ଗୁଣ୍ଡାମାନଙ୍କ ଆକ୍ରମଣର ଶିକାର ଆଦିବାସୀଙ୍କ ଏତଲା ଗ୍ରହଣ ନକରିବା ତଥା ସର୍ବପରି ଜିଲ୍ଲାର ଗରିବ ଆଦିବାସୀ ଓ ଦଳିତମାନଙ୍କୁ ଜମି ଓ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ସମ୍ପର୍କରେ ଆଜି ଅଖିଳ ଭାରତ କିଷାନ ମଜଦୁର ସଭା ଗଜପତି ଜିଲ୍ଲା କାର୍ଯ୍ୟକାରୀ କମିଟି ଏବଂ ରାୟଗଡ ବ୍ଲକର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ସମେତ ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟମାନେ ଏକତ୍ରିତ ହୋଇ ଗଜପତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ପ୍ରଥମେ ଶତାଧିକ ମହିଳା ଓ ପୁରୁଷ ସମସ୍ତେ ଏକତ୍ରିତ ହୋଇ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ।
ସୂଚନା ଯୋଗ୍ୟଜେ ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଆଦିବାସୀ ବହୁଳ ସୀମାନ୍ତ ପଞ୍ଚାୟତ ଗଙ୍ଗାବାଡର ବିଭିନ୍ନ ଗାଁର ସ୍କୁଲରେ ଶିକ୍ଷକ ନିଯୁକ୍ତି ହୋଇଥିଲେ ମଧ୍ୟ ସେମାନେ ସ୍କୁଲକୁ ପ୍ରାୟତଃ ଆସୁନାହାନ୍ତି । ଯଦିବା କେଉଁଠି ଆସୁଛନ୍ତି, ତାହେଲେ ତିନି ଚାରି ଦିନରେ ପାଳି କରି ଆସୁଛନ୍ତି । ସେମାନେ ସ୍ଥାନୀୟ ବିଇଓ ଏପରିକି ଡ଼ିଇଓଙ୍କୁ ହାତ କରି ବର୍ଷ ବର୍ଷ ଧରି ଏଭଳି ଅନୁପସ୍ଥିତ ରହୁଥିବାରୁ ଆମ ପଞ୍ଚାୟତର ଶିକ୍ଷାଦାନ ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସେସବୁ ସ୍କୁଲରେ ପଢୁଥିବା ଶହ ଶହ ଆଦିବାସୀ ପିଲା ଆବଶ୍ୟକୀୟ ଶିକ୍ଷାରୁ ବଞ୍ଚିତ ହୋଇ ଶେଷରେ ପରୀକ୍ଷାରେ ବହୁ ସଂଖ୍ୟାରେ ଫେଲ୍ ହେଉଛନ୍ତି । ସେ ଅଞ୍ଚଳରେ ଶିକ୍ଷାର ଏଭଳି ସମସ୍ୟା ନେଇ ସେଠାକାର ସରପଞ୍ଚ ଓ ପଞ୍ଚାୟତବାସୀ ଅତିତରେ ବାରମ୍ବାର ସ୍ଥାନୀୟ ବିଇଓ, ବିଡ଼ିଓ, ଡିଲଓଙ୍କୁ ଏପରିକି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ବେଳେ ବି ଅନେକ ଥର ଜଣାଇଛନ୍ତି । କିନ୍ତୁ ସବୁ ପରେ ବି କୌଣସି ପଦକ୍ଷେପ ନିଆ ନଯିବାରୁ ପଞ୍ଚାୟତବାସୀ ଏକାଠି ହୋଇ ପ୍ରତିବାଦ ସ୍ୱରୂପ ସ୍କୁଲଗୁଡ଼ିକରେ ତାଲା ପକାଇ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀମାନଙ୍କ ସହାୟତାରେ ସ୍କୁଲ ବାରଣ୍ଡାରେ ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରିଥିଲେ । ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମଧ୍ୟ ଫୋନ ଯୋଗେ ଜଣାଇ ଗତ ତା.୭.୪.୨୦୨୫ ରିଖ ଦିନ ଗଙ୍ଗାବାଡ଼ ଗ୍ରାମ ପଞ୍ଚାୟତର ମାଣିକପାଟଣା, ଚମ୍ପାପୁର ଓ ଶଗଡ଼ିଆ ସ୍କୁଲରେ ଚାବି ପକାଇବା ସହିତ ସ୍କୁଲ ବାରଣ୍ଡାରେ ପିଲାଙ୍କୁ ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରିଥିଲେ ।
ତେବେ ସ୍କୁଲରେ ଚାବି ପକାଇବା ଘଟଣା ମିଡିଆରେ ପ୍ରକାଶିତ ହେବା ପରେ ଗତ ତା. ୮.୪.୨୦୨୫ ରିଖରେ ଲଗାତାର ଭାବେ ଅନୁପସ୍ଥିତ ରହୁଥୁବା ଚମ୍ପାପୁର ସ୍କୁଲର ଜନୈକ ଶିକ୍ଷକ ପି. ରମେଶ ପଡ଼ୋଶୀ ଆନ୍ଧ୍ରର କିଛି ଗୁଣ୍ଡାଙ୍କୁ ମଦ ପିଆଇ ସାଥିରେ ଧରି ଚମ୍ପାପୁର ସ୍କୁଲକୁ ଆସିଥିଲେ । ସେତେବେଳେ ସ୍କୁଲ ବାରଣ୍ଡାରେ ଶାନ୍ତିପୂର୍ଣ ଭାବେ ପିଲାଙ୍କ ପାଠ ପଢା ଚାଲିଥିବା ବେଳେ ସେମାନେ ଜବରଦସ୍ତ ପଶି ପ୍ରଥମେ ସ୍କୁଲର ଚାବି ଭାଙ୍ଗିବା ସହ ଭିତରେ ପଶି ସେଠାରେ ଥିବା ଟେବୁଲ, ଚେୟାର ଓ ଅନ୍ୟାନ୍ୟ ଆସବାବପତ୍ର ଫିଙ୍ଗା ଫୋପଡ଼ା କରିଥିଲେ । କ୍ଲାସରୁମ୍ର କବାଟ ଝରକା ଏପରିକି ଗଡ଼ରେଜ୍ ମଧ୍ୟ ଭାଙ୍ଗିଥିଲେ । ସେମାନଙ୍କ ଉପରୋକ୍ତ ଅସାମାଜିକ ଆଚରଣ ବିଷୟରେ ଖବର ପାଇ ଗାଁର ସ୍କୁଲ କମିଟିର ସଦସ୍ୟମାନେ ଘଟଣା ସ୍ଥଳରେ ପହଞ୍ଚି ସେପରି କାହିଁକି କରୁଛ ବୋଲି ପଚାରିବାରୁ ଶିକ୍ଷକ ପି. ରମେଶ ଓ ତାଙ୍କ ସହଯୋଗୀ ଗୁଣ୍ଡାମାନେ ସ୍କୁଲ ଭିତରୁ ଶାବଳ ବାହାର କରି ଲକ୍ଷ୍ମଣ ଶବରଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ । ଏଭଳି ଅତର୍କିତ ଆକ୍ରମଣ ପରେ ଗାଁ ଲୋକେ ସେମାନଙ୍କୁ କାବୁ କରି ଗାରାବନ୍ଧ ପୋଲିସକୁ ଖବର ଦେଇଥିଲେ । ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳକୁ ଆସି ସମ୍ପୃକ୍ତ ଶିକ୍ଷକ ଓ ତା’ର ସହଯୋଗୀ ଗୁଣ୍ଡାମାନଙ୍କୁ ଧରି ନେବା ପରେ ଗୁରୁତର ଭାବେ ଆହତ ଲକ୍ଷ୍ମଣ ଶବରଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ନିଆଯାଇଥୁଲା । କିନ୍ତୁ ଦୁଃଖର କଥା, ପୋଲିସ ସେଦିନ ଆଦିବାସୀମାନଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ସମ୍ପୃକ୍ତ ଶିକ୍ଷକ ଓ ତାଙ୍କ ସହଯୋଗୀ ଗୁଣ୍ଡାମାନଙ୍କୁ ଗିରଫ କରିବା ପରିବର୍ତେ ସେମାନଙ୍କୁ ଛାଡ଼ିଦେଇଥିଲା ।
ଏପରିକି ଘଟଣା ସମ୍ପର୍କରେ ସେଦିନ ସନ୍ଧ୍ୟା ୬ଟା ବେଳେ ଆହତ ଲକ୍ଷ୍ମଣ ଶବର, ସ୍ଥାନୀୟ ସରପଞ୍ଚ ହରିବନ୍ଧୁ କାର୍ଜୀ ଏବଂ ସ୍କୁଲ ପରିଚାଳନା କମିଟି ପକ୍ଷରୁ ବାରିକ ଶବର ତିନୋଟି ପୃଥକ ପୃଥକ ଏତଲା ଗାରାବନ୍ଧ ଥାନାରେ ଦେଇଥିଲେ ମଧ୍ୟ ତାକୁ ଏଯାଏଁ ଦାୟର କରାଗଲା ନାହିଁ । ଅପରପକ୍ଷେ ମୁଖ୍ୟମନ୍ତ୍ରୀ ଥାନାରେ ଏତଲା ନରଖିଲେ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରିଥିବା ବେଳେ ଗଜପତି ଜିଲ୍ଲାରେ ଆଦିବାସୀଙ୍କ ଉପରେ ଅସାମାଜିକ ଗୁଣ୍ଡାମାନେ ଆକ୍ରମଣ କରିବା ଘଟଣାରେ ପୋଲିସ ଏତଲାକୁ ପଂଜୀକରଣ ନକରିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି । ତେଣୁ ସାତ ଦଫା ଦାବୀ ଯଥା ଚମ୍ପାପୁର ଘଟଣାର ନିରପେକ୍ଷ ତଦନ୍ତ କରି ଆଦିବାସୀଙ୍କୁ ଆକ୍ରମଣ କରିଥିବା ଅପରାଧୀମାନଙ୍କ ବିରୁଦ୍ଧରେ ଏତଲା ଦାଏର କରାଯିବା, ଗଙ୍ଗାବାଡ଼ ସରପଞ୍ଚ ହରିବନ୍ଧୁ କାର୍ଯ୍ୟ ଓ ଅନ୍ୟ ଆଦିବାସୀ ଲୋକଙ୍କ ବିରୁଦ୍ଧରେ ଦାୟର ମିଥ୍ୟା ମୋକଦ୍ଦମାକୁ ପ୍ରତ୍ୟାହାର କରାଯିବା, ସ୍କୁଲକୁ ନଆସି ଦରମା ନେଉଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏବଂ ସେମାନଙ୍କୁ ଏଭଳି କାମରେ ସୁରକ୍ଷା ଦେଉଥିବା ଜିଲ୍ଲାଶିକ୍ଷାଧିକାରୀଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ ନିଆଯିବା, ଗଙ୍ଗାବାଡ଼ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଆଦିବାସୀ ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ କରିଥିବା ଶିକ୍ଷକ ଜି. ରାମବାବୁଙ୍କ ବିରୁଦ୍ଧରେ ମାମଲା ଦାୟର କରିବା ଏବଂ ଜି.ରାମବାବୁଙ୍କୁ ଘଣ୍ଟଘଡାଉଥିବ ଜିଲ୍ଲା ଶିକ୍ଷାଧିକାରୀ ତଦନ୍ତ ନାଁରେ ଦବେଇ ଦେବା ଘଟଣାର ତଦନ୍ତ କରିବା, ଏଯାଏଁ ଜଙ୍ଗଲ ଅଧିକାର ପଟ୍ଟା ପାଇବାରୁ ବଞ୍ଚିତ ବିଭିନ୍ନ ଗ୍ରାମର ଆଦିବାସୀମାନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରାଯିବା, ଜିଲ୍ଲାର ଭୂମିହୀନ ଲୋକଙ୍କୁ ଜମି ଓ ଘରଡ଼ିହ ପଟ୍ଟା ପ୍ରଦାନ କରାଯିବା, ପ୍ରବଳ ଗ୍ରୀଷ୍ମ ପ୍ରବାହ ପରିପ୍ରେକ୍ଷୀରେ ପାନୀୟ ଜଳର ସୁବିଧା ନଥିବା ଗାଁମାନଙ୍କରେ ତୁରନ୍ତ ନଳକୂପ ଖୋଳି ପାନୀୟ ଜଳ ଦିଆଯିବା ଆଦି ଦାବୀ ପୁରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି କେଦାର ଶବର, ଗଜପତି ଜିଲ୍ଲା ସରପଞ୍ଚ ସଂଘର ସଭାପତି ତଥା ସାନତୁଣ୍ଡି ପଞ୍ଚାୟତର ସରପଞ୍ଚ ସଂଘମିତ୍ରା ଶବର ପ୍ରମୁଖ ଜଣାଇଛନ୍ତି । ଏନେଇ ଜିଲ୍ଲାପାଳ ଶ୍ରୀ ଦାଶ ସମସ୍ତ ଘଟଣା ଶୁଣିବା ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ରାୟଗଡ ବ୍ଲକର ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ରାୟଗଡ ବ୍ଲକର ସରପଞ୍ଚଗଣ, ସମିତି ଓ ଜନପ୍ରତିନିଧିଙ୍କ ସମେତ ଗଙ୍ଗାବାଡ ପଞ୍ଚାୟତବାସୀ ଉପସ୍ଥିତଥିଲେ ।