ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ): : ପ୍ରବଳ ହଟ୍ଟଗୋଳ ଓ କଥାକଟାକଟି ମଧ୍ୟରେ ଚାଲି ପାରିଲାନି ଗଜପତି ଜିଲ୍ଲାର ଜିଲ୍ଲା ପରିଷଦ ବୈଠକ । ଆଜି ଜିଲ୍ଲାର ୫୩ ତମ ଜିଲ୍ଲା ପରିଷଦ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ତେବେ ବୈଠକ ଆରମ୍ଭରୁ ଅନୁମୋଦିତ ପ୍ରକଳ୍ପ ତାଲିକା ଉପରେ ପ୍ରଶ୍ନ କରିଥିଲେ ବିଭିନ୍ନ ବ୍ଲକର ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟ ମାନେ । ବିଜୁ କନ୍ଧମାଳ ଓ ଗଜପତି ତଥା ଅନ୍ୟାନ୍ୟ ଯୋଜନା ଅନ୍ତର୍ଗତ ଉନ୍ନୟନ ପ୍ରକଳ୍ପ ଗୁଡିକର ଯାହା ଗ୍ରାମସଭା ଓ ପଞ୍ଚାୟତ ସ୍ତରରୁ ପଞ୍ଚାୟତ ସମିତି ବୈଠକରେ ଅନୁମୋଦିତ ହୋଇ ଜିଲ୍ଲା ସ୍ତରରେ ଅନୁମୋଦନ ହୋଇ କାମ ଆରମ୍ଭ ହୋଇଥାଏ । ତେବେ ଉକ୍ତ ପ୍ରକଳ୍ପଗୁଡିକୁ ଜିଲ୍ଲା ସ୍ତରରେ ଚକ୍ରାନ୍ତ କରି ବାଦ ଦିଆଯାଇଥିବା, ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସୁପରଭିଜନ ପାଇଁ ନିର୍ଦ୍ଧେଶ ଦେବା , ଆଦିବାସୀ ଅଧ୍ୟୁଷିତ ବ୍ଳକକୁ କମ୍ ଅନୁଦାନ ଦିଆଯାଇଥିବା, ଅନାବଶ୍ୟକ ପ୍ରକଳ୍ପ କୁ ବାଧ୍ୟ ବାଧକତା ଭାବରେ କରାଯାଉଥିବା , ପଞ୍ଚାଯତ ପ୍ରତିନିଧିଙ୍କ ଅଧିକାରଙ୍କୁ କ୍ଷ୍ଯୁନ କରି ପ୍ରକଳ୍ପ ଅନୁମୋଦନ କରିବା , ଆଦିକୁ ନେଇ ପ୍ରତିବାଦ କରିଥିଲେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟ ମାନେ । ଉନ୍ନୟନ ପ୍ରକଳ୍ପ ତାଲିକାରେ ବ୍ୟାପକ ତୃଟି ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସନ୍ତୋଷ ଜନକ ଉତ୍ତର ମିଳିନଥିବାରୁ କକ୍ଷ ତ୍ୟାଗ କରି ଚାଲିଯାଇଥିଲେ ସମସ୍ତ ବ୍ଲକର ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟ ତଥା ଜନ ପ୍ରତିନିଧି ମାନେ ।
ପ୍ରଥମେ ଜିଲ୍ଲାପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଶଙ୍କର କେର୍କେଟା, ଅତିରିକ୍ତ ନିର୍ବାହୀ ଅଧିକାରୀ ପୃଥିବୀରାଜ ମଣ୍ଡଳ ପ୍ରମୁଖ ବୈଠକରେ ଯୋଗଦେବାପାଇଁ ବହୁ ବୁଝା ସୁଝା କରିଥିଲେ । ପରେ ଲୋକ ପ୍ରତିନିଧିମାନଙ୍କ ସହ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ବୈଠକ ତ୍ୟାଗ କରିଥିବା ଜନପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ସତ୍ତ୍ୱେ ଏହାର ସମାଧାନ ବାହାରି ପାରିନଥିଲା । ଫଳରେ ଆବଶ୍ୟକ ସଂଖ୍ୟାରେ ପ୍ରତିନିଧି ବୈଠକରେ ଉପସ୍ଥିତ ନଥିବାରୁ ଚାଲି ପାରିଲା ନାହଁ ବୈଠକ । ଶେଷରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତିରାଓ, ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା କୁନ୍ତଳା ମଲିକ, ସାଂସଦ ପ୍ରତିନିଧି ଡି. ରାଜେଶ କୁମାର ଓ ଅଧିକାରୀମାନଙ୍କ ମଧ୍ୟରେ କକ୍ଷତ୍ୟାଗ ପ୍ରସଙ୍ଗକୁ ନେଇ ଗରମାଗରମ ତର୍କବିତର୍କ ହୋଇଥିଲା ।