ବିପ୍ଲବୀ ପରିକ୍ରମା ଡିଜିଟାଲ :- ଅଧାରୁ ବନ୍ଦ ହେଲା ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ଆଇପିଏଲ ୨୫ ର ୫୮ ତମ ମ୍ୟାଚ୍ । ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍କୁ ବନ୍ଦ କରାଯାଇଛି । ଧର୍ମଶାଳା ଷ୍ଟାଡିୟମରେ ବ୍ଲାକଆଉଟ୍ ହୋଇଯାଇଛି । ଖେଳାଳି ଓ ଦର୍ଶକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଷ୍ଟାଡିୟମରୁ ବାହାରକୁ ବାହାର କରାଯାଇଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଭିତରେ ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ମ୍ୟାଚ ଅଧାରୁ ବନ୍ଦ କରାଯାଇଛି । ତେବେ ମ୍ୟାଚ୍ ବନ୍ଦ ହେବା ବେଳକୁ, ପଞ୍ଜାବ ୧୦.୧ ଓଭର ଖେଳି ଗୋଟିଏ ୱିକେଟ ହରାଇ ୧୨୨ ରନ୍ କରିଥିଲା । ପିବିକେଏସ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବର୍ଷା ଯୋଗୁଁ ଟସ୍ ପଡ଼ିବା କିଛି ସମୟ ପାଇଁ ବିଳମ୍ବିତ ହୋଇଥିଲା । ବିଳମ୍ବ ସତ୍ତ୍ବେ ଓଭରରେ କୌଣସି ହ୍ରାସ କରାଯାଇ ନଥିଲା । ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମରନ୍ ସିଂହ ଯୋଡି ପ୍ରଥମେ ପଡ଼ିଆକୁ ଓହ୍ଲାଇଥିଲେ । ପ୍ରିୟାଂଶ ଆର୍ଯ୍ୟ ୩୪ ବଲ୍ରୁ ୭୦ ରନ କରି ପେସ୍ ବୋଲର ଟି ନଟରାଜଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ପ୍ରଭସିମରନ୍ ସିଂହ ୨୮ ବଲ୍ରୁ ୫୦ ରନ୍ କରିଛନ୍ତି । ୧୦.୧ ଓଭର ବେଳକୁ ଖେଳକୁ ଅଧାରୁ ବନ୍ଦ କରାଯାଇଥିଲା । ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଦଳ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଅଛି । ୧୧ଟି ମ୍ୟାଚ୍ ଖେଳି ପଞ୍ଜାବର ୧୫ ପଏଣ୍ଟ ରହିଛି । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ୧୧ଟି ମ୍ୟାଚ୍ରୁ ୧୩ ପଏଣ୍ଟ ପାଇଛି । ଦିଲ୍ଲୀ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବାତିଲ ହୋଇଥିଲା । ଏହି ମ୍ୟାଚ୍ ପୂର୍ବରୁ, ଡିସି ୬ଟି ମ୍ୟାଚ୍ରୁ ଚାରି ଥର ପରାଜୟର ସମ୍ମୁଖୀନ ହୋଇଥିଲା ।