ବିପ୍ଲବୀ ପରିକ୍ରମା ଡିଜିଟାଲ :- ଭାରତର ପାକିସ୍ତାନ ଉପରେ ଅପରେସନ୍ ସିନ୍ଦୂର ଆରମ୍ଭ ହେବା ପରେ ବଢ଼ିଥିଲା ଦୁଇ ଦେଶ ମଧ୍ୟରେ ଉତ୍ତେଜନା । ଭାରତର ଆତଙ୍କୀ ଆଡ୍ଡା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ତଥା ମିସାଇଲ ମାଡ ପରେ ଭାରତ ଉପରେ ଆକ୍ରମଣ କରିଥିଲା ପାକିସ୍ତାନ । ହେଲେ ଭାରତ ଶତ୍ରୁ ଦେଶ ପାକିସ୍ତାନର ସମସ୍ତ ଆକ୍ରମଣକୁ ପଣ୍ଡ କରିଥିଲା । ଏହାରି ମଧ୍ୟରେ ବିସିସିଆଇ ମେ ୯ ତାରିଖରେ ଆଇପିଏଲ ୨୦୨୫କୁ ସ୍ଥଗିତ ରଖିଥିଲା । ପଞ୍ଜାବ ଏବଂ ଦିଲ୍ଲୀ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ୧୦ ଓଭର ବ୍ୟାଟିଂ କରି ଗୋଟିଏ ଓ୍ବିକେଟ ବିନିମୟରେ ୧୨୨ ରନ ସ୍କୋର କରିଥିଲା ପଞ୍ଜାବ । ତେବେ ଏହା ସମୟରେ ମ୍ୟାଚକୁ ଅଧାରୁ ବନ୍ଦ କରାଯାଇଥିଲା । ଷ୍ଟାଡିୟମରୁ ଲୋକଙ୍କୁ ଖାଲି ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ସହିତ ଏକ ସପ୍ତାହ ପାଇଁ ଆଇପିଏଲ୍ ବନ୍ଦ ହୋଇଥିଲା । ତେବେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଇଣ୍ଡିଆନ୍ ପ୍ରିମିୟର ଲିଗର ୧୮ ତମ ସିଜିନ୍ ପୁଣି ଆରମ୍ଭ ହେବାକୁ ଯାଉଛି । ଯାହାର ତାରିଖ ମଧ୍ୟ ପ୍ରକାଶ ପାଇଛି। ମିଡିଆ ରିପୋର୍ଟ ଅନୁସାରେ, ବିସିସିଆଇ ସୂତ୍ର ଦାବି କରୁଛନ୍ତି ଯେ ଆଇପିଏଲ ୨୦୨୫ ମେ ୧୫ କିମ୍ବା ୧୬ ତାରିଖରୁ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଜୁନ୍ ୧ ତାରିଖରେ ଖେଳାଯିବାର ଆଶା କରାଯାଉଛି।
ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ହାଇଦ୍ରାବାଦ ବାକି ମ୍ୟାଚ୍ ଆୟୋଜନ କରିବେ। ଆଜି ରାତି ସୁଦ୍ଧା IPL ଦଳଗୁଡ଼ିକର ନୂତନ କାର୍ଯ୍ୟସୂଚୀ ପ୍ରକାଶ ପାଇବ। ଏହା ସହିତ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ବାତିଲ ହୋଇଥିବା ମ୍ୟାଚ୍ ମଧ୍ୟ ପୁଣିଥରେ ଅନୁଷ୍ଠିତ ହେବ ବୋଲି ମଧ୍ୟ ଜଣାପଡ଼ିଛି । ଆଜି BCCI, IPL ଭବିଷ୍ୟତ ସମ୍ପର୍କରେ ଏକ ବୈଠକ ହୋଇଥିବା ବେଳେ BCCI କିମ୍ବା IPL ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । ଆଇପିଏଲ ଏବଂ ବିସିସିଆଇ ଖୁବ୍ ଶୀଘ୍ର ଟୁର୍ଣ୍ଣାମେଣ୍ଟର ନୂତନ କାର୍ଯ୍ୟସୂଚୀ ଘୋଷଣା କରିବେ ବୋଲି ଆଶା କରାଯାଉଛି ।