ବିପ୍ଲବୀ ପରିକ୍ରମା ଡିଜିଟାଲ :- ପୁଣି ଇସ୍କନର ମନମାନି । ରବିବାର ଲଣ୍ଡନରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ରଥଯାତ୍ରାରେ ଶହ ଶହ ସଂଖ୍ୟାରେ ଇସ୍କନ ଅନୁଗାମୀ ଏବଂ ଜଗନ୍ନାଥ ପ୍ରେମୀ ଆସିବାକୁ ଅନଲାଇନ ମାଧ୍ୟମରେ ସୂଚନା ମଧ୍ୟ ଦିଆଯାଇଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, କୀର୍ତ୍ତନ, ଯୋଗ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ଯୋଗାଯୋଗ ନମ୍ବର ଅନଲାଇନରେ ମଧ୍ୟ ଦିଆଯାଇଛି । ଏଥିରେ ୟୁଟ୍ୟୁବର ଗୋବିନ୍ଦ କୃଷ୍ଣ ଦାସ ସ୍ବତନ୍ତ୍ର ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ନେଇ ସୂଚନା ରହିଛି । ଅଦିନିଆ ରଥଯାତ୍ରାକୁ ବାରମ୍ବାର ବିରୋଧ ସତ୍ତ୍ଵେ ଇସ୍କନ ଏହାକୁ ନ ମାନିବା ଏବଂ ଆଜି ଲଣ୍ଡନରେ ଅଦିନିଆ ରଥଯାତ୍ରା କାର୍ଯ୍ୟକ୍ରମ ଆୟୋଜନ ନେଇ ପ୍ରସ୍ତୁତ ହେବା ଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ପୂର୍ବରୁ ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସନ ଅଦିନିଆ ରଥଯାତ୍ରା ଆୟୋଜନ ନ କରିବା ପାଇଁ ଇସ୍କନକୁ ଅନୁରୋଧ କରିଥିଲେ । ଏହା ଉପରେ ଇସ୍କନ ଖୁବଶୀଘ୍ର ପଦକ୍ଷେପ ନେବ ବୋଲି ଇସ୍କନ ପ୍ରତିଶ୍ରୁତି ଦେଇଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଆଳରେ ବିକୃତ କରିଚାଲିଛି ଇସ୍କନ ।ତେବେ ଇସ୍କନ ଏହି ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ସେବାୟତ, ଭକ୍ତ ଦାବି କରିଛନ୍ତି । ଏପରିକି ଇସ୍କନ ପକ୍ଷରୁ ରଥାରୁଢ଼ ଶ୍ରୀଜିଉଙ୍କର ଭୁଲ୍ ଫଟୋ ବି ଜାରି ହୋଇଛି । ବଳଭଦ୍ରଙ୍କ ତାଳଧ୍ବଜରେ ଶ୍ରୀଜଗନ୍ନାଥଙ୍କ ଫଟୋ ରହିଥିବା ବେଳେ ସୁଭଦ୍ରାଙ୍କ ଦର୍ପଦଳନରେ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷରେ ଦେବୀ ସୁଭଦ୍ରାଙ୍କ ଫଟୋ ରହିଛି ।