ବିନା ମୂଲ୍ୟରେ ରବି ବିହନ ଯୋଗାଣ ଦାବିରେ ସାମ୍ବାଦିକ ସମ୍ମିଳନୀ

0

ନୂଆପଡା ( ବିପ୍ଲବୀ ପରିକ୍ରମା ):- ଶ୍ରମଜୀବୀ ବିକାଶ ମଞ୍ଚ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଖଡ଼ିଆଳ ତରଫରୁ ରବି ଋତୁ ପାଇଁ ଡାଲି ଜାତୀୟ ବିହନକୁ ଚାଷୀ ମାନଙ୍କୁ ବିନା ମୂଲ୍ୟରେ ଯୋଗାଇ ଦେବାକୁ ଦାବି କରି ଏକ ସାମ୍ବାଦିକ ସମ୍ମିଳନୀ ମୁକ୍ତାପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାର ପାଞ୍ଚ ଗୋଟି ବ୍ଲକ ଖଡ଼ିଆଳ, ନୂଆପଡ଼ା କୋମନା, ବୋଡ଼େନ ଓ ସିନାପାଲି ବ୍ଲକର ୭୯ଟି ଗ୍ରାମ ପଞ୍ଚାୟତର ୪୦୩ଟି ଗ୍ରାମର ୨୦୦୮ଜଣ ଚାଷୀଙ୍କୁ ନେଇ ସର୍ଭେ କରାଯାଇଥିଲା ବୋଲି ସୂଚନା ଦିଆ ଯାଇଛି। ଏହି ଚାଷୀ ମାନେ ଠିକ୍ ସମୟରେ ଡାଲି ବିହନ ଓ ତୈଳ ବୀଜ ପାଉ ନଥିବାରୁ ଚାଷ କରୁ ନଥିବା ପ୍ରକାଶ କରି , ଏପରିକି ବିହନ, ସାର୍ ଓ ଔଷଧ ମୂଲ୍ୟ ଅଧିକ ଥିବାରୁ ସେମାନେ କିଣି ପାରୁ ନାହାନ୍ତି। ସରକାର ଅନେକ କ୍ଷେତ୍ରରେ ସବସିଡିରେ ଏସବୁ ଯୋଗାଇବାର ବ୍ୟବସ୍ଥା କରୁଥିଲେ ହେଁ ପ୍ରଥମେ ଚାଷୀ ଟଙ୍କା ଦେଇ କିଣିବା  ପରେ ଆକାଉଣ୍ଟରେ ସବସିଡି ଅର୍ଥ ପଡୁଛି ଯାହାଦ୍ଵାରା ଚାଷୀ ଏହା ପ୍ରତି ଉତ୍ସାହିତ ନୁହନ୍ତି । ପୁଣି ଡାଲି ଫସଲ ଅମଳ ପରେ କିଣିବା ପାଇଁ ମଣ୍ଡି ବ୍ୟବସ୍ଥା ନଥିବାରୁ ଅଭାବୀ ବିକ୍ରିର ଶିକାର ହୋଇଛି ଚାଷୀ। ଏଣୁ ଚାଷୀ ମାନଙ୍କୁ ଠିକ୍ ସମୟରେ ବିନା ମୂଲ୍ୟରେ ବିହନ, ସାର ଓ ଔଷଧ ଯୋଗାଇ ଦେବା ସହ ବିକ୍ରି ବ୍ୟବସ୍ଥା କରିବାକୁ ଅନୁଷ୍ଠାନ ତରଫରୁ ଦାବି କରାଯାଇଛି। ଅକ୍ଟୋବର ୧୫ ତାରିଖ ସୁଦ୍ଧା ବିହନ ନ ପାଇଲେ ଓ ଡିସେମ୍ବର ପ୍ରଥମ ସପ୍ତାହ ଭିତରେ ଚାଷ ନକଲେ କୌଣସି ଲାଭ ମିଳିବ ନାହିଁ ବୋଲି ଶ୍ରମଜୀବୀ ଅନୁଷ୍ଠାନ ର ସଦସ୍ୟ ମାନେ କହିଛନ୍ତି । ଏନେଇ ଜିଲ୍ଲା କୃଷି ଅଧିକାରୀ ନୂଆପଡ଼ା, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ମାନ୍ୟବର ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଦାବିପତ୍ର ଦିଆ ଯାଇଥିବା କହିଛନ୍ତି ଜିଲ୍ଲା କାର୍ଯ୍ୟକର୍ତ୍ତା ସରୋଜ କୁମାର ସୁନା ଓ ସିନାପାଲି କାର୍ଯ୍ୟକର୍ତ୍ତା ଡୋଳାମଣି ଭୋଇ।

 

LEAVE A REPLY

Please enter your comment!
Please enter your name here