ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଆର୍ ଆଣ୍ଡ ବି ବିଭାଗର ଖରିଆର ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁଶାନ୍ତ କୁମାର ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜବତ ହୋଇ ଥିବା ସମ୍ପତ୍ତି ସୁଶାନ୍ତଙ୍କ ମୂଳ ରୋଜଗାର ଠାରୁ ୩୪୭ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ସ୍ୱାମୀଙ୍କ ଦୁର୍ନୀତି ଅର୍ଜିତ ସମ୍ପତ୍ତି ଅର୍ଜନରେ ସହଯୋଗ କରିବା ଅଭିଯୋଗରେ ତାଙ୍କ ପତ୍ନୀ ଲିପି ସେଠିଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ । ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ଏମ ରାଧା କୃଷ୍ଣନ । ଭିଜିଲାନ୍ସ ଅଧିକାରୀମାନେ ସୁଶାନ୍ତ କୁମାର ସେଠୀଙ୍କ ୮ ସ୍ଥାନରେ ରେଡ କରି ତିନୋଟି ବହୁମହଲା ବିଲ୍ଡିଂ, ଏକ ଫାର୍ମହାଉସ୍, ନଅଟି ମୂଲ୍ୟବାନ ପ୍ଲଟ୍, ଦୁଇଟି ଦାମୀ ଚାରିଚକିଆ ଗାଡ଼ି, ସେଥିମଧ୍ୟରୁ ଗୋଟିଏ ବେନାମୀ ଗାଡ଼ି ମଧ୍ୟ ରହିଛି । ସେହିପରି ୫୫ ଲକ୍ଷ ଟଙ୍କାର ଜମା ଏବଂ ୧୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଘରୋଇ ସାମଗ୍ରୀ ଆଦି ଜବତ କରିଛନ୍ତି ଭିଜିଲାନ୍ସ । ବଡ଼ କଥା ହେଉଛି କି ସୁଶାନ୍ତ ସେଠୀ ଭିଜିଲାନ୍ସ ଚଢ଼ାଉରୁ ବଞ୍ଚିବା ପାଇଁ ୫୫ ଲକ୍ଷ ଟଙ୍କାର ଅବୈଧ ଅର୍ଥ ଏବଂ ୧. ୪ କିଲୋଗ୍ରାମ ସୁନା ତାଙ୍କ ଭଡ଼ାଟିଆଙ୍କ ଘରେ ରଖିଥିବା ଜଣାପଡ଼ିଛି।