ଦିଲ୍ଲୀରେ ଏନ୍‌ଡିଏ ବୈଠକ

0

ବିପ୍ଲବୀ ପରିକ୍ରମା ଡିଜିଟାଲ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିଲ୍ଲୀରେ ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକରେ ‘ଅପରେସନ୍ ସିନ୍ଦୂର’ର ସଫଳତାକୁ ଭୂୟସୀ ପ୍ରଶଂସା କରିଛନ୍ତି। ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଭାରତର ସାମରିକ ଆକ୍ରମଣ ‘ଅପରେସନ୍‌ ସିନ୍ଦୂର’ ସମୟରେ ଭାରତୀୟ ସେନା ଅତୁଳନୀୟ ବୀରତ୍ୱ ପ୍ରଦର୍ଶନ କରିଥିବାରୁ ଏହାକୁ ପ୍ରଶଂସା କରି ବୈଠକରେ ଏକ ସଂକଳ୍ପ ପାରିତ ହୋଇଛି। ଯେକୌଣସି ଆତଙ୍କବାଦୀ ଆକ୍ରମଣର ନିର୍ଣ୍ଣାୟକ ଜବାବ ଦେଶ ଦେବ ବୋଲି ମଧ୍ୟ ଏହି ସଂକଳ୍ପରେ ଉଲ୍ଲେଖ କରାଯାଇଛି। ସେହିପରି ଚଳିତ ମାସ ପ୍ରାରମ୍ଭରେ କେନ୍ଦ୍ର ସରକାର ଘୋଷଣା କରିଥିବା ଜାତିଗତ ଜନଗଣନା ନିଷ୍ପତ୍ତି ଉପରେ ଦ୍ୱିତୀୟ ସଂକଳ୍ପ ପାରିତ ହୋଇଥିଲା। ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସାଇନି ଜାତିଗତ ଗଣନା ଉପରେ ସଂକଳ୍ପ ପ୍ରସ୍ତାବ ଆଗତ କରିଥିଲେ। ଜାତିଗତ ଗଣନା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅବହେଳିତ ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ବୈଠକ ଅବସରରେ ସମସ୍ତ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ରବିବାର ପ୍ରସାରିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମକୁ ଶୁଣିଥିଲେ। ସୂଚନାଯୋଗ୍ୟ, ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତକାଲି ନିତି ଆୟୋଗର ୧୦ମ ପରିଚାଳନା ପରିଷଦ ବୈଠକରେ ଯୋଗ ଦେଇ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗଗୁଡ଼ିକୁ ଉପସ୍ଥାପନ କରିଥିଲେ। ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀ ଶ୍ରୀ ‌ମୋଦୀଙ୍କୁ ସାକ୍ଷାତ ମଧ୍ୟ କରିଥିଲେ। ସାକ୍ଷାତ ଆଲୋଚନାରେ ଆସନ୍ତା ମାସ ୧୨ ତାରିଖରେ ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂର୍ତ୍ତି ହେଉଥିବାରୁ ଓଡ଼ିଶା ଆସିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି। ରାଜ୍ୟର ବିକାଶକୁ ନେଇ ମଧ୍ୟ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ସେହିଭଳି ଶନିବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଜେପିର ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନଡ୍ଡାଙ୍କୁ ସାକ୍ଷାତ କରିଥିଲେ। ଦଳୀୟ ବ୍ୟାପାର ତଥା ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସଙ୍ଗରେ ସେ ଶ୍ରୀ ନଡ୍ଡାଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପ‌କ୍ଷରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଦିଲ୍ଲୀରେ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀକୁ କେତେକ ଅନିବାର୍ଯ୍ୟ କାରଣବଶତଃ ବାତିଲ କରି ଦିଆଯାଇଥିବା ଆବାସିକ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି

LEAVE A REPLY

Please enter your comment!
Please enter your name here