ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- : ରଥଉପରେ ବିଶୃଙ୍ଖଳା ରୋକିବାକୁ କଡ଼ା ପଦକ୍ଷେପ ନେବ ଶ୍ରୀମନ୍ଦିର ପ୍ରଶାସନ । ଏଥର ରଥ ଉପରେ ମୋବାଇଲ ଧରିଥିବା ଦେଖାଗଲେ, ମୋବାଇଲକୁ କେବଳ ଜବତ କରାଯିବ ନାହିଁ, ସମ୍ପୃକ୍ତ ଦଇତାଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ରୁଜୁ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଏପରି ନିଷ୍ପତ୍ତି ପରେ କିଛି କିଛି ଅମାନିଆ ଦଇତାଙ୍କ ମଧ୍ୟରେ ପ୍ରତିକ୍ରିୟା ବଢ଼ିଛି । ଏହା ସିଧା ସଳଖ ଦଇତାଙ୍କ ରଥ ବେପାର ଉପରେ ଶକ୍ତ ମାଡ଼ ହେବ ବୋଲି କୁହାଯାଉଛି ।
ରଥଯାତ୍ରାରେ ଅନେକ ବିଶୃଙ୍ଖଳା ହେଉଛି । ବିଶେଷ କରି ଅମାନିଆ ବା ଦୁଷ୍ଟ ଦଇତା ସେବକମାନେ ନାହିଁ ନଥିବା ହରକତ କରୁଛନ୍ତି । ଭକ୍ତର ଭାବନା, ରଥ ଓ ଦିଅଁଙ୍କ ପବିତ୍ରତାକୁ ଉପେକ୍ଷା କରି ନିଜ ବେପାର ପାଇଁ ସବୁ କରନ୍ତି । ଦଇତା ମାନଙ୍କର ସବୁଠୁ ବଡ଼ ବେପାର ମୋବାଇଲ ମାଧ୍ୟମରେ ହେଉଥିବା କୁହାଯାଉଛି । ଦିଅଁଙ୍କ ପାଖରେ ଲାଗି ଫଟୋ ଉଠାଇବା ପରେ ସେଗୁଡ଼ିକୁ ବିଭିନ୍ନ ସ୍ଥାନକୁ ପଠାଇଥାନ୍ତି । ସେଠାରୁ ଭଲ ଦକ୍ଷିଣା ବି ପାଆନ୍ତି । ଏହାବ୍ୟତୀତ ଧନୀ ଲୋକଙ୍କର ଶ୍ରୀଅଙ୍ଗଲାଗି କରାନ୍ତି । ସେମାନଙ୍କ ଖଣ୍ଡୁଆ ଶ୍ରୀଅଙ୍ଗରେ ଲାଗି କରି ଭିଡିଓ କଲ ମାଧ୍ୟମରେ ଦେଖାନ୍ତି । ଏହା ସେମାନଙ୍କର ବଡ଼ ବେପାର ବୋଲି କୁହାଯାଏ । ସେଥିପାଇଁ ରଥ ଉପରେ ମାଳ ମାଳ ମୋବାଇଲ ରହିଥାଏ ।
୨୦୨୪ ରଥଯାତ୍ରାରେ ମୋବାଇଲରେ ବ୍ୟସ୍ତ କିଛି ଦଇତା ବଡ଼ଠାକୁରଙ୍କ ପ୍ରତି ନଜର ଦେଲେ ନାହିଁ । ପହଣ୍ଡିରେ ବଡ଼ ଅବହେଳା କରିବାରୁ ଦିଅଁ ମୁହଁ ମାଡ଼ି ପଡ଼ିଲେ । ଏହାର ତଦନ୍ତ ତ ଫସର ଫାଟିଲା । ଏମିତି ଅନେକ ବିଶୃଙ୍ଖଳା ପରେ ଏବେ ଶ୍ରୀମନ୍ଦିର ପରିଚାଳନା କମିଟି ରଥ ଉପରେ ମୋବାଇଲକୁ ବାରଣ କରିଛି । ଏଥର ମୋବାଇଲ ଦିଶିଲେ, ମୋବାଇଲ କେବଳ ଜବତ ହେବ ନାହିଁ, ମୋବାଇଲ ଧରିଥିବା ଦଇତାଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ହେବ । ଏହାପରେ ମକଦ୍ଦମାକୁ ଆଧାର କରି ସେବାରୁ ବହିଷ୍କାର କରାଯାଇ ପାରିବ ବୋଲି ଧାର୍ଯ୍ୟ ହୋଇଛି ।
କେବଳ ସେତିକି ନୁହେଁ, ରଥଯାତ୍ରାରେ ନୀତି ବିଶୃଙ୍ଖଳା କଲେ ସେବାୟତଙ୍କୁ ନିଲମ୍ବନ ଓ ପରେ ବହିଷ୍କାରର ଯୋଜନା ବି କରାଯାଉଛି । ସେବା ଶୃଙ୍ଖଳା ବ୍ୟତୀତ ଏହି ବୈଠକରେ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଗନ୍ନାଥ ଧାମ କହିବାକୁ ନାପସନ୍ଦ କରାଯାଇଥିଲା । ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦକୁ ତତ୍କାଳ ପ୍ରତ୍ୟାହାର କରିବାକୁ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ମମତାଙ୍କୁ ତାଗିଦ କରି କହିଛନ୍ତି । ଏହି ଶବ୍ଦ କେବଳ ପୁରୀ ଧାମ ପ୍ରତି ଅସମ୍ମାନ ନୁହେଁ, ବରଂ ମହାପ୍ରଭୁଙ୍କ ଗାରିମାକୁ ହାନୀ କରୁଥିବା କହିଛନ୍ତି । ଏହି ବୈଠକରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ହୋଇଥିବା ନିଷ୍ପତ୍ତି ଉଭୟ ସେବାୟତ ଓ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିବାକୁ ଯାଉଛି । ଦେଖାଯାଉ ରଥଯାତ୍ରା ଏଥର ଶୃଙ୍ଖଳିତ ହେଉଛି ନା ପୂର୍ବଭଳି ବିଶୃଙ୍ଖଳା ହେବ ଓ ତାକୁ ଚାପି ଦିଆଯିବ ?