ବିପ୍ଲବୀ ପରିକ୍ରମା ବ୍ୟୁରୋ :- ତିନି ରାଜ୍ୟରେ ବିଜେପିର ବଜୟ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଦେଇଛି ବଡ ଝଟକା । ଇଣ୍ଡିଆ ମେଣ୍ଟ ପାଇଁ ଏହା ସତର୍କର ଘଣ୍ଟି ଭଳି ହୋଇଛି । ଏଭଳି ସ୍ଥିତିରେ ଇଣ୍ଡିଆ ମେଣ୍ଟର ବୈଠକ ଡକାଯାଇଛି । ଆସନ୍ତାକାଲି ନୂଆଦିଲ୍ଲୀରେ ହେବାକୁ ଥିବା ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେଇପାରିବେନି ବୋଲି ସଫାସଫା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ। ଗତ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ବୈଠକ ଅନୁଷ୍ଠିତ ହୋଇଥିଲା।ଏହାର ୩ ମାସ ପରେ ପୁଣିଥରେ ଦିଲ୍ଲୀରେ ଏକାଠି ହେବାକୁ ଯାଉଛନ୍ତି ଇଣ୍ଡିଆ ମେଣ୍ଟର ସଦସ୍ୟ ଦଳ ନେତୃବୃନ୍ଦ। ଗତକାଲି ୪ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ୩ଟି ରାଜ୍ୟରେ ପରାଜୟର ମୁହଁ ଦେଖିବା ପରେ, ଏହି ବୈଠକ ଡାକିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ।ତେବେ ଆଜି ମମତା ବାନାର୍ଜୀ କହିଛନ୍ତି ଯେ, ମୁଁ ଏହି ବୈଠକ ସଂପର୍କରେ ଜାଣିନଥିଲି । ସେହି ତାରିଖରେ ନର୍ଥ-ବେଙ୍ଗଲରେ କାର୍ଯ୍ୟକ୍ରମ ସ୍ଥିର ହୋଇସାରିଛି । ବୈଠକ ସଂପର୍କରେ ଆଗୁଆ ଜାଣିଥିଲେ, ଏହି କାର୍ଯ୍ୟକ୍ରମ ରଖିଥାନ୍ତି କି ବୋଲି ପଚାରିଛନ୍ତି ମମତା । ତେଣୁ ଯେହେତୁ ଏସଂପର୍କରେ ଆଗୁଆ ସୂଚନା ନଥିଲା, ତେଣୁ ମୁଁ ନର୍ଥ ବେଙ୍ଗଲ ଯିବି ।ଏ ସଂପର୍କରେ ଇଣ୍ଡିଆ ମେଣ୍ଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ, ମମତାଙ୍କ ବଦଳରେ ଟିଏମସିରୁ ଅନ୍ୟ କୌଣସି ନେତା ଏହି ବୈଠକରେ ଯୋଗ ଦେବେ କି ନାହିଁ, ସେନେଇ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଗୋଟିଏ ପଟେ ପରାଜୟର ଦୁଃଖ, ତ ଅନ୍ୟପଟେ ଇଣ୍ଡିଆ ମେଣ୍ଟରେ ଫାଟ ବିରୋଧୀ ଗୋଷ୍ଠୀଙ୍କୁ ଦୁର୍ବଳ କରିଥିବା ବିଜେପି କହିଛି ।