ବିପ୍ଲବୀ ପରିକ୍ରମା ବ୍ୟୁରୋ :– ଧୀରେ ଧୀରେ “ମିଗଜୋମ୍” ଦୁର୍ବଳ ହେଉଥିବାବେଳେ ତାମିଲନାଡ଼ୁରେ ଦେଖିବାକୁ ମିଳିଛି ବର୍ଷାର ତାଣ୍ଡବଲୀଳା । ବର୍ଷା ଛାଡ଼ିବା ପରେ ବଢିଯାଇଛି ଚେନ୍ନାଇବାସୀଙ୍କୁ ଦୁର୍ଦ୍ଦଶା। ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣିର ସୁଅ। ରନୱେରେ ଫୁଟେ ଉଚ୍ଚର ପାଣି ପ୍ରବାହିତ ହେଉଥିବାବେଳେ ବନ୍ୟା ସ୍ରୋତରେ ଭାସିଲା କାର୍ ଓ ଗାଡ଼ିମଟର। କେଉଁଠି ବନ୍ୟା ପାଣିରେ ବୁଡ଼ି ରହିଛି ଟ୍ରକ। ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। ଅନେକ ଟ୍ରେନ ଗତିପଥ ବଦଳିବା ସହ ବହୁ ଟ୍ରେନ ଚଳାଚଳ ବାତିଲ ହୋଇଛି। ବର୍ଷା ଯୋଗୁଁ ତାମିଲନାଡ଼ୁରେ ୧୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ବିମାନବନ୍ଦର, ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ପାଣି ଜମି ରହିଛି। ଅନେକ ତଳିଆ ଅଞ୍ଚଳରେ ଘରେ ପଶିଛି ବନ୍ୟା ପାଣି। ପାଣି ପଶିଥିବାରୁ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବର୍ଷା ଜଳ ନିଷ୍କାସନ ହୋଇନପାରିବାରୁ ତଳିଆ ଅଞ୍ଚଳର ଲୋକେ ପାଣିଘେରରେ ରହିଛନ୍ତି। ଜଳବନ୍ଦୀ ହୋଇଥିବା ଲୋକଙ୍କ ମୁଖ୍ୟ ସମସ୍ୟା ପାଲଟିଛି ଖାଦ୍ୟ ଓ ପିଇବା ପାଣି। ପ୍ରଭାବିତ ହୋଇଛି ବିଦ୍ୟୁତ୍ ଓ ଟେଲି ଯୋଗାଯୋଗ। ପାଖାପାଖି ୮୦ ପ୍ରତିଶତ ଅଞ୍ଚଳରେ ବିଜୁଳି ଗାଏବ ହୋଇଛି। ଚେନ୍ନାଇରେ ବନ୍ଦ ରହିଛି ସ୍କୁଲ ଓ କଲେଜ। ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ହେଲିକପ୍ଟର ଯୋଗେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି।
ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ସ୍ଥିତିର ଅନୁଧ୍ୟାନ କରିଥିବାବେଳେ ଉପକୂଳବର୍ତ୍ତୀ ଜିଲ୍ଲାରେ ୫ ହଜାର ରିଲିଫ୍ କେନ୍ଦ୍ର ଖୋଲାଯାଇଛି। ବାତ୍ୟା ମିଗଜୋମ୍ ଯୋଗୁଁ ହୋଇଥିବା କ୍ଷତିକୁ ନେଇ ତାମିଲନାଡ଼ୁ ସରକାର କେନ୍ଦ୍ରକୁ ୫ ହଜାର କୋଟି ଟଙ୍କାର ସହାୟତା ରାଶି ମାଗିଛନ୍ତି। ମୋଦିଙ୍କୁ ଏନେଇ ଚିଠି ଲେଖିଛନ୍ତି ଷ୍ଟାଲିନ୍। ସଂସଦରେ ମଧ୍ୟ ବାତ୍ୟା ମିଗଜୋମ୍ ପ୍ରସଙ୍ଗ ଉଠାଇଛନ୍ତି ଡିଏମକେ ସାଂସଦ। ମଧ୍ୟବର୍ତ୍ତୀକାଳୀନ ସହାୟତା ପାଇଁ ୫ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ କେନ୍ଦ୍ରକୁ ଅପିଲ୍ କରିଛି ଡିଏମକେ। ଏଥିସହ କେନ୍ଦ୍ରୀୟ ଦଳ ରାଜ୍ୟ ପରିଦର୍ଶନ କରି ଘୂର୍ଣ୍ଣିବଳୟ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଦାବି କରିଛନ୍ତି। ବାତ୍ୟା ପ୍ରସଙ୍ଗକୁ ନେଇ ଟିଡ଼ିପି ତଥା ତେଲୁଗୁ ଦେଶମ୍ ପାର୍ଟି ମଧ୍ୟ ଡିଏମକେକୁ ସମର୍ଥନ ଜଣାଇଛି। ବାତ୍ୟା ମିଗଜୋମ୍ ଭୀଷଣ ରୂପ ନେଇ ଦକ୍ଷିଣ ଆନ୍ଧ୍ର ଉପକୂଳ ନେଲୋର ଏବଂ ମଚ୍ଛଲିପଟନମରେ ସ୍ଥଳଭାଗ ଛୁଇଁବା ପରେ ଧୀରେ ଧୀରେ ଏହା ଦୁର୍ବଳ ହେଉଛି । ଛତିଶଗଡ଼ ମୁହାଁ ହୋଇଛି ଗଭୀର ଅବପାତ। ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆଗାମୀ ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହେବ ଏବଂ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଡ଼ବ୍ଲୁଏମ୍ଏମରେ ପରିଣତ ହୋଇଛି l