ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜି ପହିଲି ରଜ । ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ।ରଜ ପର୍ବ ଓଡ଼ିଶାର ଏକ ଗଣପର୍ବ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରନ୍ତି । ଝିଅ ମାନେ ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଟିକିଲି ପିନ୍ଧି ନୂଆ ପୋଷାକ ପରିଧାନ କରି ଗାଁ ବୁଲି, ପରମ୍ପରା ଅନୁଯାୟୀ ପାଳନ କରିବେ ପହିଲି ରଜ । ତିନି ଦିନ ଧରି ଗାଁ ଠୁ ସହର ସବୁଠି ଜମିଥାଏ ରଜର ଆସର । ରଜର ପ୍ରଥମ ଦିନକୁ ପହିଲି ରଜ ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ । ଚତୁର୍ଥ ଦିନରେ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ । ରଜରେ ଆସର ରଜଦୋଳି ଓ ପୋଡ଼ ପିଠାରେ ଅଧିକ ଜମିଥାଏ । ଘରେ ଘରେ ପୋଡ ପିଠା ଓ ରଜ ପାନ ପ୍ରସ୍ତୁତ କରାଯାଇଥାଏ । କଥାରେ ଅଛି ଚାଷୀ ଚାଷ କାର୍ଯ୍ୟ କରିବା ପୂର୍ବରୁ ପରିବାର ସହ ହସଖୁସିରେ ରଜ ପର୍ବ ପାଳନ କରାଯାଇଥାଏ । ପରେ ଚାଷୀ ଚାଷ କାମରେ ଲାଗିପଡିଥାଏ ତିନିଦିନ ଧରି ଏହା ପୁରପଲ୍ଲୀରେ ବେଶ୍ ଜାକଜମକରେ ପାଳିତ ହୁଏ ।ଗାଁ ଗହଳୀର ଲୋକମାନେ ପାଲା, ଦାସକାଠିଆ, ସଙ୍ଗୀତ ଓ ସାସ୍କୃତିକ କାର୍ଯ୍ୟକ୍ରମ କରି ବେଶ୍ ଆନନ୍ଦରେ ରଜ ପର୍ବକୁ ଉପଭୋଗ କରନ୍ତି ।
ଉଲ୍ଲେଖଯୋଗ୍ୟ, ଏହି ଦିନରେ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ। ଏହି ୩ ଦିନ ମାଟି ମା ରଜସ୍ୱଳା ହୋଇଥିବାରୁ ଧରଣୀମାକୁ କଷ୍ଟ ନହେବା ପାଇଁ ଭୂମି କଷଣ କରାଯାଏ ନାହିଁ। ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ।