ବିପ୍ଲବୀ ପରିକ୍ରମା ଡିଜିଟାଲ :- ସଜବାଜ ପହିଲି ରଜ ପରେ ଆଜି ଗଣପର୍ବ ରଜର ଦ୍ବିତୀୟ ଦିନ । ଏହାକୁ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି ବୋଲି କୁହାଯାଏ । ତିନି ଦିନ ଧରି ପାଳିତ ହେଉଥିବା ଏହି କୃଷିଭିତ୍ତିକ ପର୍ବର ଆଜି ଦ୍ବିତୀୟ ଦିନ । ରଜ ପାଇଁ ଗାଁଠୁ ସହର ଚଳଚଞ୍ଚଳ । ପହିଲି ରଜରୁ ମନଭରି ଉପଭୋଗ କରିବା ପରେ ଆଜି ରଜ ସଂକ୍ରାନ୍ତି ପାଳନ କରୁଛନ୍ତି ଓଡିଶାବାସୀ । ରଜ ସଂକ୍ରାନ୍ତିରେ ସକାଳୁ ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ବିଭିନ୍ନ ଦେବା ଦେବୀଙ୍କ ପୀଠ ଦର୍ଶନ କରି ରଜର ଦ୍ବିତୀୟ ଦିନ ପାଳୁଛନ୍ତି ରାଜ୍ୟବାସୀ । ଭଗବାନଙ୍କୁ ଦର୍ଶନ ପରେ ଝିଅମାନେ ସମାନ ଭାବରେ ପହିଲି ରଜ ପରେ ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ପିଠାପଣା ଖାଇ ଦୋଳି ଖେଳି ଦ୍ବିତୀୟ ଦିନ ରଜକୁ ମଧ୍ୟ ପାଳନ କରିଛନ୍ତି ।
ଦୋଳିଖେଳିବାକୁ ପିଲାଠାରୁ କିଶୋରୀଙ୍କ ପର୍ଯ୍ୟନ୍ତ ଭିଡ଼ ଦେଖିବାକୁ ମିଳୁଛି।ଦୋଳି ଖେଳି, ପିଠା ଖାଇ ମଉଜ କରୁଛନ୍ତି ଝିଅ, ବୋହୂ। ଗାଁରେ ଦୋଳି ଏବଂ ପୁଚି ଖେଳି ଝିଅମାନେ ରଜ ପାଳନ କରୁଥିବା ବେଳେ ପୁରୁଷମାନେ ଚାସ, ଲୁଡୁ ଆଦି ଖେଳି ରଜପର୍ବର ମଜା ନେଉଛନ୍ତି।ସାଧାରଣତଃ କୃଷକମାନେ ରଜସଂକ୍ରାନ୍ତି ପୂର୍ବରୁ କ୍ଷେତରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି। ଆଷାଢ଼ର ପ୍ରଥମ ବର୍ଷାରେ ପୃଥିବୀ ଶୀତଳ ହେବା ସହ ପ୍ରଜନନକ୍ଷମ ହୋଇଥାଏ। ପୃଥିବୀମାତାର ଏହି ଅବସ୍ଥାକୁ ରଜସ୍ୱଳା ନାରୀ ସହ ତୁଳନା କରି ପୂର୍ଣ୍ଣବିଶ୍ରାମ ଦିଆଯାଏ।ଏଥିସହିତ କୃଷିକର୍ମରୁ ଅବ୍ୟାହତି ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଥାନ୍ତି କୃଷକସମାଜ। ବିଭିନ୍ନ ପ୍ରକାରର ପିଠାପଣାରେ ମହକିଯାଏ ଓଡ଼ିଶାର ପୂରପଲ୍ଲୀ। ରଜପାନ ଖିଆ, ଦୋଳିରେ ଝୁଲିବା, ଲୁଡୁ, ତାସ୍ ଖେଳ ଓ ବନ୍ଧୁଶଙ୍ଖୁଳା ମଧ୍ୟରେ ଉତ୍ସବମୁଖର ହୋଇଉଠେ ପରିବେଶ।
ଏହି ମହୋତ୍ସବରେ ଝିଅ, ବୋହୂମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା କରାଯାଉଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୋଡ଼ପିଠା, ପାନ ଭଙ୍ଗା, ଝୋଟି ପକା ଆଦି ପ୍ରତିଯୋଗିତା କରାଯାଇ ଝିଅ, ବୋହୂମାନଙ୍କୁ ଉତ୍ସାହିତ କରାଯାଉଛି। ଝିଅ, ବୋହୂମାନେ ନୂଆ ପୋଷାକ ପିନ୍ଧି, ସଜେଇ ହୋଇ ରଜକୁ ମନଭରି ଉପଭୋଗ କରୁଛନ୍ତି।କେବଳ ପୋଡ଼ ପିଠା ନୁହେଁ, ଆରିଷା, କାକରା, ମଣ୍ଡା ଏବଂ ଚକୁଳି ପିଠାର ମହକରେ ପୂରପଲ୍ଲି ମହକୁଛି। ପାଗ ଭଲ ଥିବାରୁ ରଜ ମଉଜର ଆସର ଜମୁଛି। ପହିଲି ରଜକୁ ଉପଭୋଗ କରିବା ପରେ ରଜ ସଂକ୍ରାନ୍ତିରେ ମାହୋଲ ଆହୁରି ଜମି ଯାଇଛି।