ବଲାଙ୍ଗୀର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବଲାଙ୍ଗୀର ସ୍ଥାନୀୟ ପଥର ଚେପା ଠାରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ ଆୟୋଜିତ ହୋଇଯାଇଛି । ଯେଉଁଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ 30 ହଜାର ଚାଷୀ ଅଂଶ ଗ୍ରହଣ କରିଥିଲେ । ତେବେ ଏଥିରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଥିଲେ । ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ଚିନି କଳ ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଓଡ଼ିଶା ପାଇଁ ରାଜ୍ୟ ସରକାର ଲୋକାଭିମୁଖୀ ଯୋଜନା ଆଣିଛନ୍ତି ଓ ଆଗକୁ ଆଣିବେ । ଯାହାଦ୍ୱାରା ବିକଶିତ ଓଡିଶା ଗଠନ ହେବ । ଏହାର ମଙ୍ଗୁଆଳ କୃଷକ ହେବେ ବୋଲି ନିଜ ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୃଷି ଓ କୃଷକର ବିକାଶ ପାଇଁ ଯାହା କଥା ଦେଇଥିଲେ ତାହା କରିକି ଦେଖାଇଥିବାର ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟରେ ପ୍ରଥମ ଥର ପାଇଁ କୃଷି ଓ କୃଷକର ବିକାଶ ପାଇଁ ୩୮ ହଜାର ୯୦୦ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଥିବାର ଘୋଷଣା କରିଛନ୍ତି । ଏହି ବଜେଟରେ ଜଳସେଚନକୁ ଗୁରୁତ୍ୱ ଦେବା ସହ ସାର ବିହନ ମୃତ୍ତିକା ସଂରକ୍ଷଣ ସହିତ ଚାଷୀଙ୍କୁ ସବୁ ସାହାଯ୍ୟ ଯୋଗାଇ ଦିଆଯିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘୫ ବର୍ଷ ମଧ୍ୟରେ ୧୫ ଲକ୍ଷ ହେକ୍ଟର ଅଣଜଳସେଚିତ ଜମିକୁ ଆମେ ଜଳସେଚନ ଯୋଗାଇ ଦେବାର ଲକ୍ଷ୍ୟ ରଖିଛୁ । ବିଭିନ୍ନ ଚାଷୀ କଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକ କେବଳ କୃଷକଙ୍କର ଆୟବୃଦ୍ଧି କରିନାହିଁ ବରଂ ରାଜ୍ୟରେ କୃଷି ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଏବଂ ସରକାର ଏହି କ୍ଷେତ୍ରର ଏକ ସ୍ଥାୟୀ ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି । ନିକଟରେ ମେ ମାସ ୨୯ ତାରିଖରୁ ଜୁନ ମାସ ୧୨ ତାରିଖ ପର୍ଯ୍ୟନ୍ତ ପୁରୀର ସାକ୍ଷୀଗୋପାଳ ଠାରୁ ଆରମ୍ଭ ହୋଇଥିବା “ବିକଶିତ କୃଷି ସଂକଳ୍ପ ଅଭିଯାନ” ଦେଶବ୍ୟାପୀ ଚାଲୁ ରହିଥିଲା ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ କୃଷକମାନଙ୍କର ସାମୂହିକ କଲ୍ୟାଣ ସାଧନ ସହ କୃଷି କ୍ଷେତ୍ରରୁ ରୋଜଗାର ବୃଦ୍ଧି ପାଇଁ ବାସ୍ତବିକ ଏକ ଯୁଗାନ୍ତକାରୀ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ରୋଜଗାରରେ ଉନ୍ନତି ଅଣାଯାଇଛି l ବର୍ତ୍ତମାନ ଆମ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଣ୍ଡିଆ ଲଡୁ ପ୍ରଦାନ କରାଯାଉଛି l ସିଏମ୍ କିଷାନ୍ ଯୋଜନାରେ ଚାଷୀଙ୍କୁ ୪ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି l
ଏଥିରେ ସହରାଞ୍ଚଳର କୃଷକଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି l ଗତ ଅକ୍ଷୟ ତୃତୀୟା ଅବସରରେ ୨,୩୮୧ ଜଣ ବିଶେଷ ଭାବେ ଅନୁନ୍ନତ (PVTG) ଚାଷୀ ଏବଂ ୨୫,୫୩୨ ସହରାଞ୍ଚଳ ଚାଷୀଙ୍କ ସମେତ ମୋଟ୍ ୫୦ ଲକ୍ଷ ୨ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧,୦୨୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l ସିଏମ୍ କିଷାନ୍ ସହିତ ‘ପିଏମ-ସମ୍ମାନ ନିଧି’ ସଂଯୁକ୍ତ ହୋଇ ଚାଷୀ ଭାଇମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରୁଛି । ଆହୁରି ମଧ୍ୟ ଚାଷୀଙ୍କ ପରିବାରକୁ ସମ୍ପୂର୍ଣ୍ଣ ରୂପେ ସଶକ୍ତ କରିବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ସ୍ଵରୂପ କୃଷି ବିଦ୍ୟାନିଧି ଯୋଜନାରେ ଚାଷୀଙ୍କ ସନ୍ତାନ-ସନ୍ତତିମାନଙ୍କ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ସହାୟତା ଯୋଗାଇ ଦିଆଯାଉଛି l ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ଏହା ସହିତ ବଳଭଦ୍ର ଜୈବିକ ଚାଷ ମିଶନ ଯୋଗେ ରସାୟନମୁକ୍ତ ଜୈବିକ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି l ଅମୃତ ଅନ୍ନ ପ୍ରକଳ୍ପ ଅଧୀନରେ ଓଡ଼ିଶାରେ ଉତ୍ପାଦିତ ରସାୟନମୁକ୍ତ ଦେଶୀ ବାସ୍ନାଯୁକ୍ତ ଚାଉଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଠଭୋଗରେ ବ୍ୟବହାର ହେଉଛି ଏବଂ ଆଗାମୀ ଦିନରେ ଏହା ସମ୍ପୂର୍ଣ୍ଣ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯିବ l’କୃଷକ ଭାଇଭଉଣୀଙ୍କ ସଶକ୍ତିକରଣକୁ ଆମ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛି ଏବଂ ଏକ ବର୍ଷ ଭିତରେ ସଫଳତା ମଧ୍ୟ ପାଇଛି । ନିର୍ବାଚନ ସମୟରେ ଆମର ଏକ ମୁଖ୍ୟ ପ୍ରତିଶ୍ରୁତି ଥିଲା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ କରିବା । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ରଖିଛୁ । ପ୍ରଧାନମନ୍ତ୍ରୀ ମଧ୍ୟ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି । ଉଭୟ ରାଜ୍ୟ ଓ ଦେଶର ଏହି ଲକ୍ଷ୍ୟ ପୂରଣ ପାଇଁ କୃଷି ଓ କୃଷକମାନଙ୍କ ବିକାଶ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବ ।’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ବଲାଙ୍ଗୀର ଜିଲ୍ଲାର ବିକାଶ ପାଇଁ ଏଠି ଏକ କୃଷି ବିଦ୍ୟାଳୟ ସ୍ଥାପନ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛୁ । ସେହିପରି ଚିନି କଳ ପୁନଃ ସ୍ଥାପନ କରିବା ସହ ଅନ୍ୟ ଶିଳ୍ପ ମଧ୍ୟ ପ୍ରତିଷ୍ଠା ହେବ ।’ ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସମସ୍ତ ବିଧାୟକଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ସଂଗୀତା ସିଂହଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଏହି ସମାବେଶରେ ରାଜ୍ୟର ସଫଳ ଚାଷୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।