ବିପ୍ଲବୀ ପରିକ୍ରମା ବ୍ୟୁରୋ :– ଗର୍ଭ ନିରୋଧ ପାଇଁ ନେବାକୁ ପଡ଼ିବନି ଟେନ୍ସନ । ରାଜ୍ୟ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ଯୋଡି ହୋଇଯାଇଛି ଦୁଇଟି ନୂଆ ଗର୍ଭନିରୋଧକ ପଦ୍ଧତି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାର ଉନ୍ମୋଚନ ହୋଇଯାଇଥିବାବେଳେ ସବ ଡର୍ମାଲ ଇମ୍ଲାଣ୍ଟ ଓ ଅନ୍ତରା ଇଞ୍ଜେକସନ୍ ନାମକ ଦୁଇଟି ପଦ୍ଧତି ଏଥିରେ ଯୋଡାଯାଇଛି। ପ୍ରଥମରେ ସବ ଡର୍ମାଲ ଇମ୍ଲାଣ୍ଟ ପଦ୍ଧତିକୁ ଯଦି ଆମେ ଦେଖିବା ମହିଳାଙ୍କ ବାମ ହାତର ଉପର ଭାଗରେ ଚର୍ମ ତଳେ ଛୁଞ୍ଚି (ନିଡିଲ)ଆକାରର ଏକ ରଡ ରଖାଯିବ। ଯାହା ତିନି ବର୍ଷ ପର୍ଯ୍ୟନ୍ତ ଶରୀରରେ ରହିବାକୁ ଥିବାବେଳେ ଏଥିରୁ କ୍ଷରିତ ହେବାକୁ ଥିବା ହର୍ମୋନ ଗର୍ଭଧାରଣ ରୋକିବାରେ ସହାୟକ ହେବ। ଦ୍ଵିତୀୟ ନୂଆ ପଦ୍ଧତି ବା ଅନ୍ତରା ଇଞ୍ଜେକ୍ସନ ଦ୍ୱାରା ମହିଳାମାନେ ୩ ମାସ ପର୍ଯ୍ୟନ୍ତ ଗର୍ଭଧାରଣକୁ ରୋକିପାରିବେ। ତେବେ ପ୍ରାରମ୍ଭିକ ଭାବେ ଏହି ଦୁଇ ନୂଆ ପଦ୍ଧତିକୁ କଟକ, ଗଜପତି, ବାଲେଶ୍ୱର ଏବଂ ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରାଯାଇଥିବାବେଳେ ,ଏହି ଅବସରରେ ଫ୍ୟାମିଲି ପ୍ଲାନିଂ ୨୦୩୦ ରୋଡମ୍ୟାପ୍ ଉନ୍ମୋଚିତ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟରେ ଏବେ ଫର୍ଟିଲିଟି ହାର ୧.୮ ରହିଥିବାବେଳେ ଅନୁକୂଳ ଫର୍ଟିଲିଟି ହାର ୨.୧ ତୁଳନାରେ କମ୍ ରହିଛି ବୋଲି କହିଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ତେବେ ଏହି ରୋଡମ୍ୟାପରେ ରାଜ୍ୟର ଫାମିଲି ପ୍ଲାନିଙ୍ଗ ଚଏସ ଅଫ ବାସ୍କେଟକୁ ସମ୍ପ୍ରସାରଣ କରିବା ସହିତ ଶତ ପ୍ରତିଶତ ଲୋକଙ୍କ ନିକଟରେ ଏହାକୁ ପହଞ୍ଚାଯାଇ ପାରିବା ଲକ୍ଷ୍ୟ ରଖାଯାଇଛି।