ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସଫଳତା ଦୋହରାଇଲା ଓଡ଼ିଶା ଭିଜିଲାନ୍ସ । ୨୦୨୨ ରେ ପୁଣିଥରେ ବେଆଇନ ସଂପତ୍ତି ଠାବ କରିବାରେ ଦେଶରେ ଏକ ନମ୍ବର ସ୍ଥାନ ଦଖଲ କଲା ଓଡ଼ିଶା ଭିଜିଲାନ୍ସ । ଗତ ବର୍ଷକ ମଧ୍ୟରେ ୮୫ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରି ଭିଜିଲାନ୍ସ ଟିମ ପାଇଛି ଏହି ସଫଳତା । ରାଜ୍ୟ ସରକାରଙ୍କର ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟକୁ ପ୍ରମାଣିତ କରୁଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(NCRB)ର ଏହି ତଥ୍ୟ। ଆୟ ବହିର୍ଭୂତ ସମ୍ପତ୍ତି ଠାବରେ ଓଡ଼ିଶା ଭିଜିଲାନ୍ସ ଦେଶରେ ସବୁଠୁ ଆଗୁଆ ରହିଥିବାବେଳେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିବାରେ ରେକର୍ଡ କରିଛି ଓଡ଼ିଶା ଭିଜିଲାନ୍ସ। ଜାତୀୟ ଅପରାଧ ନଥି ସଂସ୍ଥା (ଏନସିଆରବି) ପକ୍ଷରୁ ପ୍ରକାଶିତ ୨୦୨୨ ଅପରାଧ ତଥ୍ୟରେ ଏହା ଦର୍ଶାଯାଇଛି। ଏନସିଆରବି ତଥ୍ୟ ଅନୁଯାୟୀ ଓଡ଼ିଶାରେ ସର୍ବାଧିକ ଆୟ ବର୍ହିଭୂତ ସମ୍ପତ୍ତି ମାମଲା ରୁଜୁ ହୋଇଥିବା ବେଳେ ଦଣ୍ଡବିଧାନରେ ଦ୍ବିତୀୟ ସ୍ଥାନରେ ରହିଛି ଓଡିଶା। ତେବେ କର୍ଣ୍ଣାଟକ ଓ ବିହାର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବାବେଳେ କର୍ଣ୍ଣାଟକରେ ୫୬ ଓ ବିହାରର ୪୮ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରାଯାଇଛି। କ୍ରମାଗତ ଦ୍ବିତୀୟ ଥର ଲାଗି ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି। ୨୦୨୧ରେ ଏହି ସଂଖ୍ୟା ୯୨ ରହିଥିବାବେଳେ ୨୦୨୨ ମସିହାରେ ସାରା ଦେଶରେ ୩୭୨ଟି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା ମଧ୍ୟରୁ ଓଡ଼ିଶାରେ ସର୍ବାଧିକ ୮୫ଟି ମାମଲା ରୁଜୁ ହୋଇଛି। ସେହିଭଳି ସରକାରୀ ଅର୍ଥ ଆତ୍ମସାତ ମାମଲାରେ ୧୩୫ଟି ମାମଲା ରୁଜୁ କରି ପଞ୍ଜାବ ଏକ ନମ୍ବର ସ୍ଥାନ ଅଧିକାର କରିଥିବାବେଳେ ୮୪ଟି ମାମଲା ରୁଜୁ କରି ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ୩୨୧ଟି ମାମଲାର ଅଭିଯୋଗ ଫର୍ଦ ଦାଖଲ କରି ଓଡିଶା ଭିଜିଲାନ୍ସ ତୃତୀୟ ସ୍ଥାନରେ ଥିବାବେଳେ ୪୮୪ଟି ଅଭିଯୋଗ ଫର୍ଦ ଦାଖଲ କରି ରାଜସ୍ଥାନ ଦ୍ବିତୀୟ ଓ ମହାରାଷ୍ଟ୍ର ୪୯୭ଟି ଅଭିେଯାଗ ଫର୍ଦ ଦାଖଲ କରି ପ୍ରଥମ ସ୍ଥାନରେ ରହିଛି। ସେହିପରି ୫୫୧ଜଣ ବ୍ୟକ୍ତିଙ୍କ ବିେରାଧରେ ଅଭିଯୋଗ ଫର୍ଦ ଦାଖଲ କରି ଓଡିଶା ତୃତୀୟ ସ୍ଥାନରେ ଥିବାବେଳେ ୭୨୪ ଜଣ ବ୍ୟକ୍ତିଙ୍କ ବିେରାଧରେ ଅଭିେଯାଗ ଫର୍ଦ ଦାଖଲ କରି ରାଜସ୍ଥାନ ପ୍ରଥମ ସ୍ଥାନରେ ରହିଛି। ୯୦ଟି ମାମଲାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଓଡିଶା ଭିଜିଲାନ୍ସ ତୃତୀୟ ସ୍ଥାନରେ ଥିବା ବେଳେ ୧୧୦ ମାମଲାରେ ଦୋଷୀ ସାବ୍ୟସ୍ତ କରି ମଧ୍ୟପ୍ରଦେଶ ପ୍ରଥମ ସ୍ଥାନରେ ରହିଛି। ୨୦୨୨ବର୍ଷରେ ୧୨୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଓଡିଶା ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ୧୪୪ ଜଣକୁ ଦୋଷୀ ସାବ୍ୟସ୍ତ କରି ରାଜସ୍ଥାନ ପ୍ରଥମ ସ୍ଥାନରେ ରହିଛି। ୩୦ଜଣ ଦୋଷୀ ସାବ୍ୟସ୍ତ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କ୍ଷେତ୍ରରେ ଓଡିଶା ତୃତୀୟ ସ୍ଥାନରେ ଥିବା ବେଳେ ତାମିଲନାଡୁ ୫୮ ଜଣଙ୍କୁ ବହିଷ୍କାର କରି ପ୍ରଥମ ସ୍ଥାନରେ ରହିଛି। ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ଓଡିଶା ୪୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଦ୍ବିତୀୟରେ ଥିବା ବେଳେ ୮୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ତାମିଲନାଡୁ ପ୍ରଥମ ସ୍ଥାନରେ ରହିଛି। ତେବେ ଜିରୋ ଟଲରେନ୍ସ ବା ଶୂନ୍ୟ ସହନଶୀଳ ନୀତି ଆପଣାଇ ସରକାରୀ କଳକୁ ବାରମ୍ବାର ସତର୍କ କରାଉଥିବା ସରକାର ନେଇ ଚାଲିଛନ୍ତି ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ସରକାର ନିରନ୍ତର ପ୍ରଚେଷ୍ଟା ଜାରି ରଖିଥିବାବେଳେ ଏହା ଦିନକୁ ଦିନ ଉଦାହରଣ ପାଲଟିବାରେ ଲାଗିଛି।