ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗତ ଶୁକ୍ରବାର କୁକୁଡାଖଣ୍ଡି ବ୍ଲକ କୃପାସିନ୍ଧୁପୁର ଗ୍ରାମରୁ ସାପ ଅଣ୍ଡା ଉଦ୍ଧାର ହୋଇଥିଲା। ଆଜି ଉକ୍ତ ଅଣ୍ଡାରୁ ଛୁଆ ବାହାରିଛି। ସପ୍ତାହେ ଧରି ବ୍ରହ୍ମପୁରରେ ବନାଞ୍ଚଳ କାର୍ଯ୍ୟାଳୟରେ ସାପ ଅଣ୍ଡାକୁ ଇଁକୁବେସନ କରି ରଖା ଯାଇଥିଲା। ସୂଚନା ମୁତାବକ, କୃପାସିନ୍ଧୁପୁର ଗ୍ରାମର ସତ୍ୟନାରାୟଣ ଶତପଥୀ ଘର ବାଡ଼ି ଲତା ବୁଦାରେ ଭରି ରହିଥିଲା। ଏହାକୁ ଜେସିବି ମାଧ୍ୟମରେ ସେ ସଫେଇ କରୁଥିଲେ। ଏହି ସମୟରେ ଦୁଇଟି ରଣା ସାପ ସହ କିଛି ଅଣ୍ଡା ସେଠାରେ ଦେଖିବାକୁ ପାଇଥିଲେ। ଏହାପରେ ସେ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ। ସ୍ନେକ ହେଲ୍ପ ଲାଇନ ସଂଯୋଜକ ସ୍ଵାଧୀନ କୁମାର ସାହୁଙ୍କ ପରାମର୍ଶକ୍ରମେ ବରିଷ୍ଠ ସାପ ଉଦ୍ଧାରକାରୀ ଭି ରାମା ପାତ୍ର ସେଠାରେ ପହଞ୍ଚି ଗୋଟିଏ ସାପ ଓ ଅଣ୍ଡାକୁ ଉଦ୍ଧାର କରିଥିଲେ। ଜେସିବି ବାଜି କିଛି ଅଣ୍ଡା ନଷ୍ଟ ହୋଇଯାଇଥିଲା।
ସେଥି ମଧ୍ୟରୁ ୧୭ ଟି ଅଣ୍ଡା ସୁରକ୍ଷିତ ଥିଲା। ଏହାକୁ ସ୍ନେକ ହେଲ୍ସ ଲାଇନ ସଦସ୍ୟ ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ସାପ ଅଣ୍ଡାକୁ ବ୍ରହ୍ମପୁର ବନାଞ୍ଚଳ କାର୍ଯ୍ୟାଳୟରେ ରଖିଥିଲେ। ସାପ ଅଣ୍ଡାରୁ ଛୁଆ ବାହାର କରିବା ପଦ୍ଧତି ଅବଲମ୍ବନ କରାଯାଇ ଥିଲା। ସ୍ନେକ ହେଲ୍ସ ଲାଇନ ସଂଯୋଜକ ସ୍ଵାଧୀନ ସାହୁ ପ୍ରତିଦିନ ସାପ ଅଣ୍ଡାରୁ ସୁରକ୍ଷିତ ଭାବେ ଛୁଆ ବାହାରିବ ସେ ନେଇ ନିରୀକ୍ଷଣ କରୁଥିଲେ। ଗୁରୁବାର କିଛି ଅଣ୍ଡାରୁ ଛୁଆ ବାହାରିଥିବା ବେଳେ ଶୁକ୍ରବାର ୧୬ ଟି ଅଣ୍ଡାରୁ ଛୁଆ ବାହାରିଛନ୍ତି। ଗୋଟିଏ ଅଣ୍ଡା କୌଣସି କାରଣରୁ ନଷ୍ଟ ହୋଇଯାଇଛି। ସ୍ନେକ ହେଲ୍ସ ଲାଇନ ସଂଯୋଜକ ସ୍ଵାଧୀନ କହିଛନ୍ତି, ଚଳିତ ବର୍ଷ ବ୍ରହ୍ମପୁରରେ ଦୁଇଟି ସଫଳତା ମିଳିଛି। କିଛି ଦିନ ପୂର୍ବେ ନାଗ ସାପ ଅଣ୍ଡାରୁ ଛୁଆ ବାହାରିଥିଲା। ତାହାକୁ ସୁରକ୍ଷିତ ଭାବେ ପ୍ରାକୃତିକ ଆବାସସ୍ଥଳୀରେ ଛଡ଼ା ଯାଇଥିଲା। ଏବେ ପୁଣି ରଣା ସାପ ଅଣ୍ଡାକୁ ସୁରକ୍ଷା ପ୍ରଦାନ କରିବାରୁ ସେଥିରୁ ଛୁଆ ବାହାରିଛି। ବର୍ଷା ସମୟରେ ଏହାକୁ ଉଦ୍ଧାର କରାଯାଇଥିଲା। ସେତେବେଳେ ଅଣ୍ଡାକୁ ଉଦ୍ଧାର ନ କରିଥିଲେ, ସବୁ ନଷ୍ଟ ହୋଇଥାନ୍ତା। ଖୁସି ଲାଗୁଛି ୧୬ ଟି ଛୁଆ ଜନ୍ମ ହୋଇଛି। ସବୁ ରଣା ସାପ ଛୁଆକୁ ପ୍ରାକୃତିକ ଆବାସସ୍ଥଳରେ ଛଡ଼ା ଯାଇଛି।