ବିପ୍ଲବୀ ପରିକ୍ରମା ଡିଜିଟାଲ :- ୨୫ରେ ଲଘୁଚାପ, ବଢ଼ିବ ବର୍ଷା । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିଛି । ଆଜି ରାୟଗଡ଼ା କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ଖୋର୍ଦ୍ଧା , ପୁରୀ, ଜଗତସିଂହପୁର , ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ନାୟଗଡ଼ ଓ ଢେଙ୍କାନାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏଥିସହ ଗଞ୍ଜାମ, ରାୟଗଡ଼ା, ଗଜପତି, ମାଲକାନଗିରି ଓ କୋରାପୁଟର କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଆଗାମୀ ୩-୪ ଦିନ ଓଡ଼ିଶାରେ ବିଭିନ୍ନ ଜିଲ୍ଲା ମାନଙ୍କରେ ଭାରି ବର୍ଷା ସମ୍ଭାବନା ରହିଛି ।
ସୂଚନା ମୁତାବକ, ୨୫ ତାରିଖରୁ ବର୍ଷାର ପରିମାଣ ସାମାନ୍ୟ ବଢ଼ିପାରେ । କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର କିଛି କିଛି ସ୍ଥାନରେ ୨୫ ତାରିଖ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଅବଶିଷ୍ଟ ଓଡ଼ିଶା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୬ ତାରିଖ ଦିନ ମଧ୍ୟ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହିଭଳି ଭାବେ ରାଜ୍ୟରେ ୨୮ ତାରିଖ ଯାଏ ବର୍ଷା ଜାରି ରହିବ । ୨୫ ଓ ୨୬ ତାରିଖରେ ଓଡ଼ିଶା ଉପକୂଳ ତଥା ଏହାର ସଂଲଗ୍ନ ଅଞ୍ଚଳରେ ୩୫-୪୫ କିମିରୁ ୫୫ କିମି ବେଗରେ ପବନ ବହିବା ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ସମୁଦ୍ର ଅଶାନ୍ତ ହେବାର ସମ୍ଭାବନା ରହିଛି ।