ଦୂରରେ ଥାଇ ବି ନିକଟରେ’: ମହାକାଶରୁ ଭବ୍ୟ ଦିଶୁଛି ଭାରତ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍‌ଟେନ୍‌ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହୋଇଛନ୍ତି। ଶୁଭାଂଶୁ ବର୍ତ୍ତମାନ ଆକ୍ସମ୍-୪ ମିସନ୍‌ର ଏକ ଅଂଶ ଭାବରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅଛନ୍ତି। ୧୪୦ କୋଟି ଭାରତୀୟଙ୍କ ତରଫରୁ ମୋଦୀ ମହାକାଶଚାରୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଆପଣ ମାତୃଭୂମିରୁ ସବୁଠାରୁ ଦୂରରେ ଅଛନ୍ତି। କିନ୍ତୁ ଭାରତୀୟଙ୍କ ହୃଦୟର ସବୁଠାରୁ ନିକଟରେ ଅଛନ୍ତି। ଏହାପରେ ଶୁକ୍ଳା ଧନ୍ୟବାଦ ଜଣାଇ କହିଥିଲେ ଯେ ମୋଦୀଙ୍କ ନେତୃତ୍ୱ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଅନେକ ସୁଯୋଗ ପ୍ରଦାନ କରିଛି। ଆଜି ଆପଣ ଆମ ମାତୃଭୂମିଠାରୁ ବହୁତ ଦୂରରେ, କିନ୍ତୁ ଭାରତୀୟଙ୍କ ହୃଦୟର ସବୁଠାରୁ ନିକଟରେ ଅଛନ୍ତି। ‘ଆପକେ ନାମ ମେଁ ଭି ଶୁଭ ହୈ ଔର ଆପ୍‌କୀ ଯାତ୍ରା ନୟେ ୟୁଗ କା ଶୁଭାରମ୍ଭ ଭି ହୈ’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ‘ଏହି ସମୟରେ କେବଳ ଆମେ ଦୁହେଁ କଥାବାର୍ତ୍ତା କରୁଛୁ, କିନ୍ତୁ ୧୪୦ କୋଟି ଭାରତୀୟଙ୍କ ଭାବନା ମଧ୍ୟ ମୋ ସହିତ ରହିଛି। ମୋ ସ୍ୱରରେ ସମସ୍ତ ଭାରତୀୟଙ୍କ ଉତ୍ସାହ ଓ ଉଦ୍ଦୀପନା ରହିଛି। ମହାକାଶରେ ତ୍ରିରଙ୍ଗା ଉତ୍ତୋଳନ କରିଥିବାରୁ ମୁଁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ସେଠାରେ ସବୁ କିଛି ଠିକ୍ ଅଛି କି? ଆପଣ ଭଲ ଅଛନ୍ତି କି?’ ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ। ଏହାର ଜବାବରେ ଶୁକ୍ଳା କହିଥିଲେ, ଆପଣଙ୍କର ଓ ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ। ମୁଁ ଏଠାରେ ଭଲ ଓ ସୁରକ୍ଷିତ ଅଛି। ମୁଁ ବହୁତ ଭଲ ଅନୁଭବ କରୁଛି, ଏହା ଏକ ନୂତନ ଅନୁଭୂତି।ଏହି ଯାତ୍ରା କେବଳ ମୋର ନୁହେଁ, ବରଂ ସମଗ୍ର ଦେଶର ଯାତ୍ରା। ଆପଣଙ୍କ ନେତୃତ୍ୱରେ ଆଜିର ଭାରତ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଅନେକ ସୁଯୋଗ ପ୍ରଦାନ କରୁଛି। ଏଠାରେ ଭାରତର ପ୍ରତିନିଧିତ୍ୱ କରି ମୁଁ ଗର୍ବ ଅନୁଭବ କରୁଛି। ଶୁକ୍ଳା ଆହୁରି କହିଛନ୍ତି ଯେ ସେ ତାଙ୍କ ସହ ଅନେକ ଭାରତୀୟ ଖାଦ୍ୟ ଯଥା ଗାଜର ହାଲୁଆ, ମୁଗଡାଲି ହାଲୁଆ ଓ ଆମ୍ବ ରସ ନେଇଥିଲେ। ଅନ୍ୟ ଦେଶରୁ ଯେଉଁମାନେ ତାଙ୍କ ସହିତ ଏ ଅଭିଯାନରେ ସାମିଲ ହୋଇଛନ୍ତି ସେମାନେ ସମସ୍ତେ ଭାରତୀୟ ଖାଦ୍ୟର ମଜା ଉପଭୋଗ କରିଛନ୍ତି। ସେମାନେ ସମସ୍ତେ ଏହାକୁ ବାଣ୍ଟି ଖାଇଥିଲେ ଓ ସମସ୍ତେ ଏହାକୁ ପସନ୍ଦ କରିଥିଲେ ବୋଲି ଶୁକ୍ଳା କହିଛନ୍ତି।

 

ମହାକାଶରୁ ପୃଥିବୀର ଦୃଶ୍ୟ ବର୍ଣ୍ଣନା କରି ଶୁକ୍ଳା କହିଥିଲେ ଯେ ଏହା ଗୋଟିଏ ଗୋଲାକାର ପିଣ୍ଡ ପରି ଦେଖାଯାଉଛି ଏବଂ ଦେଶ ଦେଶ ଭିତରେ କୌଣସି ସୀମା ନାହିଁ। ମହାକାଶରୁ ଭାରତ ଭବ୍ୟ ଏବଂ ବହୁତ ବଡ଼ ଦେଖାଯାଉଛି। ମାନଚିତ୍ରରେ ଆମେ ଯାହା ଦେଖୁଛୁ, ତା’ଠାରୁ କାହିଁ କେତେ ବଡ଼ ଓ ବିଶାଳ। ଯେତେବେଳେ ଆମେ ପୃଥିବୀକୁ ବାହାରୁ ଦେଖିଲୁ, ସେତେବେଳେ ଲାଗିଲା ଯେ କୌଣସି ସୀମା ନାହିଁ, କୌଣସି ରାଷ୍ଟ୍ର ବା ଦେଶ ନାହିଁ। ଆମେ ସମସ୍ତେ ମାନବିକତାର ଅଂଶ, ପୃଥିବୀ ହେଉଛି ଆମର ଗୋଟିଏ ଘର ଏବଂ ଆମେ ସମସ୍ତେ ଏଥିରେ ଅଛୁ। ୱିଙ୍ଗ୍‌ କମାଣ୍ଡର ରାକେଶ ଶର୍ମାଙ୍କ ଐତିହାସିକ ମହାକାଶ ଅଭିଯାନର ୪୧ ବର୍ଷ ପରେ ଶୁକ୍ଳା ହେଉଛନ୍ତି ଦ୍ବିତୀୟ ଭାରତୀୟ ଯିଏ କି ମହାଶୂନ୍ୟକୁ ଯାଇଛନ୍ତି। ଶୁକ୍ଳା ନିଜ ବାର୍ତ୍ତାରେ କହିଛନ୍ତି, ଏହା ମୋର ଆଇଏସ୍‌ଏସ୍‌ ଯାତ୍ରାର ଆରମ୍ଭ ନୁହେଁ, ବରଂ ଭାରତର ମାନବ ମହାକାଶ କାର୍ଯ୍ୟକ୍ରମର ଆରମ୍ଭ। ଗ୍ରୁପ୍ କ୍ୟାପ୍‌ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସମେତ ଆକ୍ସମ୍-୪ (ଆକ୍ସ-୪) କ୍ରୁ’ଙ୍କୁ ନେଇ ଯାଇଥିବା ଡ୍ରାଗନ୍ କ୍ୟାପସୁଲ୍ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ସଫଳତାର ସହ ଡକ୍ କରିଛି। ଏହି ଐତିହାସିକ ମୁହୂର୍ତ୍ତରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ, କକ୍ଷପଥରେ ପାଦ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here