ବିପ୍ଲବୀ ପରିକ୍ରମା ଡିଜିଟାଲ :- ପିଲାଟି ଦିନରୁ ସାଙ୍ଗ ହୋଇ ବଢ଼ିଥିଲେ ଆଉ ପଢ଼ିଥିଲେ । ଧିରେ ଧିରେ ବଡ଼ ହେବା ସହ ଦୁହେଁ ଦୁହିଁକୁ ଭଲପାଇ ବସିଥିଲେ । ହେଲେ କିଛି ଏମିତି ଘଟଣା ଘଟିଲା ଯେ, ପ୍ରେମିକାକୁ ନିଜ ହାତରେ ଛୁରୀ ଭୁସି ହତ୍ୟା କରିଛି ପ୍ରେମିକ । ପ୍ରେମିକାକୁ ହତ୍ୟା କରିବା ପରେ ନିଜ ହାତରେ ଲାଗିଥିବା ଆଘାତକୁ ନେଇ ସ୍ଥାନୀୟ ଚିକିତ୍ସାଳୟରେ ଅଭିଯୁକ୍ତ ଜଣଙ୍କ ନିଜର ଚିକିତ୍ସା କରାଇବା ଏବଂ ପରବର୍ତ୍ତୀ ସମୟରେ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରିଛି । ଏଭଳି ଏକ ଘଟଣା ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରର୍ବଣା ବିବେକ ଏମ୍ଙ୍କ ସୂଚନା ଅନୁସାରେ, ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଅଞ୍ଚଳରେ ରହୁଥିବା ୨୪ ବର୍ଷୀୟ ଅଭୟ କୁମାର ମହାରଣା ଓ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ପିଲାଟି ଦିନରୁ ସାଙ୍ଗ ପଢୁଥିଲେ । ବଡ ହେବା ପରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ । ଗତ ୪ ମାସ ମଧ୍ୟରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହୋଇଥିଲା । ଏହାରି ମଧ୍ୟରେ ଯୁବତୀ ଜଣଙ୍କ ବ୍ରହ୍ମପୁର ସହର ଉପକଣ୍ଠରେ ଥିବା ଏକ ଘରୋଇ ଚିକିତ୍ସାଳୟରେ ଲ୍ୟାବ ଆସିଷ୍ଟାଣ୍ଡ ଭାବରେ କାର୍ଯ୍ୟ କରି ଆସୁଥିଲେ । ସେପଟେ ଯୁବକ ଜଣଙ୍କ ଏକ କମ୍ପାନୀରେ କାମ କରୁଥିବା ବେଳେ କିଛି ସମସ୍ୟା ଉପୁଜିବା ଯୋଗୁଁ ସେ ଚାକିରି ହରାଇ ବସିଥିଲେ । ସେପଟେ ଯୁବକ ଜଣଙ୍କ ଚାକିରି ହରାଇବା ପରେ ମାନସିକ ଅଶାନ୍ତି ଭିତରେ ରହିଥିଲେ । ଏହା ଭିତରେ ଯୁବତୀ ଜଣଙ୍କ ଯୁବକଙ୍କୁ ଅଣଦେଖା କରୁଥିଲେ । ନିଜର ଚାକିରି ନଥିବାରୁ ହୁଏତ ପ୍ରେମିକା ଅନ୍ୟ କେଉଁଆଡେ ବିବାହ କରିଦେବ ବୋଲି ଭାବି ଚିନ୍ତାରେ ରହୁଥିଲା ପ୍ରେମିକ । ଏନେଇ ପ୍ରେମିକାକୁ ହତ୍ୟା କରିବାକୁ ଯୋଜନା କରିଥିଲା । ଆଜି (ମଙ୍ଗଳବାର) ଦିନ ପାଖାପାଖି ୩ଟାରୁ ୩:୩୦ ଭିତରେ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂତନ ବସଷ୍ଟାଣ୍ଡ ଠାରେ ରହିଥିବା ଏକ ଗେଷ୍ଟହାଉସକୁ ପ୍ରେମିକାକୁ ଡାକି ନେଇଥିଲେ । ସେଠାରେ କିଛି ସମୟ ପ୍ରେମିକା ସହିତ କଟାଇବା ପରେ ଶେଷରେ ସାଙ୍ଗରେ ନେଇଥିବା ଏକ ଛୁରୀରେ ପ୍ରେମିକାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିପଡିଛି ।
ତେବେ “ଯୁବକ ଜଣଙ୍କ ପ୍ରେମିକାକୁ ହତ୍ୟା କରିବା ଭିତରେ ଛୁରୀ ବାଜି ନିଜେ ମଧ୍ୟ ଆହତ ହୋଇଥିଲା । ନିଜ ହାତରେ ଲାଗିଥିବା ଆଘାତକୁ ନେଇ ସ୍ଥାନୀୟ ସହରର ନଗର ହସ୍ପିଟାଲକୁ ଯାଇ ଚିକିତ୍ସା କରାଇଥିଲେ ଅଭିଯୁକ୍ତ । ଏହାପରେ ସହରର ଗୋଷାଣିନୂଆଗାଁ ଥାନା ଅଞ୍ଚଳରେ ଯାଇ ଆତ୍ମସମର୍ପଣ କରିଥିଲା” ବୋଲି କହିଛନ୍ତି ବ୍ରହ୍ମପୁର ଏସ୍.ପି ଡା.ଶ୍ରର୍ବଣା ବିବେକ ଏମ୍ । ଯୁବତୀଙ୍କୁ ହତ୍ୟା କରିବା ଘଟଣା ଜଣାପଡିବା ପରେ ବ୍ରହ୍ମପୁର ପୋଲିସ ପକ୍ଷରୁ ବହୁ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରିଛନ୍ତି । ନିଜେ ଖୋଦ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରର୍ବଣା ବିବେକ୍ ଏମ୍ ଏବଂ ଦକ୍ଷିଣାଞ୍ଚଳ ପୋଲିସ ଆଇ.ଜି ନୀତି ଶେଖର । ଗୋଟିଏ ପଟେ ପୋଲିସର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଘଟଣାସ୍ଥଳରୁ ପୋଲିସ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛି । ଘଟଣାରେ ସାଇଣ୍ଟିଫିକ୍ ଟିମର ତଦନ୍ତ ରିପୋର୍ଟ ସହିତ ବ୍ୟବଚ୍ଛେଦ ପୂର୍ବରୁ ପୋଲିସ ପକ୍ଷରୁ ମୃତଦେହର ପଞ୍ଚନାମା କରାଯିବା ସହିତ ପ୍ରେମିକ ଜଣଙ୍କ ଯୁବତୀଙ୍କ ଶରୀରର କେଉଁ କେଉଁ ସ୍ଥାନକୁ ଆକ୍ରମଣ କରିଥିଲେ ତାହା ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।