ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି। ସାରା ରାଜ୍ୟରେ ଏ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଏମ୍ସି କର୍ମଚାରୀ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଓଆର୍ଏସ୍ ଓ ଓଏଏସ୍ ଅଧିକାରୀ ସମୂହ ଛୁଟିରେ ଯାଉଥିବାରୁ ପ୍ରଶାସନିକସ୍ତରରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଖାରବେଳନଗର ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଅନ୍ୟ ଦୁଇ ଅଭିଯୁକ୍ତ ଝାରପଡ଼ା ଅଞ୍ଚଳର ସଞ୍ଜୀବ ମିଶ୍ର ଓ ଲକ୍ଷ୍ମୀସାଗର ଅଞ୍ଚଳର ସଚ୍ଚିକାନ୍ତ ସ୍ବାଇଁଙ୍କୁ ଗିରଫ କରିଛି। ଗତକାଲି ଗିରଫ ହୋଇଥିବା କର୍ପୋରେଟର ଅପରୂପ ନାରାୟଣ ରାଉତ (ଜୀବନ), ରଶ୍ମିରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କ ସମେତ ଆଜି ଗିରଫ ହୋଇଥିବା ଦୁଇ ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ହେଲେ ଏବେ ବି ୫ରୁ ଅଧିକ ଫେରାର ଥିବା ପୁଲିସ କହିଛି। ସ୍ବଚ୍ଛସାଥୀ ରେବତୀ ରାଉତଙ୍କୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା କଥା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ସ୍ବଚ୍ଛସାଥୀ ରେବତୀ ବିଜେପି ସଭାକୁ ଲୋକ ନେଇ ଯାଉଥିବାରୁ ୩୪ ନମ୍ବର ୱାର୍ଡର କର୍ପୋରେଟର ତାଙ୍କ ନାମରେ ଅଭିଯୋଗ କରିବା ଏବଂ ଏ ନେଇ ଅତିରିକ୍ତ କମିସନରଙ୍କ ହସ୍ତକ୍ଷେପ ଘଟଣା ମଧ୍ୟ ସାମନାକୁ ଆସିଛି। ବିଜେପି ନେତା ଜଗନ୍ନାଥ ପ୍ରଧାନ ମୁହଁ ଖୋଲି ଅତିରିକ୍ତ କମିସନରଙ୍କ ଉପରେ ଆରୋପ ଲଗାଇଛନ୍ତି। ଅତିରିକ୍ତ କମିସନର ସ୍ବଚ୍ଛସାଥୀ ଓ ତାଙ୍କୁ ଖରାପ ବ୍ୟବହାର କରିଥିବା ନେଇ ଅଭିଯୋଗ ଆଣିଛନ୍ତି। ସେହିପରି ବିଜେପିକୁ ଟାର୍ଗେଟ୍ କରି ବିରୋଧୀ ବର୍ଷିଛନ୍ତି। ବିଜେଡି, କଂଗ୍ରେସ, ଆପ୍ ପ୍ରମୁଖ ରାଜନୈତିକ ଦଳ ଘଟଣା ପଛର ମୁଖ୍ୟ ଷଡ଼୍ଯନ୍ତ୍ରକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି l
ଅନ୍ୟପଟେ ଏହି ଘଟଣାକୁ ନେଇ ବିଏମ୍ସି ଅଧିକାରୀ/କର୍ମଚାରୀମାନେ ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କୁ ଭେଟି ଦାବିପତ୍ର ଦେବା ସହ କଳାବ୍ୟାଜ୍ ପିନ୍ଧି କଲମ ଛାଡ଼ ଆନ୍ଦୋଳନ କରିଛନ୍ତି। ଫଳରେ ଆଜି ବିଏମ୍ସି କାର୍ଯ୍ୟାଳୟର ସମସ୍ତ କାମ ଠପ୍ ହୋଇଯାଇଛି। କେବଳ କାର୍ଯ୍ୟାଳୟ ଭିତରେ ନୁହେଁ, ବରଂ ବିଏମ୍ସିର ୱାର୍ଡମାନଙ୍କରେ ସଫେଇ କର୍ମଚାରୀ, ସ୍ବଚ୍ଛସାଥୀମାନେ ମଧ୍ୟ କାମ ବନ୍ଦ କରି ଦେଇଛନ୍ତି। ଫଳରେ ସହରର ଅଧିକାଂଶ ସ୍ଥାନରେ ଆଜି ଅଳିଆ ଉଠି ପାରିନାହିଁ। ଏ ଘଟଣାର ସମାଧାନ ନ ହେଲେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଗତକାଲି ବିଜେଡି କର୍ପୋରେଟର ଓ ନେତାମାନେ ଆନ୍ଦୋଳନ କରିଥିବା ବେଳେ ପୁଲିସ ସେମାନଙ୍କୁ ରାଜରାସ୍ତାରୁ ଉଠେଇ ନେଇଥିଲା। ହେଲେ ଆଜି ପୁଣି ବିଜେଡି କର୍ପାରେଟରମାନେ ବିଏମ୍ସି ମୁଖ୍ୟ ଫାଟକ ଆଗରେ ଆନ୍ଦୋଳନରେ ବସିଥିଲେ। ତୁରନ୍ତ ମୁଖ୍ୟ ଅଭିଯୁକ୍ତ ଓ ଷଡ଼୍ଯନ୍ତ୍ରକାରୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ତେବେ ମେୟର ସୁଲୋଚନା ଦାସ ଆସି ବୁଝାସୁଝା କରି ସେମାନଙ୍କୁ ଉଠାଇଥିଲେ।ଅତିରିକ୍ତ କମିସନରଙ୍କ ଅଭିଯୋଗ ଅଧାରରେ ଖାରବେଳନଗର ଥାନା ପୁଲିସ କେସ୍ ନଂ-୨୮୦ରେ ବିଏନ୍ଏସ୍ ଦଫା ୩୩୩/୧୩୨/୧୨୧(୧)/୧୨୧(୨)/୧୦୯/୩୫୧(୨)/୬୨/୧୪୦(୨)/୩୦୪/୫୪/୬୧(୨)/୧୮୯(୨)/୧୯୦/୩(୫)ରେ ମାମଲା ରୁଜୁ କରିଛି। ଏହି ଘଟଣାରେ ରାଜ୍ୟ ବିଜେପି କଠୋର ଆଭିମୁଖ୍ୟ ନେଇଛି। ଗିରଫ ହୋଇଥିବା ୫ ଜଣଙ୍କୁ ଦଳର ସଭାପତି ମନମୋହନ ସାମଲ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଛନ୍ତି। ଏମାନେ ସମସ୍ତେ ବିଜେପିର ଭୁବନେଶ୍ବର ଜିଲ୍ଲା ଶାଖାର ସକ୍ରିୟ କର୍ମୀ ଥିଲେ। ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ତେବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ବିଧାୟକ ବାବୁ ସିଂହ ଏହି ଘଟଣାକୁ ଗତକାଲି ନିନ୍ଦା କରିଥିଲେ। ଦୋଷୀଙ୍କ ବିରୋଧରେ ଆଇନଗତ ଓ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅପରାଜିତା ମତ ଦେଇଥିଲେ।
ତେବେ ଏ ନେଇ ଅତିରିକ୍ତ କମିସନର ଶ୍ରୀ ସାହୁ କହିଛନ୍ତି, ଗତକାଲି ଅଭିଯୋଗ ଶୁଣାଣି ବେଳେ ମୋତେ ପଚରାଗଲା, ଜଗା ଭାଇଙ୍କୁ କିଛି ଖରାପ ବ୍ୟବହାର କଲେ କି? ମୁଁ ମନା କରିଥିଲି। ତା’ପରେ ମୋତେ ପ୍ରାଣାନ୍ତକ ଆକ୍ରମଣ କରାଗଲା। ବହୁତ ଲୋକ ମିଛ କଥା କହି ଅଭିଯୋଗ ଆଣିବେ। ରେବତୀ ବେହେରାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଘଟଣାକୁ ଅଲଗା ରୂପ ଦେବା ପାଇଁ ମିଛ ଆରୋପ ଲଗାଯାଉଛି। ପୁଲିସ ତା’ ହିସାବରେ କାମ କରୁଛି। ମୋର ଆଇନ ଉପରେ ସମ୍ପୂର୍ଣ୍ଣ ଭରସା ଅଛି। ମୋତେ ନ୍ୟାୟ ମିଳିବ।