ବିପ୍ଲବୀ ପରିକ୍ରମା ଡିଜିଟାଲ:- ସୁବର୍ଣ୍ଣରେଖା ଓ ଜଳକାରେ ଜଳସ୍ତର ବୃଦ୍ଧି ଯୋଗୁଁ ଉତ୍ତର ବାଲେଶ୍ୱରରେ ବନ୍ୟା ପରିସ୍ଥିତି ଉପୁଜିଛି। ଚାରିଟି ବ୍ଲକ ଜଳେଶ୍ବର, ଭୋଗରାଇ, ବସ୍ତା, ବାଲିଆପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ପଶିଛି ବନ୍ୟା ପାଣି। ବନ୍ୟପାଣିରେ ଭାସିଯାଇ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବସ୍ତା ବ୍ଲକ ବାସି ଚକୁରାଇ ପଞ୍ଚାୟତରେ ଜଳକା ନଦୀରେ ଗତକାଲି ବନ୍ୟା ପାଣିରେ ଭାସି ଯାଇଥିବା କାଳନ୍ଦା ଗ୍ରାମର ଶତ୍ରୁଘ୍ନ ବିନ୍ଧାଣିଙ୍କ ମୃତଦେହ ଆଜି ଉଦ୍ଧାର କରିଛି ଓଡ୍ରାଫ ଟିମ୍। ହାଟ ସାରି ଫେରିବା ସମୟରେ ସେ ବନ୍ୟା ପାଣିରେ ଭାସି ଯାଇଥିଲେ। ରାତି ସାରା ପରିବାର ପକ୍ଷରୁ ଖୋଜାଖୋଜି କରି ତାଙ୍କର କୌଣସି ଖବର ପାଇ ନଥିଲେ। ହେଲେ ଆଜି NDRF, ଅଗ୍ନିଶମ ଏବଂ ପୋଲିସ ପହଂଚି ୨୦ ଫୁଟ ଗଭୀର ନଦୀ ଭିତରୁ ଶବକୁ ଉଦ୍ଧାର କରିଥିଲେ। ସେହିପରି ଅନ୍ୟଜଣେ ବୃଦ୍ଧଙ୍କର ନଦୀ ଜଳରେ ଭାସିଯାଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ବସ୍ତା ବିଧାୟିକା ସୁବାଶିନୀ ଜେନା ପ୍ରଶାସନକୁ ଦୋଷ ଦେବାସହ ଦାୟିତ୍ୱରେ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ହଜାର ହଜାର ହେକ୍ଟର ଚାଷଜମି ବୁଡ଼ି ରହିଛି। ଏବେ ତଳା ପକାଇଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ସରକାରୀ ସହାୟତା କେବଳ ସମୁଦ୍ରକୁ ଶଙ୍ଖେ ବୋଲି ଅଭିଯୋଗ କରିଛନ୍ତି ଚାଷୀ। ସାତ ଦିନର ବ୍ୟବଧାନରେ ଦୁଇଥର ବନ୍ୟାକୁ ସାମ୍ନା କରିଥିବା ଉତ୍ତର ବାଲେଶ୍ୱରବାସୀ ଏବେ ଦୁର୍ଦ୍ଦିନରେ ଥିବା ଦେଖିବାକୁ ମିଳିଛି। ବନ୍ୟାରେ ଜିଲ୍ଲାର ୫୩ ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ୩୬୫୬ ଜଣଙ୍କୁ ପ୍ରଶାସନ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡିଥିଲା। ବନ୍ୟା ଜଳରେ ଭାସି ଯାଇ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇବା ସହ ଚାଷୀମାନଙ୍କ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବା ପାଇଁ ବସ୍ତା ବିଧାୟିକା ସୁବାଶିନୀ ଜେନା ଦାବି କରିଛନ୍ତି। ସେହିପରି ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିନୟ ଦାସ ମହାପାତ୍ରଙ୍କ ନେତୃତ୍ବରେ ଅନ୍ୟ ଏକ ଟିମ୍ ବନ୍ୟା ପରିସ୍ଥିତି ସମୟରେ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଏବଂ ଜଳବାହିତ ରୋଗ ରୋକିବା ପାଇଁ ନିୟୋଜିତ କରାଯାଇଛି। ଏହି ଟିମ୍ ମଧ୍ଯ ତୃଣମୂଳ ସ୍ତରରେ ଯେପରି ସୂଚନା-ଶିକ୍ଷା-ସଂଚାର ମାଧ୍ୟମରେ ଜନସଚେତନତା ସୃଷ୍ଟିକରାଯାଇ ପାରିବ ତାହା ସୁନିଶ୍ଚିତ କରୁଛନ୍ତି। ସାପକାମୁଡା ଜନିତ ଜନସଚେତନତା ଓ ଚିକିତ୍ସା ବିଷୟରେ ବିଶେଷ ଗୁରୁତ୍ବ ଦିଆଯାଉଛି। ସାପକାମୁଡ଼ା ଚିକିତ୍ସା ପାଇଁ ଆବଶ୍ୟକୀୟ ଔଷଧ, ORS, ହ୍ୟାଲୋଜେନ୍ ଟ୍ୟାବଲେଟ୍ ଆଦି ମହଜୁଦ ରଖୁବା ଉପରେ ଗୁରୁତ୍ବ ଦିଆଯାଉଛି।ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଜନସାଧାରଣଙ୍କ ନିରାପଦ ସ୍ବାସ୍ଥ୍ୟକୁ ସୁନିଶ୍ଚିତ କରିବା ପାଇଁ ସମନ୍ବିତ ଭାବରେ କାର୍ଯ୍ୟ କରୁଛି ଓ ସମସ୍ତ ପରିସ୍ଥିତି ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଭାଗୀୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି l