ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ସରି ସରି ଆସୁଛି ଶ୍ରୀଜିଉଙ୍କ ଲୀଳାଖେଳା । ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତାକାଲି ଆଡପ ମଣ୍ଡପରୁ ଧାଡି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ରଥ ଉପରକୁ ଆସି ଶ୍ରୀମନ୍ଦିର ସିଂହଦ୍ଵାର ଅଭିମୁଖେ ବାହୁଡିବେ । ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ନବମୀ ତିଥିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶେଷ ଦର୍ଶନ କରୁଛନ୍ତି ଭକ୍ତ । ଏଥିପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଆଧାରରେ ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆଡପ ମଣ୍ଡପରେ ଦର୍ଶନ କରିପାରିବେ ଭକ୍ତ । ଭିଡ ଓ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ କୁ ମଧ୍ୟ ସଂପ୍ରସାରଣ କରାଯାଇଛି ।
ସେପଟେ ଆସନ୍ତାକାଲି ବାହୁଡାଯାତ୍ରାର ସମସ୍ତ ନୀତିକାନ୍ତିକୁ ସଅଳ କରିବା ପାଇଁ ସଂଧ୍ୟା ୬ଟାରୁ ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା ବନ୍ଦ କରାଯାଇ ମହାପ୍ରଭୁଙ୍କ ନୀତିକାନ୍ତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଜି ବିଳମ୍ବିତ ରାତିରେ ଦଇତାପତି ସେବାୟତଙ୍କ ଦ୍ବାରା ଶ୍ରୀମୁଖ ଖଣ୍ଡୁଆ,ବାହୁଟକଣ୍ଟ, କୁସୁମିଲାଗି କରାଯିବା ସହ କୋଠସୁଆଁସିଆ ସେବାୟତଙ୍କ ଦ୍ୱାରା ଚାରମାଳ ବନ୍ଧା ଯିବ ।