ଧାରା ‘୩୭୦’ ଉଚ୍ଛେଦକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ଆସିଲା ବହୁ ପ୍ରତୀକ୍ଷିତ ଧାରା ୩୭୦ ଉଛେଦ ସମ୍ପର୍କିତ ସୁପ୍ରିମ୍ ରାୟ। ଧାରା ‘୩୭୦’ ଉଚ୍ଛେଦକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ। ଜମ୍ମୁକଶ୍ମୀର ଭାରତର ଅଭିନ୍ନ ଅଙ୍ଗ କହି ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା ବୋଲି କହିଛନ୍ତି ସିଜେଆଇ। ଧାରା ୩୭୦ ଉଛେଦ ନିଷ୍ପତ୍ତିକୁ କାୟମ ରଖିବା ପରେ ଏହି ଧାରା ଏବେ ଇତିହାସ ପାଲଟିଯିବା ସହ ଆଜିର ନିର୍ଣ୍ଣୟ ବି ଐତିହାସିକ ହୋଇଗଲା । ଜମ୍ମୁକଶ୍ମୀରରେ ଭାରତର ସମ୍ୱିଧାନ ଚାଲିବ। ରାଷ୍ଟ୍ରପତିଙ୍କ ନିଷ୍ପତ୍ତିରେ କୌଣସି ଭୁଲ୍ ନଥିଲା। ଏହା ସହ ଜମ୍ମୁକଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ସହ ସେପ୍ଟେମ୍ୱର ୩୦, ୨୦୨୪ ସୁଦ୍ଧା ନିର୍ବାଚନ କରାଇବାକୁ ନିର୍ବାଚନ କମିଶନଙ୍କୁ ନିର୍ଦେଶ ଦେଇଛନ୍ତି ଅଦାଲତ। କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଉଛେଦ କରିଥିବା ଧାରା ୩୭୦ର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଚ୍ୟାଲେଞ୍ଜର ରାୟ ପ୍ରକାଶ ପାଇଛି। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହାର ରାୟ ପ୍ରକାଶ କରିଛନ୍ତି। ପ୍ରଥମେ ପ୍ରଧାନ ବିଚାରପତି ରାୟ ନେଇ ସୂଚନା ରଖିଥିଲେ। ଜମ୍ମୁ କଶ୍ମୀରରେ ଡିସେମ୍ୱର ୨୦୧୮ରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ଏହା ପରବର୍ତ୍ତୀ ସମୟରେ ବୈଧ ଥିଲା କି ନାହିଁ। କେନ୍ଦ୍ର ସରକାରଙ୍କ ଦ୍ୱାରା ଭାରତରେ ମିଶ୍ରଣ ପରେ ଜମ୍ମୁକଶ୍ମୀରର ଆଭ୍ୟନ୍ତରୀଣ ସାର୍ବଭୌମତ୍ୱ ନଥିଲା। ସମ୍ୱିଧାନର ଧାରା ୧ ସ୍ପଷ୍ଟ କରୁଛି ଯେ, ଜମ୍ମୁକଶ୍ମୀର ରାଜ୍ୟ ହେବା ଦିନଠୁ ଏହା ଭାରତର ଅବିଛେଦ୍ୟ ଅଙ୍ଗ ପାଲଟିସାରିଛି। ଅନୁଛେଦ ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା। ଭାରତରେ ମିଶ୍ରଣ ଲାଗି କେବଳ ଏହି ଧାରା ଉଦ୍ଦିଷ୍ଟ ଥିଲା। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ ବୋଲି କହିଛନ୍ତି ପ୍ରଧାନ ବିଚାରପତି। ଜମ୍ମୁ କଶ୍ମୀରରେ ଭାରତର ସମ୍ୱିଧାନ ଚାଲିବ। ଭାରତର ସମ୍ୱିଧାନ ଜମ୍ମୁ କଶ୍ମୀରରୁ ଉର୍ଦ୍ଧ୍ୱରେ। ରାଷ୍ଟ୍ରପତି ଶାସନ ଜାରି କରିବା ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା ବୋଲି ସ୍ପଷ୍ଟ କରିଛନ୍ତି ସିଜେଆଇ। ସେଥିଲାଗି ଧାରା ୩୭୦ ଉଛେଦ ଆଇନତଃ ଠିକ୍। ରାଷ୍ଟ୍ରପତିଙ୍କ ନିଷ୍ପତ୍ତିରେ କିଛି ଭୁଲ୍ ନଥିଲା।

 

ସୁପ୍ରିମକୋର୍ଟଙ୍କ ଏହି ବିଶେଷ ରାୟ ପରେ ଧାରା ୩୭୦ ଏବେ ଇତିହାସ ପାଲଟିଗଲା ପାଲଟିଲା। ସଂସଦ ଯେହେତୁ ଏହା ଉପରେ ମୋହର ଲଗାଇସାରିଛି, ସେଥିରେ ହସ୍ତକ୍ଷେପ କରିବେନି ବୋଲି କହିଛନ୍ତି କୋର୍ଟ। ତେବେ ଜମ୍ମୁକଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ। ଏହା ସହ ୨୦୨୪ ସେପ୍ଟେମ୍ୱର ୩୦ ସୁଦ୍ଧା ନିର୍ବାଚନ କରାଯାଉ ବୋଲି ନିର୍ବାଚନ କମିଶନଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ। ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣାକୁ ବଳବତ୍ତର ରଖିଲେ ସର୍ବୋଚ୍ଚ ଅଦାଲତ। ଜଷ୍ଟିସ୍ କାଉଲ କହିଥିଲେ, ୩୬୭ର ପ୍ରୟୋଗରେ ଧାରା ୩୭୦ର ସଂଶୋଧନ ପ୍ରକ୍ରିୟା ଅନୁସାରେ ହେବା ଆବଶ୍ୟକ। ସଂଶୋଧନ ବ୍ୟାକଡୋରରେ ଗ୍ରହଣୀୟ ନୁହେଁ। ଅନ୍ୟପଟେ ରାୟ ଆସିବା ପରେ ରାଜନୀତିକ ବୟାନବାଜି ବି ତେଜ୍ ଧରିଛି। ବିଜେପି ଏହାକୁ ସ୍ୱାଗତ କରିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି ରାୟ କେବଳ ଏକ ଆଇନଗତ ବିଚାର ନଥିଲା। ଅଧିକ ସୁଦୃଢ଼ ଓ ସଂଗଠିତ ଭାରତ ଗଠନ ସହ ବଡ଼ ଆଶା ଓ ଉଜ୍ୱଳ ଭବିଷ୍ୟତ ଗଠନରେ ସହାୟକ ସାଜିଲା। ଅମିତ ଶାହା କହିଛନ୍ତି, ମୋଦିଙ୍କ ଦୂରଦୃଷ୍ଟି ଲାଗି ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଛେଦ ପରେ ଶାନ୍ତି ଓ ସ୍ୱାଭାବିକ ସ୍ଥିତି ଫେରିବାରେ ଲାଗିଛି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ଏହା କେବଳ ମୋଦି ଓ ଶାହାଙ୍କ ଉଚିତ୍ ଓ ସମୟୋଚିତ ରଣନୀତି ଲାଗି ସାକାର ହେଲା। ଦେଶ ସଦା ଏହି ଦୁଇ ନେତାଙ୍କ ପାଖରେ ଋଣୀ ରହିବ। କୋର୍ଟର ସର୍ବ ସହମତ ନିଷ୍ପତ୍ତିକୁ ନେଇ ଡେମୋକ୍ରାଟିକ୍ ପ୍ରୋଗ୍ରୋସିଭ ଆଜାଦ୍ ପାର୍ଟି ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ୍ କହିଛନ୍ତି, ଏଭଳି ରାୟ ବ୍ୟଥିତ କରିଛି। ଶେଷ ଆଶା କ୍ଷୀଣ ହୋଇଗଲା। କଶ୍ମୀରବାସୀଙ୍କ ଭାବାବେଗକୁ ଆଘାତ ଲାଗିଛି। ଜମ୍ମୁକଶ୍ମୀରରେ ବାହାରର ଲୋକେ ନା ଜମି କିଣିପାରିବେ ନା ଚାକିରୀ କରିପାରିବେ, ଏ ନେଇ ଲାଗୁ ନିୟମକୁ ବି ୩୫-ଏକୁ ରଦ୍ଦ କରି ଧୂଳିସାତ୍ କରିଦିଆଗଲା। ରାଜ୍ୟର ଅର୍ଥନୀତିକୁ ପ୍ରଭାବିତ କରିବ। ଧାରା ୩୭୦ ଉଛେଦ ନିଷ୍ପତ୍ତି ଭୁଲ୍ ଥିଲା। ବିନା ଲୋକଙ୍କ ପରାମର୍ଶରେ ଏକପାଖିଆ ନିଷ୍ପତ୍ତି ଲଦିଦିଆଯାଇଥିଲା। କଂଗ୍ରେସ ମଧ୍ୟ ସ୍ୱାଗତ କରିଥିବାବେଳେ ନ୍ୟାୟିକ ଦୃଷ୍ଟିକୋଣରୁ ଉଛେଦକୁ ବୈଧ କହିଛନ୍ତି କୋର୍ଟ। ତୁରନ୍ତ ରାଜ୍ୟ ମାନ୍ୟତା ଫେରେଇବା ଦିଗରେ ପ୍ରଧାନମନ୍ତ୍ରୀ ପଦକ୍ଷେପ ନିଅନ୍ତୁ। ଲୋକଙ୍କୁ ନିର୍ବାଚିତ ପ୍ରତିନିଧି ଚୟନର ମୌଳିକ ଅଧିକାର ଦିଅନ୍ତୁ। ଏହି ନିଷ୍ପତ୍ତି ଅନେକଙ୍କୁ ଭଲ ଲାଗିନପାରେ। କିନ୍ତୁ କଶ୍ମୀରବାସୀ ଏହାକୁ ସ୍ୱାଗତ କରି ଦଳ ଗୁଡ଼ିକ ନିର୍ବାଚନ ଲାଗି ପ୍ରସ୍ତୁତିରେ ଲାଗିପଡ଼ନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମହାରାଜା ହରି ସିଂଙ୍କ ପୁଅ। ଏନସି ନେତା ଓମାର୍ ଅବଦୁଲ୍ଲା କହିଛନ୍ତି, ଏଭଳି ରାୟ ବ୍ୟଥିତ କଲା। ତା ସତ୍ତ୍ୱେ ସଂଘର୍ଷ ଜାରି ରହିବ। ଶିବସେନା(ୟୁବିଟି) କହିଛି, ହିନ୍ଦୁଙ୍କ ଥଇଥାନ, ଆତଙ୍କବାଦର ବିଲୋପ, ଜମ୍ମୁକଶ୍ମୀର ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ନେଇ ଏବେ ବି ଅନେକ କଥା ଅସ୍ପଷ୍ଟ l

LEAVE A REPLY

Please enter your comment!
Please enter your name here