ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସ୍ବଦେଶୀ ଜାଗରଣ ମଞ୍ଚ ତରଫରୁ ‘ସ୍ଵଦେଶୀ ଦିବସ’ ସ୍ଥାନୀୟ ଟାଉନ ହଲ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚର ପୂର୍ବତନ ଅଖିଳ ଭାରତୀୟ ସହ ସଂଯୋଜକ ସରୋଜ କୁମାର ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାଲେପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଅକ୍ଷୟ କୁମାର ଦାସ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରାନ୍ତ ସମ୍ପର୍କ ପ୍ରମୁଖ ତଥା ମଞ୍ଚର ପୂର୍ବତନ ପ୍ରାନ୍ତ ସଂଯୋଜକ ସର୍ବେଶ୍ଵର ବେହେରାଙ୍କ ଅଧ୍ୟକ୍ଷତାରେ ସଭା ପ୍ରାରମ୍ଭରେ ମଞ୍ଚର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶୁଭାଶିଷ ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସୁଦେଶୀ ଦିବସ ବିଷୟରେ ଆଲୋକପାତ କରିଥିଲେ । ଭାରତୀୟ ମଜଦୁର ସଂଘର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ କୁମାର ସାହୁ ମଞ୍ଚର ପ୍ରତିଷ୍ଠାତା ତଥା ରାଷ୍ଟ୍ରରଷି ଦତ୍ତୋପନ୍ତ ଠେଙ୍ଗଡିଙ୍କ ଜୀବନଦର୍ଶନ ଓ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସମସ୍ତ ବୁଦ୍ଧିଜୀବୀମାନଙ୍କ ଉପସ୍ଥିତିରେ “ ଦତ୍ତୋପନ୍ତ ଡେଙ୍ଗଡୀ ବିଚାର ମଞ୍ଚ” ଉଦଘାଟନ କରାଯାଇଥିଲା । ଶ୍ରୀଯୁକ୍ତ ମିତ୍ରଙ୍କ ପରାମର୍ଶରେ ଏହି ନୂତନ ମଞ୍ଚ ଆଗାମୀ ଦିନରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ରାଷ୍ଟ୍ରୀୟ ସ୍ତରରେ କାର୍ଯ୍ୟ କରିବା ପାଇଁ ଯୋଜନା କରାଯାଇଥିଲା ।