ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ) ; ବିଜେଡ଼ି ସରକାରରେ ମଦର ଭୂ-ସ୍ୱର୍ଗ ପାଲଟିଛି ଓଡ଼ିଶା । ରାଜ୍ୟ ସରକାରଙ୍କ ଅନୁକମ୍ପାରେ “ସାହୁ ବ୍ରଦର୍ସ ଆଣ୍ଡ କୋ” ଠୁଳ କରିଛି ୫୦୦ କୋଟିର ନଗଦ କଳା ଟଙ୍କା । ବିଜୁ ଜନତା ଦଳର ଭ୍ରଷ୍ଟ ଶାସନରେ ଓଡ଼ିଶା ଆଜି ନିନ୍ଦିତ ହୋଇଛି । ଏଭଳି କରି ଅଭିଯୋଗ କରି ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ସ୍ଥାନୀୟ କମାପଲ୍ଲୀ ଛକ ଠାରେ ବିଜେଡ଼ି ସରକାରର ମଦ ଦୁର୍ନିତୀ ଓ ଗଚ୍ଛିତ ବିପୁଳ କଳା ଟଙ୍କା ବିରୋଧରେ “ପ୍ରତିବାଦ ଜଣାଇ ବିକ୍ଷୋଭ” ପ୍ରଦର୍ଶନ କରାଯାଇଥିଲା । ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେପିର ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇ କଂଗ୍ରେସ ଏବଂ ବିଜେଡ଼ିର ଦୁର୍ନିତୀ ଓ ଭ୍ରଷ୍ଟାଚାର ଶାସନ ବିରୁଦ୍ଧରେ ବର୍ଷିଥିଲେ । ଯେଉଁଭଳି ଭାବରେ ଓଡ଼ିଶାରେ ବିଜୁ ଜନତା ଦଳ ସରକାରର ପ୍ରୋତ୍ସାହନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ବେଶ୍ ଘନିଷ୍ଠ ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧିରଜ ସାହୁଙ୍କ ଦ୍ୱାରା ଚାଲିଥିବା ମଦ ବ୍ୟବସାୟ ଉପରେ ଆୟକର ବିଭାଗ ଚଢ଼ାଉ କରି ୫୦୦ କୋଟିରୁ ଉର୍ଦ୍ଧ ବିପୁଳ ପରିମାଣର ନଗଦ କଳା ଟଙ୍କା ଜବତ କରିଛି ତାହା ଓଡ଼ିଶା ସମେତ ସାରା ଦେଶକୁ ଆଜି ବିଚଳିତ କରିଛି । ବିଜେଡ଼ି ସରକାରର ବିନା ପ୍ରୋତ୍ସାହନରେ କ’ଣ କେହି ୫୦୦ କୋଟିର ନଗଦ କଳା ଟଙ୍କା ନିର୍ଭୟରେ ଜମା ରଖିପାରିବ କି ବୋଲି ବିଜେପି ପ୍ରଶ୍ନ କରିଛନ୍ତି । ଏହା ପଛରେ ବିଜୁ ଜନତା ଦଳ ସରକାରର ଅଭୟ ସୁରକ୍ଷା ରହିଆସିଛି ବୋଲି ବିଜେପି ନେତୃବୃନ୍ଦ କହିଛନ୍ତି । ଯଦି କେନ୍ଦ୍ରୀୟ ଏଜେନ୍ସି ଏହାର ଖବର ପାଇପାରିଲା ଓଡ଼ିଶା ପୁଲିସ, ଗୋଇନ୍ଦା ଓ ଅର୍ଥନୈତିକ ଅପରାଧ ଶାଖା କିଭଳି ଜାଣିପାରୁନଥିଲେ ବୋଲି ବିଜେପି ନେତୃବୃନ୍ଦ ପ୍ରଶ୍ନ କରିଛନ୍ତି । “ସାହୁ ବ୍ରଦର୍ସ ଆଣ୍ଡ କୋ”ଙ୍କ ସମେତ ମଦ ମାଫିଆ ମାନଙ୍କର ଯେଉଁ ଭଳି ଭାବରେ ଓଡ଼ିଶାରେ କଳା ଟଙ୍କାର ବେପାର ବଢ଼ିଛି ତା’ପଛରେ ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଅବକାରୀ ନୀତି ଦାୟୀ ବୋଲି କହିଛି ବିଜେପି । କେବଳ ସେତିକି ନୁହେଁ ମଦ ମାଫିଆଙ୍କ ସ୍ୱାର୍ଥରେ ଦୀର୍ଘ ୨୩ ବର୍ଷ ହେଲା ଦେଶୀ ମଦ ଭାଟିର ଟେଣ୍ଡର କରାନଯାଇ ବିଜେଡ଼ିର ମୁଷ୍ଟିମେୟ ଲୋକଙ୍କୁ ଲାଇସେନ୍ସ ପ୍ରଦାନ କରି ଓଡ଼ିଶାରେ ଦେଶୀ, ବିଦେଶୀ ମଦର ବନ୍ୟା ସୃଷ୍ଟି କରି ଓଡ଼ିଆଙ୍କୁ ଲୁଟୁଛନ୍ତି ରାଜ୍ୟ ସରକାର କହିଛି ବିଜେପି । ଦୁର୍ନିତୀର କଳା ଟଙ୍କାକୁ ଗୋଟି ଗୋଟି କରି ଅସୁଲ କରାଯିବ, ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି ବୋଲି ବିଜେପି ନେତୃବୃନ୍ଦ କହିଛନ୍ତି । ବିଜେପି କାର୍ଯ୍ୟକର୍ତ୍ତା ମାନେ ପ୍ରତିବାଦ ଜଣାଇ ଆନ୍ଦୋଳନ କରିବା ସହ ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କିଛି ବିଜେଡ଼ି ନେତାଙ୍କ ବେଶ୍ ଘନିଷ୍ଠ କଂଗ୍ରେସ ସାଂସଦ ଧିରଜ ସାହୁଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।