ବ୍ରହ୍ମପୁର (ବିପ୍ଲବୀ ପରିକ୍ରମା ):- ଚଳିତ ବର୍ଷ ୨୦୨୩ ବିଦାୟ ଦେବା ଅବସରରେ ଓଡିଶାର ବିଭିନ୍ନ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଆୟୋଜନ କରୁଅଛି ବିଭିନ୍ନ ମହୋତ୍ସବ । କଟକର ବାଲିଯାତ୍ରା ଠାରୁ ଆରମ୍ଭ କରି ସୁଦୂର ମାଲକାନଗିରି ର ମାଲ୍ୟବନ୍ତ ମହୋତ୍ସବ ସବୁଠାରେ ପ୍ରଶାସନ ତତ୍ପରତାର ସହିତ ଉତ୍ସବ ଗୁଡିକୁ ପାଳନ କରି ଆସୁଅଛି । ତେବେ ମୁଖ୍ୟମନ୍ତ୍ରୀ ଙ୍କ ନିଜ ନିର୍ବାଚନ ମଣ୍ଡଳୀ ତଥା କଳା ସଂସ୍କୃତିର ଏନ୍ତୁଡିଶାଳ କୁହାଯାଉଥିବା ଗଂଜାମ ଜିଲ୍ଲା ପ୍ରତି ଚଳିତ ବର୍ଷ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ପ୍ରତି ବର୍ଷ ଆୟୋଜିତ ହେଉଥିବା ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନଥିବା କାରଣରୁ କଳାକାର ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କଳାସଂସ୍କୃତି ଓ ପର୍ଯ୍ୟଟନ ର ବିକାଶ ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ତେବେ ବେଳାଭୂମୀ ମହୋତ୍ସବ ପାଇଁ ଚଳିତ ବର୍ଷ ଗଂଜାମ ଜିଲ୍ଲା ପ୍ରଶାସନର ନିରବତା ଗଂଜାମବାସୀ, କଳାପ୍ରେମୀ , ସଂସ୍କୃତି ପ୍ରେମୀଙ୍କ ପାଇଁ ନିରାଶା ଆଣିଥିବା ଆଲୋଚନା ହେଉଛି ।
ଗୋପାଳପୁର ବେଳାଭୂମୀ ମହୋତ୍ସବ ଦ୍ବାରା ସ୍ଥାନୀୟ ବ୍ୟବସାୟୀ ସହିତ ରାଜ୍ୟ ବାହାରୁ ଆସୁଥିବା ବ୍ୟବସାୟୀ ବେଶ ଦୁଇ ପଇସା ରୋଜଗାର କରୁଥିଲେ । ଏହାସହିତ ମିଶନ ଶକ୍ତି ଅନ୍ତର୍ଗତ ଅନେକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରୟ ଓ ଅର୍ଥ ଉପାର୍ଜନ ର ମାଧ୍ୟମ ପାଲଟିଥିଲା । ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ମଧ୍ୟରେ କଳା ଓ ଭାବର ଆଦାନ ପ୍ରଦାନ ଏକ ମାଧ୍ୟମ ମଧ୍ୟ ପାଲଟି ଥିଲା । ଜିଲ୍ଲା ସମେତ ପଡୋଶୀ ରାଜ୍ୟ ଓ ଦେଶ ବିଦେଶର ପର୍ଯ୍ୟଟକ ଙ୍କ ଭିଡ ଜମିବା ସହିତ ସ୍ଥାନୀୟ ହୋଟେଲ ଶିଳ୍ପ ର ମଧ୍ୟ ଅଭିବୃଦ୍ଧି ଘଟୁଥିଲା । ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ର ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ ପାଇଁ ନିରବତା ଜନସାଧାରଣଙ୍କ ମନରେ ନିରାଶା ଖେଳାଇ ଦେଇଛି ।
କଳାସଂସ୍କୃତିର ଜିଲ୍ଲା ଗଂଜାମ ଜିଲ୍ଲାର ବିଭିନ୍ନ କଳାକାରଙ୍କ ଅନୁରୋଧକୁ ଦୃଷ୍ଟି ରେ ରଖି ଗ୍ରେଟର ବ୍ରହ୍ମପୁର ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ କରିବାକୁ ଅଣ୍ଟାଭିଡିଛି ମହାନଗର ସାଂସ୍କୃତିକ ପରିଷଦ,ବ୍ରହୁପୁର । ଗୋପାଳପୁର ବେଳାଭୂମି ରେ ୨୪ ଡିସେମ୍ବରରୁ ୨୮ ତାରିଖ ପର୍ଯ୍ୟନ୍ତ ଗ୍ରେଟର ବ୍ରହ୍ମପୁର ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ କରିବ । ଚଳିତ ଡିସେମ୍ବର ୨୪ ଠାରୁ ୨୮ ତାରିଖ ଦୀର୍ଘ ୫ଦିନ ଧରି ଏହି ଉତ୍ସବରେ ଜିଲ୍ଲା କଳାକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କୁ ଆମନ୍ତ୍ରଣ ପାଇଁ ଯୋଜନା ରହିଛି । ଏହାସହିତ ବିଚ ଫୁଟବଲ,ନୌଚାଳନା,ବୋଟିଂ, ଘୁଡ ସବାର ଠାରୁ ଆରମ୍ଭ କରି ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀ ଙ୍କୁ ନେଇ ବିଭିନ୍ନ ଷ୍ଟଲ୍ , ମିଶନ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ କୁ ବିକ୍ରୟ ପାଇଁ ସ୍ବତନ୍ତ୍ର ଷ୍ଟଲ ନିର୍ମାଣ ପାଇଁ ଯୋଜନା ରହିଛି । ପର୍ଯ୍ୟଟନ ର ବିକାଶ , ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ସଂଧ୍ୟାରେ ବେଳାଭୂମି ରେ ଆୟୋଜିତ ସାସ୍କୃତିକ କାର୍ଯ୍ୟକ୍ରମ ରେ ସ୍ଥାନୀୟ କଳାକାରଙ୍କ ନୃତ୍ୟ ଗୀତ ସମେତ ସିନେ କଳାକାର , ହିନ୍ଦୀ ସିନେମା ଜଗତର ନାମିଦାମୀ ସଂଗୀତକାର ଙ୍କୁ ମଧ୍ୟ ଆମନ୍ତ୍ରଣ ପାଇଁ ଯୋଜନା ରହିଛି ।