ଗଜପତି ( ବିପ୍ଲବୀ ପରିକ୍ରମା ):- ଗ୍ରାମାଞ୍ଚଳ ରେ ପାନୀୟ ଜଳ ଯୋଗାଣ ଯୋଗାଇବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଅଟକଳରେ ନିର୍ମିତ କରାଯାଉଛି ଜଳଯୋଗାଣ ପ୍ରକଳ୍ପ l ହେଲେ ଯୋଜନା ସଠିକ କାର୍ଯ୍ୟକାରୀ ନ ହୋଇପାରୁଥିବାରୁ ଲୋକେ ବର୍ଷ ବର୍ଷ ଧରି ପାଣି ପାଇଁ କରୁଛନ୍ତି ସଙ୍ଘର୍ଷ l ଏଠି ହାଣ୍ଡିଏ ପାଣି ପାଇଁ ଲାଗୁଛି ଲମ୍ବା ଧାଡି l
ସକାଳୁ ହେଲେ ଏଠି ଲୋକଙ୍କୁ ଘରେ ପାଣି ଚିନ୍ତା l ହାତରେ ହାଣ୍ଡି, ଡେକେଚି ଧରି ଗାଁ ରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ଘାଟି ପାହାଡିଆ ପଥୁରିଆ ରାସ୍ତା ତଳେ ଥିବା ଏକ ନାଳରୁ ପାଣି ସଂଗ୍ରହ କରିବାକୁ ବାହାରି ପଡନ୍ତି ମହିଳା l ଗାଁରେ ITDA ତରଫରୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି ସତ, ହେଲେ ଧର୍ମକୁ ଆଖିଠାର ଦେଲାଭଳି ସେହି ପାଇପରେ ପାଣି ଆସୁଛି ଅତି କମ l ଯାହାକି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲେ ଭର୍ତ୍ତି ହୁଏ ହାଣ୍ଡିଏ ପାଣି l
ଗଜପତି ଜିଲ୍ଲା ବଡ଼ଗାଁ ରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ l ସ୍ୱାଧୀନତାର ସାତ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ଆଜି ବି ଏମାନେ ଜଳ କଷ୍ଟ ଭୋଗୁଛନ୍ତି l ବର୍ଷା ଓ ଶୀତ ଦିନ ମାନଙ୍କରେ ବି ଜଳ କଷ୍ଟ ଭୋଗୁଥିବା ବେଳେ ଖରା ଦିନ ଆସିଲେ ଏମାନଙ୍କ କଥା ସରିଲା l ଭାଗ୍ୟକୁ ଆଦରି ବଞ୍ଚିଛନ୍ତି ଏହି ବଡଗାଁ ଗ୍ରାମବାସୀ l ସରକାର ପ୍ରତ୍ୟକ ଗ୍ରାମାଞ୍ଚଳର ଲୋକ ଯେପରି ସ୍ୱଚ୍ଛ ପାନୀୟ ଜଳ ଯୋଗାଣର ସୁବିଧା ପାଇପାରିବେ ସେଥିଲାଗି ବସୁଧା ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ପ୍ରଶାସନିକ ବାବୁ ମାନଙ୍କ ଖାମଖିଆଲି ନିତି ଯୋଗୁଁ ଆଜି ଏ ଯୋଜନା ଲୋକଙ୍କ ପାଖରେ ପହଂଚିବା ସାତ ସପନ ସଦୃଶ l
ଦେଖନ୍ତୁ ଏହି ଚିତ୍ରକୁ ଭଲ ଭାବରେ କିପରି ମହିଳାମାନେ ପାହାଡ଼ ଚଢି ପାଣି ଆଣୁଛନ୍ତି l ହଁ ଆଜ୍ଞା ଆପଣ ବି ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ ଆଉ ଭାବିବେ ଆଜିର ଏଇ ଡିଜିଟାଲ ଯୁଗରେ ବି ଲୋକେ ଏମିତି ଦୟନୀୟ ଅବସ୍ଥାରେ କାଳାତିପାତି କରୁଛନ୍ତି l ଗୋଟିଏ ପଟେ ଗ୍ରାମବାସୀ ପିଇବା ପାଣି ପାଇଁ ବର୍ଷସାରା ହଇରାଣ ହରକତ ହେଉଥିବାବେଳେ ଅନ୍ୟପଟେ ପାହାଡ଼ ଓ ଜଙ୍ଗଲ ଘେରା ମଧ୍ୟରେ ବଡ଼ଗାଁ ରହିଥିବା ହେତୁ ବନ୍ୟ ହିଂସ୍ର ଜନ୍ତୁଙ୍କ ଆତଙ୍କ ନେଇ ସ୍ତ୍ରୀ ଲୋକମାନେ ପାଣି ପାଇଁ ଯିବା ସମୟରେ ପରିବାରର ପୁରୁଷ ମାନେ ହାତରେ ଠେଙ୍ଗାବାଡି ଧରି ତାଙ୍କୁ ସୁରକ୍ଷା ଦେଇଥାନ୍ତି l
ଅନ୍ୟପଟେ ଏହି ବଡ଼ଗାଁରେ ବର୍ଷ ବର୍ଷ ଧରି ଜଳ ସଙ୍କଟ ହେଉଥିବା ଯୋଗୁଁ ପଞ୍ଚାୟତ , ବ୍ଲକ ପ୍ରଶାସନ ଓ ଜନପ୍ରତିନିଧି ମାନଙ୍କୁ ଅନେକ ଥର ଗୁହାରି କରିଥିଲେ ମଧ୍ୟ କେହି ଏ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ସେପଟେ ବଡ଼ଗାଁ ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ତା ନ କଲେ ଆଗାମୀ ଦିନରେ ରା.ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଅନିଦ୍ଦିଷ୍ଟ କାଳ ଯାଏଁ ଧାରଣା ଦେବୁ ବୋଲି କହିଛନ୍ତି ଗ୍ରାମବାସୀ l ଅନ୍ୟପଟେ ରା.ଉଦୟଗିରି ବିଡ଼ିଓ ଲରେମନ ଖରସେଲଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ମୁଁ ସେ ଗ୍ରାମ ପରିଦର୍ଶନ କରିବି ଏବଂ କଣ ସମସ୍ୟା ରହିଛି ତାହାର ସମାଧାନ ଦିଗରେ ଚେଷ୍ଟା କରିବି ବୋଲି କହିଥିଲେ l