ଏଟିଏମ୍‌ରୁ ବାହାରିବ ଚାଉଳ ଓ ଗହମ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଏଣିକି ରାସନ ପାଇଁ ଆଉ ଲାଗିବନି ଲମ୍ବା ଲାଇନ । ଏଟିଏମ୍‌ରୁ ବାହାରିବ ଚାଉଳ ଓ ଗହମ । ଖାଉଟିଙ୍କୁ ମିଳିବ ବଡ଼ ଆଶ୍ବସ୍ତି । କଣ ବିଶ୍ୱାସ ହେଉନି କି ? ହଁ ଆଜ୍ଞା ଏଣିକି ୨୪ ଘଣ୍ଟିଆ ମିଳିବ ରାସନ । ଟିପ ଚିହ୍ନରେ ବାୟୋମେଟ୍ରିକ ଯାଞ୍ଚ ପରେ ଟଙ୍କା ଭଳି ଏବେ ବାହାରିବ ଚାଉଳ କିମ୍ବା ଗହମ । କଣ୍ଟ୍ରୋଲ ଦୋକାନରେ ଆଉ ଦେବାକୁ ପଡ଼ିବନି ଲମ୍ବା ଧାଡି,କାରଣ ପ୍ରଥମ ଗ୍ରେନ ଏଟିଏମ (‘Grain ATM’) ସ୍ଥାପନ କରିବେ ରାଜ୍ୟ ସରକାର। ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀର ମଂଚେଶ୍ୱରରେ ଏହି ଏଟିଏମ ଖୋଲିବାକୁ ଥିବାବେଳେ ଏହା ହେବ ରାଜ୍ୟର ପ୍ରଥମ ଗ୍ରେନ ଏଟିଏମ । ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସ୍ଥାନ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିବାବେଳେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି)ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମିଳିତ ସହଯୋଗରେ ଏହି ଏଟିଏମ ପ୍ରତିଷ୍ଠା କରାଯିବ । ଏହି ଏଟିଏମ ବସିବା ଫଳରେ ରାଶନକାର୍ଡଧାରୀମାନେ ଆଉ କଣ୍ଟ୍ରୋଲ ଦୋକାନ ଆଗରେ ଲମ୍ବା ଲାଇନ ଲଗାଇ ଛିଡ଼ା ହେବେ ନାହିଁ । ଲୋକମାନେ ଟିପ ଚିହ୍ନରେ ବାୟୋମେଟ୍ରିକ ଯାଞ୍ଚ କରିବା ପରେ ଏଟିଏମରୁ ଟଙ୍କା ଭଳି ବାହାରିବ ଚାଉଳ କିମ୍ବା ଗହମ ।

ଦେଶରେ ପ୍ରଥମେ ହରିୟାଣାରେ ଏହି ସେବା ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ହାତ ଗଣତି ରାଜ୍ୟରେ ଏହି ସେବା ଜାରି ରହିଛି । ରାଜ୍ୟରେ ଏହି ସେବା କାର୍ଯ୍ୟକାରୀ ହେଲେ ପିଡ଼ିଏସ(ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ)ରେ ଥିବା ହିତାଧିକାରୀମାନେ ଉପକୃତ ହେବା ସହିତ ଜଣେ ରାସନ କାର୍ଡ ହିତାଧିକାରୀ ନିଜ ସୁବିଧାରେ ଏହି ଏଟିଏମରୁ ରାସନ ପାଇପାରିବେ । ଏଟିଏମ ସ୍ଥାପନ ପାଇଁ ଡବ୍ଲ୍ୟୁଏଫପି ସମସ୍ତ ପ୍ରକାରର ସହଯୋଗ ପ୍ରଦାନ କରିବ ମାତ୍ର ଏହି ସୁବିଧା ପାଇବାକୁ ହେଲେ ଜଣେ ହିତାଧିକାରୀଙ୍କୁ ପ୍ରଥମେ ଉକ୍ତ ମେଶିନରେ ବାୟୋମେଟ୍ରିକ, ରାଶନ କାର୍ଡ, ଆଧାର କାର୍ଡ ଦେବାକୁ ପଡ଼ିବ । ତେବେ ଏହି ମେଶିନରେ ଇଂରାଜୀ ବଦଳରେ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ ଗ୍ରାହକ ସୂଚନା ପାଇବା ସହିତ ଏଟିଏମରେ ୨୪ ଘଣ୍ଟିଆ ଚାଉଳ / ଗହମ ଉପଲବ୍ଧ ହେବ । ଭୁବନେଶ୍ୱର ମହାନଗର ନିଗମ (ବିଏମସି)ଅଧୀନରେ ବର୍ତମାନ ୧ ଲକ୍ଷରୁ ଅଧିକ ହିତାଧିକାରୀ ରହିଥିବାବେଳେ ପ୍ରତି ମାସରେ ୭ ଲକ୍ଷ କି.ଗ୍ରା.ଚାଉଳ ବଣ୍ଟନ କରାଯାଉଛି । ସ୍ଥାନ ଚିହ୍ନଟ ସହିତ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ରହିଥିବାବେଳେ ରସୁଲଗଡ଼,ଭିଏସଏସ ନଗର,ପଳାଶୁଣୀ ଓ ଜିଜିପି କଲୋନୀ ବାସୀ ଏହାଦ୍ୱାରା ବହୁଳ ମାତ୍ରାରେ ଉପକୃତ ହେବେ । ଏହି ଏଟିଏମର ସଫଳତା ପରେ ରାଜ୍ୟର ଅନ୍ୟ ସ୍ଥାନରେ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ଏଟିଏମ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି l

LEAVE A REPLY

Please enter your comment!
Please enter your name here