ଗୃହରୁ ୧୪ ସାଂସଦଙ୍କ ନିଲମ୍ୱନ ଝଡ଼ ଥମୁନି

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସଂସଦ ସୁରକ୍ଷା ତ୍ରୁଟି ସନ୍ଦର୍ଭରେ ପ୍ରଶ୍ନ ପଚାରି ଗୃହରୁ ୧୪ ସାଂସଦଙ୍କ ନିଲମ୍ୱନ ଝଡ଼ ଥମୁନି। ସଂସଦରେ ସୁରକ୍ଷା ଭଙ୍ଗ ପାଇଁ ସରକାରଙ୍କୁ ଦାୟୀ କରି ଗୃହରେ ଲଗାତାର ହଟ୍ଟଗୋଳ ଲାଗି ଏଭଳି ଆକ୍ସନ ହୋଇଛି। ତେବେ ପ୍ରଶ୍ନ ପଚାରିବା ବିରୋଧୀଙ୍କ କର୍ତ୍ତବ୍ୟ। ଏହାକୁ ରାଜନୀତିକରଣ କହି ଶାସକ ଦଳ ଯେଭଳି ଏକଛତ୍ରବାଦ ନୀତି ଆପଣାଇ ବିରୋଧୀଙ୍କ ସ୍ୱରକୁ ଚାପିବାକୁ ଉଦ୍ୟମ କରୁଛନ୍ତି, ତାହା ଗ୍ରହଣୀୟ ନୁହେଁ ବୋଲି ଚେତେଇ ଦେଇଛନ୍ତି ବିରୋଧୀ।

ଗୃହରେ ଗୃହ ମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ଅଡ଼ି ବସିଛନ୍ତି ବିରୋଧୀ। ନିଲମ୍ୱିତ ସାଂସଦ ସଂସଦ ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ପ୍ଲାକାର୍ଡ ଧରି ନୀରବ ପ୍ରତିବାଦ କରିଥିଲେ। ଯଦି ସୁରକ୍ଷାକୁ ନେଇ ବିରୋଧୀ ପଚାରିବେ ଓ ସେମାନଙ୍କୁ ନିଲମ୍ୱିତ କରିଦେବେ। ତା ହେଲେ ଲୋକତନ୍ତ୍ର କେଉଁଠି ରହିଲା। ଗୃହକୁ ବିରୋଧୀ ଆସି କରିବେ କଅଣ। କେବଳ ଏକ ବିବୃତ୍ତି ଦାବି ସହ ଚର୍ଚ୍ଚା ଲୋଡ଼ୁଛନ୍ତି ବିରୋଧୀ। ପ୍ରଧାନମନ୍ତ୍ରୀ ନଚେତ୍ ଗୃହମନ୍ତ୍ରୀ ସଂସଦକୁ ଆସି ସୁରକ୍ଷା ସନ୍ଦର୍ଭରେ ବିବୃତ୍ତି ରଖନ୍ତୁ। ବିରୋଧୀ ପଚାରିଲେ ଏହାକୁ ରାଜନୀତିକରଣ କହି ଏଡ଼ାଇଯିବା କେତେଦୂର ଯୁକ୍ତିଯୁକ୍ତ। ଦେଶରେ କୌଣସି ପ୍ରକାର ସୁରକ୍ଷା ତ୍ରୁଟିରେ ସରକାର ହିଁ ଉତ୍ତରଦାୟୀ ବୋଲି କହିଛନ୍ତି ବିରୋଧୀ ।

ଆଜି ଲୋକସଭା ଓ ରାଜ୍ୟସଭା ଆରମ୍ଭ ମାତ୍ରେ ସୁରକ୍ଷା ତ୍ରୁଟି ସମ୍ପର୍କରେ ହଟ୍ଟଗୋଳ କରିଥିଲେ ବିରୋଧୀ। ଯାହାକୁ ନେଇ ଅପରାହ୍ନ ୨ଟା ଯାଏ ଗୃହ ମୁଲତବୀ ହୋଇଥିଲା। ଲୋକସଭାରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ ବିରୋଧୀ। ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଯେଉଁ ନିର୍ଦେଶ ଦେଇଛନ୍ତି, ତାକୁ ସରକାର ଅନୁପାଳନ କରୁଛନ୍ତି। ବିରୋଧୀ ଗୃହରେ ହଟ୍ଟଗୋଳ କରି ଗୃହକୁ ଅଚଳ କରିବା କେତେଦୂର ଯୁକ୍ତିଯୁକ୍ତ। ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। ବିରୋଧୀ ଉତ୍ତରଦାୟିତ୍ୱର ସହ ନିଜ କର୍ତ୍ତବ୍ୟ ନିର୍ବାହ କରନ୍ତୁ। ଏଭଳି ସମ୍ୱେଦନଶୀଳ ପ୍ରସଙ୍ଗରେ ଗୃହକୁ ଅଚଳ କରିବା ଉଚିତ ହେଉନି। ଗୃହର ସମସ୍ତ କାର୍ଯ୍ୟକୁ ବାତିଲ୍ କରି ରୁଲ୍ସ ୨୬୭ ଆଧାରରେ ଆଲୋଚନା ଲାଗି ବିରୋଧୀଙ୍କ ପକ୍ଷରୁ ମିଳିଥିବା ୨୩ ନୋଟିସକୁ ଅଗ୍ରାହ୍ୟ କରିଦେଇଥିଲେ ରାଜ୍ୟସଭା ଅଧ୍ୟକ୍ଷ। ଯାହାକୁ ନେଇ ବିରୋଧୀ ହଟ୍ଟଗୋଳ କରିବାରୁ ୨ଟା ଯାଏ ଗୃହକୁ ମୁଲତବୀ କରିବା ସହ ଫ୍ଲୋର୍ ଲିଡରଙ୍କ ସହ ବୈଠକ କରିଥିଲେ ଅଧ୍ୟକ୍ଷ। ଅନ୍ୟପଟେ ମକର ଦ୍ୱାର ନିକଟରେ ଛିଡ଼ା ହୋଇ ପ୍ରତିବାଦ କରୁଥିବା ନିଲମ୍ୱିତ ସାଂସଦଙ୍କୁ ଭେଟିଛନ୍ତି ସୋନିଆ ଗାନ୍ଧୀ l

LEAVE A REPLY

Please enter your comment!
Please enter your name here