ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଲିଙ୍ଗିପୁର-କାମଧେନୁ ରାସ୍ତାରେ ଥିବା ଏକ ପାହାଡରୁ ବେଆଇନ ଭାବେ ପଥର ଉତ୍ତଳନ ଉପରେ ଚଢାଉକରିଛି ଜିଲ୍ଲା ଖଣି ବିଭାଗ । ଜିଲ୍ଲା ଖଣି ଅଧିକାରୀ ଦୀପେନ ପରିଡାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ହୋଇଥିବା ଏହି ଚଢଉ ବେଳେ ସେଠାରେ ପଥର ଉତ୍ତଳନ ପାଇଁ ନିୟୋଜିତ ଥିବା ଜେସିବି ମେସିନକୁ ଅଟକ ରଖିବା ସହ ପଥର ଚୋରି କରୁଥିବା ବ୍ୟକ୍ତିଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଜରିମାନା ଭରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରକାଶ ଯେ, ଉଲ୍ଲେଖିତ ଗ୍ରାମ୍ୟ ରାସ୍ତାର ଏକ ଛୋଟିଆ ପଥର ପାହାଡରୁ ଗତ କିଛି ଦିନ ହେଲା ବେଆଇନ ଭାବେ ପଥର ଉତ୍ତଳନ କରାଯାଉଥିବାର କୌଣସି ସୂତ୍ରରୁ ଖବର ପାଇଥିଲେ ଜିଲ୍ଲା ଖଣି ଅଧିକାରୀ । ଆଜି ଉକ୍ତ ସ୍ଥାନକୁ ଜିଲ୍ଲା ଖଣି ଅଧିକାରୀ ଶ୍ରୀ ପରିଡା ଗସ୍ତ କରି ନିରୀକ୍ଷଣ କରିଥିଲେ ଏବଂ ଏନେଇ ଗୁରାଣ୍ଡି ଥାନାକୁ ଖବର ଦିଆଯାଇଛି । ଏନେଇ ଜିଲ୍ଲା ଖଣି ଅଧିକାରୀ ଶ୍ରୀ ପରିଡା କହିଛନ୍ତି ଯେ, ନିୟମ ମୁତାବକ ବେଆଇନ ପଥର ଉତ୍ତଳନ କରୁଥିବା ବ୍ୟକ୍ତିଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଜରିନାମା ଭରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ପନ୍ଦର ଦିନ ମଧ୍ୟରେ ଏହି ଜରିନାମା ପୈଠ ନ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପଥର ଉତ୍ତଳନ ସ୍ଥାନରେ ଜେସିବି ମେସିନକୁ ଯେମିତିକି ସେମିତି ରଖିବାପାଇଁ କୁହାଯାଇଛି ଏଥିରେ ଯଦି ଖିଲାପ ହୁଏ ତେବେ ଏନେଇ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।