ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଉ କିଛି ଦିନ ପରେ ବିଦାୟ ନେବ ୨୦୨୩। ନୂଆବର୍ଷକୁ ସ୍ୱାଗତ କରିବା ଓ ୨୦୨୩କୁ ବିଦାୟ ଦେବା ପାଇଁ ଲୋକମାନେ ଚାତକ ଭଳି ଚାହିଁ ରହିଛନ୍ତି। ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଲାଣି। ବାଣ ଫୁଟାଇ ଓ ଡିଜେ ବଜାଇ ଭିନ୍ନ ଭିନ୍ନ ଢଙ୍ଗରେ ସେଲିବ୍ରେସନ୍ କରିବାକୁ ସମସ୍ତେ ପ୍ରସ୍ତୁତ। ହେଲେ ଜିରୋ ନାଇଟ୍ ସେଲିବ୍ରେସନ୍ ପୂର୍ବରୁ ହୋଟେଲ ମାଲିକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି କମିଶନରେଟ୍ ପୁଲିସ୍। ଯେଉଁଥିରେ ନୂଆ ଗାଇଡଲାଇନକୁ ଗୋଟି ଗୋଟି କରି ବୁଝାଯାଇଛି। ରାତି ୧୨ ପରେ ପୂରା ଟ୍ୱିନ୍ ସିଟି ୫୦ ପ୍ଲାଟୁନ୍ ଫୋର୍ସ ସହ ପୂରା ପୁଲିସ୍ ଛାଉଣୀରେ ପରିଣତ ହେବ। କେବଳ ରାଜଧାନୀରେ ରହିବ ୬୦ ବ୍ଲକିଂ ପଏଣ୍ଟ୍। ଯେପରି ନିଶାଶକ୍ତ ଅବସ୍ଥାରେ କେହି ଗାଡ଼ି ଚଲାଇବେନି ତା’ ଉପରେ ଗୁରୁତ୍ୱ ଦିଆଯିବ। ଯଦି ହୋଟେଲରୁ ନିଶାଶକ୍ତ ଅବସ୍ଥାରେ ଲୋକେ ବାହାରନ୍ତି ତା’ହେଲେ ଡ୍ରାଇଭରର ବ୍ୟବସ୍ଥା ହୋଟେଲ୍ ମାଲିକ କରାଇବାକୁ କୁହାଯାଇଛି। ହୋଟେଲ୍, ପବ୍ ଓ ରେସ୍ତୋରାଁ ମାଲିକଙ୍କ ପାଇଁ ବି କଡ଼ାକଡ଼ି ନିୟମ କରାଯାଇଛି। ଅନୁମତି ନେଇଥିବା ସମୟ ଭିତରେ ହିଁ ପାର୍ଟି ହେବ। କୌଣସି ଖୋଲା ସ୍ଥାନରେ ସେଲିବ୍ରେସନ୍ ହେବନି। ସିସିଟିଭି ଲଗାଇବା ଭଳି ନିୟମ କଡ଼ାକଡ଼ି ପାଳନ କରିବାକୁ ପୁଲିସ କହିଛି। ଏଥିସହ ଅବକାରୀ ପଦାର୍ଥ ବିକ୍ରି ନେଇ ବି ସ୍ୱତନ୍ତ୍ର ନଜର ରଖିଛି ଅବକାରୀ ବିଭାଗ। ଏହାସହିତ ଜରୁରୀକାଳୀନ ପରିସ୍ଥିତି ପାଇଁ ଆମ୍ବୁଲାନସ ଆସିବାକୁ ବିଳମ୍ବ ହୋଇପାରେ । ତାକୁ ଆଖି ଆଗରେ ରଖି କ୍ଲବ ବାହାରେ ଆମ୍ବୁଲାନସ ବ୍ୟବସ୍ଥା ମଧ୍ୟ କରାଯାଇଛି । ଖାଲି ଏତିକି ନୁହେଁ ବରିଷ୍ଠ ନାଗରିକ ଓ ଛୋଟ ଛୁଆଙ୍କ ପାଇଁ ରେଷ୍ଟୁରାଂଟରେ ମହିଳା ଓ ପୁରୁଷ ସୁରକ୍ଷା କର୍ମୀ ନିୟୋଜିତ ରହିବେ ବୋଲି ହୋଟେଲ ପକ୍ଷରୁ କୁହାଯାଇଛି । ସେପଟେ ଦୈତନଗରୀରେ ୫୦ ପ୍ଲାଟୁନ ଫୋର୍ସ ସହ ଅସାମାଜିକଙ୍କ ଉପରେ ନଜର ରଖିବ ସିପିଙ୍କ ସ୍ମାର୍ଡ । ରାସ୍ ଡ୍ରାଇଭିଙ୍ଗ ଓ ରୋଡ ରୋମିଓ ରାସ୍ତା ଉପରେ ନଜରକୁ ଆସିଲେ ଅନ ଦ ସ୍ପଟ ଆକ୍ସନ ହେବ ।