ବିପ୍ଲବୀ ପରିକ୍ରମା ବ୍ୟୁରୋ :- କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା ହାଇୱେ ଲୁଟେରାର ମାଷ୍ଟର ମାଇଣ୍ଡ ସହ ଛଅ ଅପରାଧୀଙ୍କୁ ଗିରଫ କରିଛି କଟକ ସଦର ଥାନା ପୋଲିସ। ସେମାନଙ୍କ ଠାରୁ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା, ଗୁଳି, ମାଗାଜିନ, କାର୍ ଓ ସ୍ପିଡ ବାଇକ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବାବେଳେ ଅନ୍ୟ ପାଞ୍ଚ ଅଭିଯୁକ୍ତଙ୍କ ନାମରେ ୧୨ରୁ ଅଧିକ ଲେଖାଏଁ ମାମଲା ରହିଛି। ଏହି ଅପରାଧୀମାନେ ହାଇୱେରେ ମୁଖ୍ୟତଃ ମହିଳାଙ୍କୁ ଟାର୍ଗେଟ କରି ଲୁଟ କରୁଥିଲେ। ବିଶେଷକରି ଅଫିସ ଯାଉଥିବା ଏବଂ ପଛରେ ବସିଥିବା ମହିଳା ହିଁ ଥିଲେ ଏମାନଙ୍କର ମୁଖ୍ୟ ଟାର୍ଗେଟ। ଜାତୀୟ ରାଜପଥରେ ସ୍ପିଡ ବାଇକ ଯୋଗେ ହେଲମେଟ ପିନ୍ଧି ଆସି ଆଖି ପିଛୁଳାକେ ଝାମ୍ପି ନେଉଥିଲେ ସୁନା ଅଳଙ୍କାର। ତେବେ ଏନେଇ ସଦର ଥାନା ପୋଲିସ ଅଭିଯୋଗ ପାଇବା ପରେ ଆରମ୍ଭ କରିଥିଲା ଖୋଳତାଡ଼ । ରାଜପଥରେ ବିଭିନ୍ନ ସ୍ଥାନରେ ଲାଗିଥିବା କ୍ୟାମେରାରୁ ପୋଲିସକୁ ମିଳିଥିଲା ଏହି ଅପରାଧୀଙ୍କ ସୁରାକ। ପରେ ହାଇୱେ ଲୁଟେରାର ମାଷ୍ଟର ମାଇଣ୍ଡ ଶୁଭ୍ରାଂଶୁ ପରିଡ଼ା ସମେତ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଶୁଭ୍ରାଂଶୁ ସହ ସମସ୍ତ ଅଭିଯୁକ୍ତଙ୍କ ନାମରେ ୧୨ରୁ ଅଧିକ ମାମଲା ରହିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଶୁଭ୍ରାଂଶୁ ନାଁରେ ହିଁ ଟୁଇନସିଟିର ବିଭିନ୍ନ ଥାନାରେ ୩୫ଟି ମାମଲା ଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅତିରିକ୍ତ ଡିସିପି ଅନିଲ ମିଶ୍ର। ତେବେ ସମସ୍ତଙ୍କୁ ରିମାଣ୍ଡରେ ଆଣବା ପାଇଁ ଯୋଜନା କରୁଛି କମିଶନରେଟ ପୋଲିସ l