ଜଗନ୍ନାଥ ପ୍ରେମରେ ଝୁମିବେ ଗାଁ ଲୋକ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଏବେ ରାଜକୋଷ ଅର୍ଥରେ ସୁଚିନ୍ତିତ ଢଙ୍ଗରେ ନିଜର କ୍ୟାମ୍ପେନ ଆରମ୍ଭ କରିଦେଇଛି । ଗାଁ ଗହଳିରେ ଶ୍ରୀଜଗନ୍ନାଥ ରଥ ବୁଲାଇବା ସହ ଲୋକଙ୍କୁ ଭଜନ-କୀର୍ତ୍ତନରେ ମତୁଆଲା କରି ଘରକୁ ଘର ଯାଇ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବା ଏବଂ ନାଚଗୀତ-ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଝୁମାଇ ରଖି ବିଭିନ୍ନ ସରକାରୀ ଯୋଜନାର ପ୍ରଚାର କରାଇବା ନିମନ୍ତେ ମୋଟ ପ୍ରାୟ ୩୬୦କୋଟି ଟଙ୍କା ବ୍ୟୟ କରିବେ । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଏହି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେବା ସହ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଅର୍ଥରାଶି ପରିମାଣକୁ ମଧ୍ୟ ଆଉ ୨୦୦କୋଟି ଟଙ୍କା ବଢ଼ାଇ ୪୨୦୦କୋଟି ଟଙ୍କା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୩ଟି ପ୍ରସ୍ତାବ ପାରିତ ହୋଇଛି । ଏଥିରେ ୬ଟି ପ୍ରସ୍ତାବ ସରକାରୀ ନିଯୁକ୍ତି ଓ ସେବା ନିୟମାବଳୀରେ ସଂଶୋଧନ ସଂକ୍ରାନ୍ତ ସାମିଲ ଅଛି । ପ୍ରତ୍ୟେକ ପଂଚାୟତକୁ ୫୦ଲକ୍ଷ ଟଙ୍କା ଦେଇଥିବା ରାଜ୍ୟ ସରକାର ଏବେ କେବଳ ଶ୍ରୀଜଗନ୍ନାଥଙ୍କ ପ୍ରଚାର ରଥ ବୁଲିବା, ଘରକୁ ଘର ଯାଇ ଗୁଆ-ଚାଉଳ ସଂଗ୍ରହ, ଭଜନ-କୀର୍ତ୍ତନ ଆଦି ପାଇଁ ମୋଟ ୧୩୫.୮୮ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାସହିତ ପ୍ରତ୍ୟେକ ପଂଚାୟତରୁ ଲୋକଙ୍କୁ ପୁରୀ ଆଣି ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବରେ ସାମିଲ କରାଇବା ନିମନ୍ତେ ଅତିରିକ୍ତ ୨୦କୋଟି ଟଙ୍କା ବ୍ୟୟ କରାଯିବ । ଜାନୁୟାରୀ ୫ରୁ ପ୍ରତ୍ୟେକ ପଂଚାୟତସ୍ତରରେ ଭଜନକୀର୍ତ୍ତନ ଓ ପ୍ରଚାର ରଥ ବୁଲାଇ ଘରକୁ ଘର ଗୁଆ-ଚାଉଳ ସଂଗ୍ରହ କରାଯାଇ ତାକୁ ପ୍ରଥମେ ପଂଚାୟତର କୌଣସି ଏକ ମନ୍ଦିରରେ ରଖାଯିବ । ପରେ ବ୍ଲକ ମୁଖ୍ୟାଳୟ ମନ୍ଦିରରେ ରଖାଯାଇ ଜାନୁୟାରୀ ୧୭ରେ ଏହି ଗୁଆ-ଚାଉଳକୁ ପୁରୀ ଅଣାଯିବ ।

LEAVE A REPLY

Please enter your comment!
Please enter your name here