ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଆଜି ହେଉଛି ବର୍ଷର ଶେଷ ଦିନ । ଆଉ ଆଜି ବିଳମ୍ୱିତ ରାତିରେ ପାଳନ ହେବ ଜିରୋ ନାଇଟ । ଜିରୋ ନାଇଟ ପାଳନ ନେଇ ସହରର ବିଭିନ୍ନ ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ ସ୍ବତନ୍ତ୍ର ଆୟୋଜନ ହୋଇଛି । ନାମୀଦାମୀ କଳାକାର ମାନଙ୍କୁ ଡକାଇ ନାଚଗୀତ ସହ ସୁସ୍ବାଦୁ ଖାଦ୍ୟର ବ୍ୟବସ୍ଥା କରିଛନ୍ତି ବିଭିନ୍ନ କ୍ଲବ ଓ ହୋଟେଲ । ସେପଟେ ବର୍ତ୍ତମାନର ଆଧୁନିକ ଯୁଗରେ ଗ୍ରିଟିଙ୍ଗର ଚାହିଦା ନଥିବା ବେଳେ ଫୁଲର ଚାହିଦା ମଧ୍ୟ ଧିରେ ଧିରେ କମି ଆସୁଛି । ତଥାପି ନୂତନ ବର୍ଷ ପାଇଁ ଫୁଲ ବ୍ୟବସାୟୀ ମାନେ ଭଳିକି ଭଳି ଫୁଲ ବିକ୍ରି କରୁଛନ୍ତି ।
ରାତି ପାହିଲେ ନୂଆ ବର୍ଷ । ଆଉ କିଛି ସମୟ ପରେ ଲୋକେ ପାଳିବେ ଜିରୋ ନାଇଟ । ଜିରୋ ନାଇଟ ପାଳନ ନେଇ ବ୍ରହ୍ମପୁର ସହରରେ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ସହରରେ ରହିଥିବା କ୍ଲବ, ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡ଼ିକରେ ଜିରୋ ନାଇଟ ପାଳନ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିକ୍ରମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହରରେ ରହିଥିବା ୟୁନିୟନ କ୍ଲବରେ ମଧ୍ୟ ବେଶ ଆଡ଼ମ୍ବର ସହକାରେ ପାଳନ ହେବ ଜିରୋ ନାଇଟ । ଜିରୋ ନାଇଟ ପାଳନ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି କ୍ଲବ ପକ୍ଷରୁ । କ୍ଲବ ପରିସରରେ ସନ୍ଧ୍ୟା ୭ଟା ଠାରୁ ଆରମ୍ଭ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଯାହାକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁ ରହିବ । ଏହି କାର୍ଯ୍ୟକ୍ରମରେ ନାମୀଦାମୀ କଣ୍ଠଶିଳ୍ପୀ ଓ ଡେନ୍ସର ଏବଂ କମେଡିଆନ ମାନେ ସାମିଲ ହୋଇ ଲୋକଙ୍କ ମନୋରଞ୍ଜନ କରିବେ । ଲୋକଙ୍କ ମନୋରଞ୍ଜନ ବାଦେ ସୁସ୍ବାଦୁ ଭୋଜନର ମଧ୍ୟ ବ୍ୟବସ୍ଥା କରାଯାଇଛି । ସମସ୍ତେ କିଭଳି ଶୃଙ୍ଖଳିତ ଭାବେ ଜିରୋ ନାଇଟର ମଜା ନେଇପାରିବେ ସେ ନେଇ ମଧ୍ୟ ସ୍ଥାନୀୟ ପୋଲିସ ଓ ପ୍ରଶାସନର ସାହାଯ୍ୟ ଲୋଡାଯାଇଥିବା କହିଛନ୍ତି କ୍ଲବର ସଦସ୍ୟ ମାନେ l
ଦିନ ଥିଲା ନୂତନ ବର୍ଷ ଅବସରରେ ଗ୍ରୀଟିଙ୍ଗ ଦୋକାନରେ ଲୋକଙ୍କ ଭିଡ଼ ଜମୁଥିଲା । ଲୋକେ ନିଜ ମନ ପସନ୍ଦର ଗ୍ରୀଟିଙ୍ଗସ କିଣି ନିଜ ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କୁ ଦେଉଥିଲେ । କିନ୍ତୁ ବର୍ତ୍ତମାନ ଆଧୁନିକ ଯୁଗରେ ଗ୍ରୀଟିଙ୍ଗସର ଆଉ ଚାହିଦା ନାହିଁ । ସେହିପରି ଗ୍ରୀଟିଙ୍ଗସ ପରେ ଫୁଲର ଚାହିଦା ବଢିଥିବା ବେଳେ ଗତ କିଛି ବର୍ଷ ହେଲା ଫୁଲ ପରିବର୍ତ୍ତେ ଲୋକେ ସୋସିଆଲ ମିଡିଆର ସାହାର ନେଇ ନୂତନ ବର୍ଷର ଅଭିନନ୍ଦନ ଜଣାଉଛନ୍ତି । ତଥାପି ମଧ୍ୟ ଅନେକ ଲୋକେ ନିଜ ଲୋକଙ୍କୁ ସାକ୍ଷାତ କରିବା ଅବସରରେ ଫୁଲ ଗୁଚ୍ଛ ଦେଇ ନୂତନ ବର୍ଷର ଶୁଭେଚ୍ଛା ଜଣାଉଛନ୍ତି । କିନ୍ତୁ ଗ୍ରୀଟିଙ୍ଗସ ଓ ଫୁଲର ସ୍ଥାନ ଏବେ ଧିରେ ଧିରେ ସୋସିଆଲ ମିଡ଼ିଆ ନେଇସାରିଲାଣି । କିନ୍ତୁ ନିଜ ନିକଟତର ସାଙ୍ଗ ସାଥି ମାନଙ୍କୁ ଫୁଲ ଦେଇ ଶୁଭେଚ୍ଛା ଜଣାଇବା ନିଆରା ବୋଲି କହିଛନ୍ତି କିଛି ଲୋକେ । ସେପଟେ ଜିରୋ ନାଇଟ ଓ ନୂଆ ବର୍ଷ ପାଇଁ ଭଳିକି ଭଳି ଫୁଲ ସହରକୁ ଆଣି ବିକ୍ରି କରୁଛନ୍ତି ବ୍ୟବସାୟୀ ମାନେ । କଲିକତା, ବେଙ୍ଗଲୋର ସହ ଅନ୍ୟ ରାଜ୍ୟରୁ ଭଳି କି ଭଳି ଫୁଲ ବ୍ରହ୍ମପୁର ସହରକୁ ଆସୁଛି । ଆଉ ଏହି ଅବସରରେ ଫୁଲର ଚାହିଦା ରହିଥିବା ଯୋଗୁଁ ଦର ମଧ୍ୟ ଲୋକଙ୍କ ପକେଟକୁ ସୁହାଇଲା ଭଳି ରଖାଯାଇଛି । ଯାହାଫଳରେ ଭଲ ଦୁଇ ପଇସା ରୋଜଗାର ହେଉଥିବା କହିଛନ୍ତି ବ୍ୟବସାୟୀ ।
ଜିରୋ ନାଇଟ ପାଳନକୁ ନେଇ ସହରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିବା ବେଳେ ସହରବାସୀ କିଭଳି ଶାନ୍ତି ଶୃଙ୍ଖଳାର ସହ ଜିରୋ ନାଇଟ ପାଳନ କରିବେ ସେ ନେଇ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି l