ଦ୍ଵିତୀୟ ସନ୍ଧ୍ୟାରେ ନାଟକ”ଅସ୍ତରାଗର ରଙ୍ଗ” ମଂଚସ୍ଥ ।(ଦକ୍ଷିଣ ଓଡିଶା ନାଟକ ମହୋତ୍ସବ ।)–ବ୍ରହ୍ମପୁର–ଯେତେବେଳେ କୌଣସି ଏକ ଅଘଟଣ ପାଇଁ ଅତ୍ମୀୟସ୍ଵଜନ ମାନେ କୌଣସି ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷଙ୍କୁ କାରଣ ବୋଲି ଦାୟୀ କରନ୍ତି ।ସେତେବେଳେ ସେହି ବ୍ୟକ୍ତିଙ୍କ ଜୀବନ ଦୁର୍ବିସହ ହୋଇପଡେ ଏବଂ ସେହି ସନ୍ଦେହର ନାଗଫାସରୁ ତାପାଇଁ ମୁକୁଳିବାକୁ ସେ କେଉଁ ଉପାୟ ବାଛିନିଏ ତାହା ନିର୍ଣ୍ଣୟ କରିବା କଷ୍ଟସାଧ୍ୟ । ରବି ଜନ୍ମରୁ ଜଣେ ଦିବ୍ୟାଙ୍ଗ । ସେ ଯୋଉ ମୁହୂର୍ତ୍ତରେ ଜାଣିନିଏ ସେ ଖାଲି ଦିବ୍ୟାଙ୍ଗ ନୁଁହ ବରଂ ନିଜ ବାପା ମାଆଙ୍କର ଅଲୋଡ଼ା ଓ ଅବାଞ୍ଛିତ ସନ୍ତାନ ,ସେହି ମୁହୂର୍ତ୍ତରେ ସବୁ କାରଣ ପାଇଁ ସେନିଜକୁ ଦାୟୀ ଭାବି ଅଶାନ୍ତି ଓ ବିତୃଷ୍ଣାର ବଳୟରୁ ନିଜକୁ ଦୂରେଇ ନିଏ ।ଏହା କିନ୍ତୁ ସମାଧାନର ବାଟ ନୁଁହ ।ପଙ୍କରୁ ପଦ୍ମ ଜାତ ହେବା ପରି ସର୍ବଭାରତୀୟ ବଂଶୀବାଦନ ପ୍ରତିଯୋଗିତାରେ ରବିର ସଫଳତା ସମସ୍ତ ଦିବ୍ୟାଙ୍ଗ ମାନଙ୍କ ପାଇଁ ସୃଷ୍ଟି କରିଛି ଅପୂର୍ବ ସମ୍ଭାବନା । ଏଭଳି କିଛି ସୁନ୍ଦର କଥାବସ୍ତୁକୁ ନେଇ 7ମ ରାଜ୍ୟସ୍ତରୀୟ ତଥା 33ତମ ଦକ୍ଷିଣ ଓଡ଼ିଶା ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଭୁବନେଶ୍ୱର ପ୍ରତିଭା ନାଟ୍ୟ ପରିଷଦ ତରଫରୁ ମଂଚସ୍ଥ ହୋଇଛି ନାଟକ”ଅସ୍ତରାଗର ରଙ୍ଗ” ।
ନାଟ୍ୟକାର ଫକୀର ସିଂହଙ୍କ ରଚିତ ଦୀପ୍ତି ରଞ୍ଜନ ଦାସ ଙ୍କ ନିର୍ଦ୍ଦେଶିତ ଏହି ନାଟକରେ ଶକ୍ତିପ୍ରସାଦ ମିଶ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ସୁବାଷ ପଣ୍ଡା ମଞ୍ଚରେ ସହଯୋଗ କରିଥିଲେ । ନାଟକରେ ବିମଳ ପାଟ୍ଟଯୋଶୀ,ପ୍ରଭାତ ରଞ୍ଜନ କୁଆଁର,ସୁନୀଲ ପ୍ରଧାନ,ସିବାନୀ ଦାସ,ଅର୍ଚ୍ଚିତା ଦାସ ଓ ବନିତା ପ୍ରମୂଖ ଅଭିନୟ କରିଥିଲେ । ଦ୍ଵିତୀୟ ସନ୍ଧ୍ୟାରେ ନାଟକ ପୂର୍ବରୁ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ ଉପସ୍ଥିତ ରହି ଉଦ୍ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସୁସାହିତ୍ୟିକ ଇଂ.ଯାମିନିକାନ୍ତ ଦାସ,ପ୍ରମୋଦ କୁମାର ଜେନା,ଇଂ. ମହେଶ୍ବର ସାହୁ ପ୍ରମୂଖ ମଞ୍ଚରେ ଉପସ୍ଥିତ ଥିଲେ ।
ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା ସଭାପତିତ୍ୱ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି କେ.ବଳରାମ ଦାସ, ସାଧାରଣ ସମ୍ପାଦକ ରମେଶ ମହାରଣା ପ୍ରମୂଖ ମଂଚାସୀନ ଥିଲେ । ଦ୍ଵିତୀୟ ସନ୍ଧ୍ୟାରେ ସୁଗାୟିକା ସୁଶ୍ରୀ ପ୍ରୀତି ମଞ୍ଜରୀ ପ୍ରତିନିଧିଙ୍କୁ ରୀଙ୍କୁ ସାମଲ ଯୁବ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସୀମାଞ୍ଚଳ ବେହେରା ଅତିଥି ଆବାହନ କରିଥିବା ବେଳେ ସଂଜ୍ଞା ସମାହିତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଗଂଜାମ ଜିଲ୍ଲା ମଂଚ କଳାକାର ସମ୍ମିଳନୀ ପରିବାର ସଦସ୍ୟ ମାନେ ସହଯୋଗ କରିଥିଲେ ।