ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନୂଆ ବର୍ଷର ଆରମ୍ଭରୁ ଏବେ କଂଗ୍ରସେ ପାଇଁ ଦକ୍ଷିଣରୁ ଭଲ ସଂକେତ ମିଳିଛି । ଆନ୍ଧ୍ରପ୍ରଦେଶର ପୂର୍ବତନ ମୂଖ୍ୟମନ୍ତ୍ରୀ ରାଜ ଶେଖର ରେଡିଙ୍କ ଝିଅ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଲା ରେଡ୍ଡୀ କଂଗ୍ରେସରେ ଯୋଗ ଦେଇଛନ୍ତି ।କିଛିଦିନ ତଳେ ୫ ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳ ଦେଖି ରାଜନୈତିକ ବିଶ୍ଲେଷକମାନେ ମତ ଦେଇଥିଲେ କି ଦକ୍ଷିଣ ଭାରତରେ କଂଗ୍ରେସ ଶେଷ ହେବାକୁ ଯାଉଛି । ହେଲେ ହିମାଚଳରେ କଂଗ୍ରେସ ବିଜୟ ଲାଭ କରିବା ପରେ ଅଚାନକ ସମସ୍ତଙ୍କ ଚମକାଇ ତେଲେଙ୍ଗାନାରେ ମଧ୍ୟ କଂଗ୍ରେସ ସରକାର ଗଠନ କରିଥିଲା । କଂଗ୍ରେସର ତେଲେଙ୍ଗାନା ବିଜୟ ପରେ ବିଜେପିର ଦକ୍ଷିଣ ଯାତ୍ରା ସ୍ୱପ୍ନ ଧୂଳିସାତ ହୋଇଛି ।
ସେପଟେ ପଞ୍ଜାବ, ହିମାଚଳ, ପଶ୍ଚିମବଙ୍ଗ, ଓଡିଶାରୁ ନେଇ କେରଳ ପର୍ଯ୍ୟନ୍ତ ବିରୋଧୀଦଳଗୁଡିକର ସରକାର ରହିଛି । କର୍ଣ୍ଣାଟକରେ ମଧ୍ୟ କଂଗ୍ରେସର ସରକାର ରହିଛି ।ଏବେ ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସଆର ଶର୍ମିଲାଙ୍କ ମାଧ୍ୟମରେ ବିଜେପିର ଦକ୍ଷିଣ ଯାତ୍ରାକୁ ରୋକିବାକୁ ଚେଷ୍ଟା କରିଛି କଂଗ୍ରେସ । ଶର୍ମିଲା କଂଗ୍ରେସରେ ଯୋଗଦେବା ପରେ ଏହା ବିଜେପି ଉପରେ କିଭଳି ପ୍ରଭାବ ପକାଇବ ତାହା ଉପରେ ନଜର ପକାନ୍ତୁ । ଶର୍ମିଲାଙ୍କ ମାଧ୍ୟମରେ କଂଗ୍ରେସ କେବଳ ତେଲେଙ୍ଗାନା ନୁହେଁ ବରଂ ଆନ୍ଧ୍ରପ୍ରଦେଶ ରାଜନୀତିରେ ପ୍ରଭାବ ବିସ୍ତାର କରିବାକୁ ଯାଉଛି । ଶର୍ମିଲା ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ୱାଇଏସଆର ରାଜଶେଖର ରେଡ୍ଡୀଙ୍କ କନ୍ୟା । ସେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ମଧ୍ୟ ।
କଂଗ୍ରେସରେ ଯୋଗଦେବା ପରେ ଶର୍ମିଲାଙ୍କୁ ତୁରନ୍ତ ଦଳର ରାଷ୍ଟ୍ରୀୟ ସ୍ତରରେ କୌଣସି ପଦ ମିଳିପାରେ । ସଦ୍ୟ ସମାପ୍ତ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଶର୍ମିଲାଙ୍କ ପାର୍ଟି କଂଗ୍ରେସକୁ ସମର୍ଥନ ଦେଇଥିଲା ।ଶର୍ମିଲାଙ୍କ ପିତା ରାଜଶେଖର ରେଡ୍ଡୀ ଦକ୍ଷିଣ ଭାରତରେ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ । ସେ ଯେତେଥର ନିର୍ବାଚନ ଲଢିଥିଲେ ସେତେଥର ବିଜୟଲାଭ କରିଥିଲେ ।ପରେ ରାଜଶେଖର ରେଡ୍ଡୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କପୁଅ ଜଗନମୋହନ କଂଗ୍ରେସ ଛାଡି ଏକ ନୂଆଦଳ ଗଠନ କରିଥିଲେ । ଏବଂ ୨୦୧୯ ମସିହାରେ ଜଗନମୋହନଙ୍କ ୱାଇଏସଆର କଂଗ୍ରେସ ପ୍ରଚଣ୍ଡ ବିଜୟଲାଭ କରିଥିଲା ।ଏବେ କଂଗ୍ରେସ ଆଗାମୀ ଲୋକସଭା ନିର୍ବାଚନରେ ରାଜଶେଖର ରେଡ୍ଡୀଙ୍କ ଲୋକପ୍ରିୟତା ଆଧାରରେ ଶର୍ମିଲାଙ୍କ ହାତରେ ଆନ୍ଧ୍ରପ୍ରଦେଶ କ୍ୟାମ୍ପନିଂର ଦାୟିତ୍ୱ ଦେଇପାରେ ।
ଶର୍ମିଲା ୨୦୧୯ ମସିହାରେ ଭାଇ ଜଗନମୋହନଙ୍କ ୱାଇଏସଆର କଂଗ୍ରେସ ପାର୍ଟି ପାଇଁ ପ୍ରଚାର କରିଥିଲେ । ହେଲେ କିଛି ମତଭେଦ କାରଣରୁ ସେ ଭାଇଙ୍କ ଠାରୁ ଅଲଗା ହୋଇ ୱାଇଏସଆରଟିପି ନାମରେ ଏକ ନୂଆ ରାଜନୈତିକ ଦଳ ଗଠନ କରିଥିଲେ ।