ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଦାୟିତ୍ୱ ନେବା ପରେ ପ୍ରଥମ ଥର ଓଡ଼ିଶା ଆସିଛନ୍ତି କଂଗ୍ରେସର ନୂଆ ପ୍ରଭାରୀ ଅଜୟ କୁମାର । ତାଙ୍କୁ ଜୋରଦାର ସ୍ୱାଗତ ଜଣାଇଛି ପିସିସି ।ହେଲେ ଓଡ଼ିଶାରେ ପାଦ ଦେଉ ଦେଉ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନୂଆ କଂଗ୍ରେସ ପ୍ରଭାରୀ । ଦଳୀୟ ନେତାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ କଲେ ଅଜୟ କୁମାର, ରାଜ୍ୟ କଂଗ୍ରେସ ଶିବିରରେ ନାହିଁ ନଥିବା ଉତ୍ସାହ ଦଦେଖିବାକୁ ମିଳିଥିଲା । ଗୋଟିଏ ପଟେ ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା, ଅନ୍ୟପଟେ ଓଡ଼ିଶାରେ ପହଞ୍ଚିଛନ୍ତି କଂଗ୍ରେସର ନୂଆ ପ୍ରଭାରୀ । ଅଜୟ କୁମାରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ତାଙ୍କୁ ପାଛୋଟି ଆଣିଛି ପିସିସି । ଓଡ଼ିଶା ଆସୁ ଆସୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ଗୁରୁମନ୍ତ୍ର ଦେଇଛନ୍ତି ଅଜୟ କୁମାର । ଯେଉଁ ନେତାଙ୍କୁ ନିଲମ୍ବନ କରାଯାଇଥିଲା, ଖୁବଶୀଘ୍ର ସେମାନଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇବା ପାଇଁ ସେ ସଙ୍କେତ ଦେଇଛନ୍ତି । ଗସ୍ତର ପ୍ରଥମ ଦିନରେ ଦଳର କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ୨୦୨୪ ବିଜୟ ପାଇଁ ଟିପ୍ସ ଦେଇଛନ୍ତି ନୂଆ କଂଗ୍ରେସ ପ୍ରଭାରୀ । କହିଛନ୍ତି, ଓଡ଼ିଶା ଉପରେ ରାହୁଲ ଗାନ୍ଧୀ ଗୁରୁତ୍ୱ ଦେଉଥିବାରୁ ତାଙ୍କୁ ପ୍ରଭାରୀ କରାଯାଇଛି । ନିଜେ ନିର୍ବାଚନ ନଲଢ଼ି ଓଡ଼ିଶାକୁ ସଂପୂର୍ଣ୍ଣ ସମୟ ଦେବେ ବୋଲି କହିଛନ୍ତି ଅଜୟ କୁମାର । ବୈଠକରେ କହିଛନ୍ତି:-
• ଓଡ଼ିଶାରେ କରାଯାଇଛି ଦଳୀୟ ସର୍ଭେ
• ଏଥର ଲବି ନୁହେଁ, ବିଜୟ ସମ୍ଭାବନା ଥିଲେ ମିଳିବ ଟିକେଟ
• ୮୫ ବିଧାନସଭା, ୧୪ ଲୋକସଭାରେ ରହିଛି ବିଜୟ ସମ୍ଭାବନା
• ପଞ୍ଚାୟତ ଉପରେ ଫୋକସ ଦେବାକୁ ପରାମର୍ଶ
• ତେଲେଙ୍ଗାନା, କର୍ଣ୍ଣାଟକର ଦେଲେ ଉଦାହରଣ
• ବିଜୟ ପାଇଁ ୩ ମାସ ଯଥେଷ୍ଟ ସମୟ
• ପୁରୁଣା ଢାଞ୍ଚାରେ ନୁହେଁ, ସୋସିଆଲ୍ ମିଡିଆ ଉପରେ ଗୁରୁତ୍ୱ
ପରସ୍ପର ବିରୋଧରେ ଅଭିଯୋଗ ନକରି ଏକାଠି ହୋଇ ଲଢ଼ିବାକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସର ନୂଆ ପ୍ରଭାରୀ । ବିଜେଡି ଓ ବିଜେପି ସହ ସଂପର୍କ ନରଖି ପାର୍ଟିକୁ ଗୁରୁତ୍ୱ ଦେବାକୁ ଦଳୀୟ ନେତାଙ୍କୁ ସେ ଆହ୍ୱାନ ଦେଇଛନ୍ତି ।