ଡ଼ଙ୍କଲପାଡ଼ୁ ସମୁଦ୍ର ବେଳାଭୂମିରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଜିଲ୍ଲାରେ ଭରପୁର ହୋଇ ରହିଛି ପର୍ଯ୍ୟଟନ ସ୍ଥଳୀ । ଆଉ ବର୍ତ୍ତମାନ ପିକ୍‌ନିକ୍‌ର ସମୟ ହୋଇଥିବା ଯୋଗୁଁ ସମସ୍ତ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଲାଗୁଛି ପର୍ଯ୍ୟଟକ ମାନଙ୍କ ଭିଡ଼ । ସେହିପରି ଜିଲ୍ଲାର ଚିକିଟି ବ୍ଳକ ଡ଼ଙ୍କଲପାଡ଼ୁ ସମୁଦ୍ର ବେଳାଭୂମିରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଶାନ୍ତ ବେଳାଭୂମିରେ ବୁଲି ସୁମ୍ରଦରେ ଗାଧୋଇବା ସହିତ ଝାଉଁ ଓ କିଆ ଜଙ୍ଗଲରେ ବୁଲି ବଣଭୋଜି କରି ସମସ୍ତେ ମଜା ଉଠାଉଛନ୍ତି । କେବଳ ଏତିକି ନୁହେଁ ସମୁଦ୍ର ବେଳାଭୂମିକୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ସ୍ଥାନୀୟ ଗ୍ରାମବାସୀ ପକ୍ଷରୁ ସମୁଦ୍ର ବେଳାଭୂମିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଉଛି ।

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକ ଏକ୍ସିଙ୍ଗ ପଞ୍ଚାୟତର ଡ଼ଙ୍କଲପାଡ଼ୁ ଗାଁ । ଗାଁକୁ ଲାଗି ରହିଛି ବିସ୍ତିର୍ଣ୍ଣ ସମୁଦ୍ର ବେଳାଭୂମି । ଆଉ ଏହି ବେଳାଭୂମିକୁ ଡ଼ଙ୍କଲପାଡ଼ୁ ସମୁଦ୍ର ବେଳାଭୂମି ବୋଲି କୁହାଯାଏ । ବର୍ତ୍ତମାନ ପିକ୍‌ନିକ୍‌ର ସମୟ ରହିଥିବା ଯୋଗୁଁ ଡ଼ଙ୍କଲପାଡ଼ୁ ବେଳଭୂମିରେ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼ । ଗତ ଦୁଇ ମାସ ହେଲା ଶହ ଶହ ପର୍ଯ୍ୟଟକ ମାନେ ଏହି ସମୁଦ୍ର ବେଳାଭୂମିକୁ ଆସି ବଣଭୋଜି କରିଥାନ୍ତି । କାରଣ ଏଠାରେ ଜିଲ୍ଲାର ଅନ୍ୟ ସମୁଦ୍ର ବେଳାଭୂମି ଠାରୁ ଏହା ଶାନ୍ତ ଓ ଢ଼େପୁଆ ବେଳାଭୂମି । ଯାହାଫଳରେ ପର୍ଯ୍ୟଟକ ମାନେ ସମୁଦ୍ର ବେଳାଭୂମିରେ ଅଧିକ ସମୟ ବିନା କୌଣସି ଭୟରେ ବିତାଇବା ସହିତ ସମୁଦ୍ରରେ ଗାଧୋଇଥାନ୍ତି ।

 

ସେହିପରି ସମୁଦ୍ର ବେଳାଭୂମିକୁ ଲାଗି ରହିଛି ଝାଉଁ ବଣ ସାଙ୍ଗକୁ କିଆ ବୁଦା । ସ୍ଥାନୀୟ ବାସିନ୍ଦା ମାନେ ଅଧିକାଂଶ ଚାଷୀ ହୋଇଥିବା ବେଳେ କିଛି ମତ୍ସ୍ୟଜୀବୀ ମଧ୍ୟ ରହିଛନ୍ତି । ତେଣୁ ଗ୍ରାମବାସୀ ମାନେ କିଆ ଚାଷ କରି ନିଜ ରୋଜଗାର ମେଣ୍ଟାଇଥାନ୍ତି । ଆଉ ଏହି କିଆ ଗଛ ଓ ଝାଉଁ ବଣ ପର୍ଯ୍ୟଟକ ମାନଙ୍କୁ ଡ଼ଙ୍କଲପାଡ଼ୁ ବେଳାଭୂମିକୁ ଆସିବା ନିମନ୍ତେ ଆକୃଷ୍ଟ କରିଥାଏ । ଡ଼ଙ୍କଲପାଡ଼ୁ ବେଳାଭୂମିରେ ଏତେ ସବୁ ପରେ ମନୋରମ ପରିବେଶ ଥିବା ପରେ ମଧ୍ୟ ପର୍ଯ୍ୟଟକ ମାନଙ୍କୁ ଆହୁରି ଆକୃଷ୍ଟ କରିବା ନିମନ୍ତେ ଗ୍ରାମବାସୀ ମାନଙ୍କ ପକ୍ଷରୁ ବିଭିନ୍ନ ସମୟରେ ଆୟୋଜିତ କରାଯାଇଥାଏ ସାଂସ୍କୃତିକ କାର୍ଯ୍ୟକ୍ରମ । ଯାହାଫଳରେ ପର୍ଯ୍ୟଟକ ମାନେ ଡ଼ଙ୍କଲପାଡ଼ୁ ବେଳାଭୂମିକୁ ଆସି ବଣଭୋଜି କରି ଖାଇବା, ସମୁଦ୍ରରେ ଗାଧୋଇବା, କିଆ ଓ ଝାଉଁ ବଣର ମଜା ନେବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ବେଶ ଆନନ୍ଦ ଉଠାଇଥିବା କହିଛନ୍ତି ପର୍ଯ୍ୟଟକ ।

ବ୍ରହ୍ମପୁର ସହରରୁ ମାତ୍ର ୨୨ କିଲୋମିଟର ଦୂରରେ ରହିଛି ଡ଼ଙ୍କଲପାଡ଼ୁ ସମୁଦ୍ର ବେଳାଭୂମି । ଏହି ସମୁଦ୍ର ବେଳାଭୂମିକୁ ବୁଲିବା ନିମନ୍ତେ କେବଳ ଗଞ୍ଜାମ ଓ ଜିଲ୍ଲା ବାହାରୁ ଲୋକେ ଆସୁଛନ୍ତି ତାହା ନୁହେଁ ବରଂ ପୋଡ଼ଶୀ ଆନ୍ଦ୍ରରୁ ମଧ୍ୟ ପର୍ଯ୍ୟଟକ ମାନେ ଆସୁଛନ୍ତି । ଆଉ ଏହି ସମୁଦ୍ର ବେଳାଭୂମି ନିକଟକୁ ଯାତାୟତ କରିବା ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା ଉପଲବ୍ଧ ରହିଛି । ସମୁଦ୍ର ନିକଟରେ ଗ୍ରାମବାସୀଙ୍କ ଦ୍ବାରା ପାର୍କିଂ ନିମନ୍ତେ ସ୍ଥାନ ରଖାଯାଇଛି । ସେହିପରି ପର୍ଯ୍ୟଟକ ମାନଙ୍କ ନିମନ୍ତେ ବଣଭୋଜି ନିମନ୍ତେ ରହିବା ସହିତ ରୋଷେଇ କରିବା ନିମନ୍ତେ ପାଣିର ବ୍ୟବସ୍ଥା ମଧ୍ୟ ରହିଛି ।

ସେହିପରି ସମୁଦ୍ର କୂଳ ନିକଟରେ ରହିଥିବା ଶିଶୁ ଉଦ୍ୟାନରେ ଛୋଟ ପିଲା ମାନଙ୍କ ନିମନ୍ତେ ଖେଳିବା ପାଇଁ ସମସ୍ତ ପ୍ରକାରର ସାରଞ୍ଜମା ମଧ୍ୟ ରହିଛି । ଏତେ ସୁନ୍ଦର ବେଳଭୂମି ରହିଥିବା ବେଳେ ପାନୀୟ ଜଳର ସୁବିଧା, ଆଲୋକିକରଣ ଓ ପର୍ଯ୍ୟଟକ ମାନଙ୍କ ନିମନ୍ତେ ରହିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଯଦି ଏଦିଗ ପ୍ରତି ଧ୍ୟାନ ଦିଆଯାଇପାରନ୍ତା ତେବେ ଆହୁରି ପର୍ଯ୍ୟଟକ ମାନଙ୍କ ସଂଖ୍ୟା ବଢ଼ିଥାନ୍ତା ବୋଲି କହିଛନ୍ତି ପର୍ଯ୍ୟଟକ । ସେପଟେ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଏହି ସମୁଦ୍ର ବେଳାଭୂମିର ସଫେଇ କରିଥାନ୍ତି । ନଭେମ୍ବର ମାସରୁ ଫେବୃୟାରୀ ଶେଷ ପର୍ଯ୍ୟନ୍ତ ସମୁଦ୍ର ବେଳଭୂମିରେ ପର୍ଯ୍ୟଟକ ମାନଙ୍କର ଭିଡ଼ ଲାଗିଥାଏ । ଆଉ ପର୍ଯ୍ୟଟକ ମାନେ କିଭଳି ଶାନ୍ତିଶୃଙ୍ଖାଳର ସହିତ ସମୁଦ୍ର ବେଳଭୂମିରେ ମଜା ଉଠାଇବା ସହିତ ବଣଭୋଜି କରିବେ ସେ ନେଇ ସମସ୍ତ ପ୍ରକାରର ଦାୟିତ୍ବ ଗ୍ରାମବାସୀ ହିଁ ନେଇଥାନ୍ତି । ଖୁବଶୀଘ୍ର ଡ଼ଙ୍କଲପାଡ଼ୁ ସମୁଦ୍ର ବେଳାଭୂମିକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

ଡ଼ଙ୍କଲପାଡ଼ୁ ସମୁଦ୍ର ବେଳାଭୂମିକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିନଥିଲେ ସୁଦ୍ଧା ଏଠିକାର ମନୋରମ ପରିବେଶ ପ୍ରତି ଆକୃଷ୍ଟ ହୋଇ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ଦାବିକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ତଥା ପ୍ରଶାସନ ଏନେଇ ପଦକ୍ଷେପ ନେବା ଏବେ ଜରୁରୀ ହୋଇପଡିଛି l

LEAVE A REPLY

Please enter your comment!
Please enter your name here