ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବନି କଂଗ୍ରେସ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସାଂସଦ ସୋନିଆ ଗାନ୍ଧି, ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେମାନେ ଯିବେନି ବୋଲି ଦଳ ପକ୍ଷରୁ କୁହାଯାଇଛି । ଦଳ ଅଭିଯୋଗ କରିଛି, ଅଯୋଧ୍ୟା ରାମ ମନ୍ଦିରକୁ ବିଜେପି ବହୁ ଦିନରୁ ଏକ ରାଜନୈତିକ ପ୍ରସଙ୍ଗ କରିଛି । କେବଳ ନିର୍ବାଚନରେ ଫାଇଦା ଉଠାଇବାକୁ ବିଜେପି ଓ ଆରଏସଏସର ପ୍ରରୋଚରନାରେ ମନ୍ଦିର ନିର୍ମାଣ ଅସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏବେ ପ୍ରାଣ ପ୍ରତିଷ୍ଠା କରାଯାଉଛି ।ତେଣୁ ବିଜେପି ଓ ଆରଏସଏସ ର ଏହି କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ, ଅଧୀର ରଂଜନ ଚୌଧୁରୀ ଯୋଗ ଦେବେ ନାହିଁ ।
ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାର ଅଛି। ବହୁ ଦିନରୁ କଳ୍ପନାଜଳ୍ପନା ଲାଗି ରହିଥିଲା, କଂଗ୍ରେସ ନେତା ଏହି ମହୋତ୍ସବରେ ଯୋଗ ଦେବେକି ନାହିଁ । ରାଜନୈତିକ ସ୍ଥିତିକୁ ଦେଖି କଂଗ୍ରେସ କଣ ନିଷ୍ପତ୍ତି ନେବ, ତା ଉପରେ ସମସ୍ତଙ୍କର ନଜର ଥିଲା। ଏବେ ଦଳ ଆଭିମୁଖ୍ୟ ସ୍ପଷ୍ଟ କରି କହିଛି- ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ କଂଗ୍ରେସର ନେତାମାନେ ଯିବେନି ।୨୦୧୯ରେ ରାମ ମନ୍ଦିରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ କଂଗ୍ରେସ ସମ୍ମାନ ଜଣାଇବା ସହ ନିମନ୍ତ୍ରଣକୁ ଅସ୍ୱୀକାର କରୁଛୁ ବୋଲି କଂଗ୍ରେସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ସେପଟେ ଏନେଇ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି, ବିନାଶ କାଳେ ଏହା କଂଗ୍ରେସର ବୀପରିତ ବୁଦ୍ଧି ବୋଲି କହିଛି ଦଳ ।