ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଫେବ୍ରୁଆରୀ ୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । କାମଚଳା ଅଧିବେଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଷୋଡଶ ବିଧାନସଭାର ଏହା ଶେଷ ଅଧିବେଶନ । ଆଜି ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଧିବଦ୍ଧ ବିଜ୍ଞପ୍ତି ଅନୁସାରେ ଷୋଡଶ ବିଧାନସଭାର ପଞ୍ଚଦଶ ଅଧିବେଶନ ଫେବ୍ରୁୟାରୀ ୫ ତାରିଖରୁ ବସିବ ।
ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣର କାର୍ଯ୍ୟକ୍ରମ ରହିଛି। ୬ ଓ ୭ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ । ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟକୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ଉପସ୍ଥାପନ କରିବେ। ଏହା ମୋସନ ଆକାରରେ ଗୃହରେ ଆଗତ ହୋଇ ଆଲୋଚନା ହେବ । ତା’ ପର ଦିନ ଏହି ବ୍ୟୟ ମଞ୍ଜୁରୀ ବିଲ୍ ( କାମଚଳା ବଜେଟ) ପାରିତ ହେବ । ୧୦ ଓ ୧୧ ତାରିଖ ଶନିବାର ଓ ରବିବାର ପାଇଁ ଛୁଟି ରହିବ । ୧୨ ତାରିଖରେ ଗୃହରେ ସରକାରୀ କାର୍ଯ୍ୟ ଦିବସ ଓ ୧୩ ତାରିଖରେ ଘରୋଇ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ ଦିବସ ରହିଛି। ସାଧାରଣ ନିର୍ବାଚନ ପୂର୍ବରୁ ଏହା ବିଧାନସଭାର ଶେଷ ଅଧିବେଶନ ଓ ଶେଷ ବଜେଟ।