ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ବର୍ଣ୍ଣ ୟୁନିଟ୍ ନଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିଛି ବିଜେପି । ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର କୁହାଯାଉଥିବା ଏମ୍.କେ.ସି.ଜି ମେଡିକାଲରେ ଦୀର୍ଘବର୍ଷ ଧରି ବର୍ଣ୍ଣ ୟୁନିଟ୍ ନଥିବା ଯୋଗୁଁ ରୋଗୀଙ୍କ ଅକାଳରେ ମୃତ୍ୟୁ ହେଉଥିବା ବେଳେ ଅନ୍ୟ କେତେକ ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ହସ୍ପିଟାଲ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି ।
ଏନେଇ ବହୁବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଏହାର କୌଣସି ପ୍ରଭାବ ପଡ଼ିନାହିଁ । ଏନେଇ ଆଜି ଗଞ୍ଜାମ ବିଜେପି ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ଦଳ । ବର୍ଣ୍ଣ ୟୁନିଟ୍ ଖୋଲିବାକୁ ଜନସାଧାରଣ, ସାମାଜିକ ଅନୁଷ୍ଠାନ ଏବଂ ବିଭିନ୍ନ ରାଜନୈତିକ ଦଳ ଦାବି କରିବା ସହ ଧାରଣା ଦେଇଛନ୍ତି । ଗତ କିଛି ବର୍ଷ ତଳେ ଚିକିଟୀ ନିର୍ବାଚନ ମଣ୍ଡଳୀ ସ୍ଥିତ ମେଣ୍ଡରାଜପୁର ଗ୍ରାମରେ ଏକ ବରଯାତ୍ରୀ ବସ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୧୨ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର ଆହତ ହୋଇଥିଲେ ।
ସେହି ସମୟରେ ବିଜେପି ଦଳ ତରଫରୁ ବର୍ଣ୍ଣ ୟୁନିଟ୍ ଦାବି ନେଇ ଧାରଣା ଦେଇଥିଲେ । ପରେ ୨ ମାସ ଭିତରେ ବର୍ଣ୍ଣ ୟୁନିଟ୍ ଖୋଲାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ପରେ ୨୦୨୨ ଫେବୃୟାରୀରେ ଦୀର୍ଘ ୩ ଦିନ ଧରି ମେଡ଼ିକାଲ୍ ସମ୍ମୁଖରେ ଧାରଣା ଦିଆ ଯାଇଥିଲା । ଏହାସହ ନିକଟରେ ୫-ଟି ସଚିବ ଏମ୍କେସିଜି ଗସ୍ତ କରି ବର୍ଣ୍ଣ ୟୁନିଟ୍ ସହ ଏମ୍କେସିଜିର ସବୁ ଉନ୍ନତି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ବାରମ୍ବାର ମିଳିବା ସତ୍ତ୍ୱେ ମଧ୍ୟ ଏଯାବତ କୌଣସି ବର୍ଣ୍ଣ ୟୁନିଟ୍ ଖୋଲା ନଯିବାରୁ ଅସନ୍ତୋଷ ପ୍ରକାଶ କରିଛି ବିଜେପି । ଯଦି ଆସନ୍ତା ମାସ ୮ ତାରିଖ ସୁଦ୍ଧା ଯଦି ବର୍ଣ୍ଣ ୟୁନିଟ୍ ପ୍ରସ୍ତାବ କାର୍ଯ୍ୟକାରୀ ନ ହୁଏ ତେବେ ଏମ୍କେସିଜି ମୁଖ୍ୟ ଫାଟକ ସମ୍ମୁଖରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ଜିଲ୍ଲା ବିଜେପି ଉପସଭାପତି ରାମ କୁମାର ପାତ୍ର ।