ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଭାରତୀୟ କ୍ଷେତ ମଜଦୁର ୟୁନିୟନ ଏବଂ ସିପିଆ ପକ୍ଷରୁ ଘର ଡିହ ନବାଣ୍ଟିବାକୁ ନେଇ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା । ରାଜ୍ୟ ବିକେଏମୟୁର ସଭାପତି ଜେନା ସୁବାସ ଚନ୍ଦ୍ର ରାଓଙ୍କ ନେତୃତ୍ବରେ ଘର ଡିହ, ପକ୍କା ଘର ନଥିବା ଲିଜ୍ ନିମନ୍ତେ ଆବେଦନକାରୀମାନେ ଏକତ୍ରିତ ହୋଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାରେ ବହୁ ଆଦିବାସୀ, ହରିଜନ ଓ ଅନ୍ୟାନ୍ୟ ସଂପ୍ରଦାୟ ତଥା ଜାତିର ଘରହୀନ ଲୋକମାନେ ବସବାସ କରୁଛନ୍ତି । ବିଶେଷ କରି ତିତିଲି ମହାବାତ୍ୟାରେ ଘର ଡିହ ହରାଇଛନ୍ତି ଏବଂ ଯେଉଁମାନେ ଟିଣ ଛପର ଘରେ ବସବାସ କରୁଛନ୍ତି ସେମାନେ ଘର ଡିହ, ପକ୍କା ଘର ସକାଶେ ଗଜପତି ଜିଲ୍ଲାପାଳଙ୍କୁ ହଜାର ହଜାର ଲିଜ୍ ଫର୍ମ ଦେଇ ଆବେଦନ କରିଛନ୍ତି ।
ହେଲେ ଏନେଇ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟ ପ୍ରଶାସନ ତରଫରୁ ନ କରିବା ଯୋଗୁଁ ବାରମ୍ବାର ଆମ୍ଭେ ଦାବି ଓ ବିକ୍ଷୋଭ ପ୍ରଦର୍ଶନ କରିଆସୁଛୁ । ଏଣିକି ଆଉ କୌଣସି ବିକ୍ଷୋଭ ନ କରି ଆଗାମୀ ଦିନରେ ଜାଗା ଗୁଡିକୁ ଦଖଲ କରିବୁ ବୋଲି କୁହାଯାଇଛି । ଏନେଇ ବିକେଏମୟୁର ରାଜ୍ୟ ସଭାପତି ଶ୍ରୀ ରାଓ କହିଛନ୍ତି ଯେ, ଆମ୍ଭେ ଜାଗା ଚିହ୍ନଟ କରି ପ୍ରଶାସନ ନିକଟରେ ଆବେଦନ କରିଛୁ । ମୁଖ୍ୟମନ୍ତ୍ରୀ ଡିହ ପଟ୍ଟା ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଗଜପତିରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି କହିଛନ୍ତି । ଏଥି ନେଇ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନଙ୍କୁ ପ୍ରଦାନ କରାଯାଇଛି । ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ସମସ୍ତ ବିଷୟ ଏମାନଙ୍କ ଠାରୁ ବୁଝି ଏଥି ପ୍ରତି ଗୁରୁତ୍ବ ଦିଆଯିବ ବୋଲି କହିଥିବାର ଦେଖିବାକୁ ମିଳିଥିଲା ।