ସମ୍ବଲପୁର ( ବିପ୍ଲବୀ ପରିକ୍ରମା ):- ୧୧ ଟି ଲୋକସଭା ଆସନ ଓ ୩୫ଟି ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମ ଓଡ଼ିଶାରେ ଶାସକ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ l
ଶନିବାର ମା ସମେଲଇ ମନ୍ଦିର ପ୍ରକଳ୍ପର ଲୋକାର୍ପଣ କରି ରାଜ୍ୟ ସରକାର ନିର୍ବାଚନ ବେଳେ ପଶ୍ଚିମ ଓଡ଼ିଶାର ଭାବାବେଗ ସହ ଯୋଡି ହେବାକୁ ଚେଷ୍ଟା କରିଛନ୍ତି। ଏହି ପ୍ରକଳ୍ପ ନିଜ ବିଜେଡି ଆଡକୁ ଭୋଟ୍ ଆଣିବାରେ ସଫଳ ହେବେ ବୋଲି ଆଶା ରଖିଚି ଦଳ । ଅନ୍ୟପଟେ ବିଜେପିର ଭାତ ହାଣ୍ଡି କୁହାଯାଉଥିବା ଏହି ଅଞ୍ଚଳରେ ପୁଣିଥରେ କିଭଳି ଦଳ ନିର୍ବାଚନରେ ବାଜିମାତ କରିବ ସେ ନେଇ ଜୋରସୋର ପ୍ରସ୍ତୁତି ଚଳାଇଛି ବିଜେପି । ଆଉ ଆଇଆଇଏମ କ୍ୟାମ୍ପସର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଆଣି ଦଳ ବିଜେଡିର ଭୋଟ୍ ବ୍ୟାଙ୍କକୁ ଚୁରମାର କରିବାକୁ ଯୋଜନା କରିଛି ।
୨୦୦୦ ମସିହାରୁ ଓଡ଼ିଶାରେ କ୍ଷମତାରେ ଥିବା ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଓ ଜନକଲ୍ୟାଣୀ କାରୀ ଯୋଜନାକୁ ପାଥେୟ କରୁଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ନବୀକରଣ ପାଇଁ ସମଲେଇ ପ୍ରକଳ୍ପ କାର୍ଯ୍ୟକାରୀ କରି ପଶ୍ଚିମ ଓଡ଼ିଶାର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦଳ ଚେଷ୍ଟା କରୁଛି ।
ନବୀନ ପଟ୍ଟନାୟକ ସରକାର ପଶ୍ଚିମ ଓଡ଼ିଶାର ବିକାଶକୁ ପ୍ରାଥମିକତା ଦେଉଛନ୍ତି । ସମଲେଇ ପ୍ରକଳ୍ପ ଅଧୀନରେ ସମଲେଶ୍ୱରୀ ମନ୍ଦିରର ଯେଉଁଭଳି ରୂପାନ୍ତର ହୋଇଛି ତାହା ବେଶ୍ ପ୍ରଶଂସାଯୋଗ୍ୟ ଓ ଅଭିନବ ବୋଲି ବିଜେଡି ନେତା ଦାବି କରୁଛନ୍ତି ।
ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ବିଜେପି ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ଟି ଆସନ ଜି ତିଥିବା ବେଳେ ସାରା ଓଡିଶାରୁ ୨୧ଟି ଆସନରୁ ମୋଟ୍ ୮ଟିରେ ବିଜୟୀ ହୋଇଥିଲା। ଏବେ ସମାନ ସଫଳତାର ପୁନରାବୃତ୍ତି କରିବାକୁ ଆଶା ରଖିଛି ଦଳ । ଆସନ୍ତା ୩ ତାରିଖରେ ସମ୍ବଲପୁରରେ ଜନସମାବେଶକୁ ସମ୍ବୋଧିତ କରିବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ଦଳ ପ୍ରସ୍ତୁତି ଚଳାଇଛି। ପ୍ରଧାନମନ୍ତ୍ରୀ ଓଡ଼ିଶା ବିଷୟରେ ତାଙ୍କର ଦୂରଦୃଷ୍ଟି ଓ ସ୍ୱପ୍ନ ବାଣ୍ଟିବା ସହ କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ ଆଲୋକପାତ କରିବେ ବୋଲି ଆଶା କରାଯାଉଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ସମ୍ବୋଧିତ ହେବାକୁ ଥିବା ଜନସଭାରେ ଲକ୍ଷ ଲକ୍ଷ ଲୋକ ଏକାଠି ହେବେ । ବୈଠକକୁ ସୁରୁଖୁରୁରେ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି l
ଅନ୍ୟପଟେ,ଏକଦା ଓଡ଼ିଶା ରାଜନୀତିରେ ଏକ ପ୍ରଭାବଶାଳୀ ଶକ୍ତି ଥିବା କଂଗ୍ରେସ ନିଜର ସଂଗଠନକୁ ସୁଦୃଢ଼ କରିବା ସହ ଲୋକଙ୍କୁ ଏକାଠି କରି ରାଜ୍ୟରେ ନିଜର ଭାଗ୍ୟ କୁ ପୁନରୁଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛି । ଆସନ୍ତା ୧୪ ତାରିଖରେ ପଶ୍ଚିମ ଓଡ଼ିଶାରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆୟୋଜନ କରିବାକୁ ଦଳ ଯୋଜନା କରିଛି, ଯାହାର ନେତୃତ୍ୱ ନେବେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଝାରସୁଗୁଡାରେ ରାହୁଲଙ୍କ ନ୍ୟାୟ ଯାତ୍ରା ର ଯୋଜନା ରହିଥିବା ଜଣ ପଡିଛି । ଏକଦା ଏହି ଜିଲ୍ଲାରେ କଂଗ୍ରେସ ପ୍ରଭାବଶାଳୀ ଥିଲା। ଆଉ ଥରେ କଂଗ୍ରେସ ପଶ୍ଚିମ ଓଡିଶାରେ ମଜବୁତ ହେବ ବୋଲି ଆଶା କରୁଛି । ଏହି ଯାତ୍ରାରେ କୃଷକ, ଯୁବକ, ମହିଳା ଓ ଆଦିବାସୀଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେବ କଂଗ୍ରେସ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ମଧ୍ୟ ଦଳ ପଦାରେ ପକାଇ ପାରେ ।
ବିଜେପି ଓ ବିଜେଡି ଧାର୍ମିକ ଧାର୍ମିକ ଭୋଟ୍ ବ୍ୟାଙ୍କ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି। ଓଡ଼ିଶାବାସୀ ସେମାନଙ୍କୁ ଆଦୌ ଗ୍ରହଣ କରିବେ ନାହିଁ ବୋଲି କଂଗ୍ରେସ କହୁଛି ।
ରାଜନୈତିକ ସମିକ୍ଷକଙ୍କ ମତରେ ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନ ଏକ ଜବରଦସ୍ତ ମୁକାବିଲା ହେବ ଏବଂ ଫଳାଫଳ ନିର୍ଦ୍ଧାରଣରେ ପଶ୍ଚିମ ଓଡ଼ିଶାଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବଲପୁର ଗସ୍ତ ଏହି ଅଞ୍ଚଳର ଭୋଟରଙ୍କୁ ପ୍ରଭାବିତ କରିପାରେ ବୋଲି ସେମାନେ ବିଶ୍ୱାସ କରୁଥିବା ବେଳେ ବିଜେଡି ସମଲେଇ ପ୍ରକଳ୍ପର ଉଦଘାଟନ କରି ବିଜେପିର ରଣନୀତିକୁ ପ୍ରତିହତ କରିବାକୁ ଚେଷ୍ଟା କରିବ। ଓଡ଼ିଶା ସରକାର ଓ ଶାସକ ଦଳ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଭିମୁଖ୍ୟ ଜାଣିବାକୁ ସମଗ୍ର ଓଡ଼ିଶାବାସୀ ଆଗ୍ରହୀ ରହିବେ। ଏହା ଓଡ଼ିଶାରେ ମତଦାନ ଢାଞ୍ଚାକୁ ପ୍ରଭାବିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରେ , ତେବେ ମୋଦିଙ୍କ ଭାଷଣ ଉପର ରହିଛି ସମସ୍ତଙ୍କ ନଜର l