ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଭୋଟର ଙ୍କ ନିକଟବର୍ତ୍ତୀ ହେବା ପାଇଁ ବିଭିନ୍ନ ରଣ କୌଶଳ ଆପଣେଇବାରେ ଲାଗିପଡିଛନ୍ତି ବିଜେଡ଼ି, ବିଜେପି ଓ କଂଗ୍ରେସ । ଏପଟେ ବିଜେଡ଼ି ପକ୍ଷରୁ “ଘରେ ଘରେ ଶଙ୍ଖ ପରିବାର ସମ୍ପର୍କ ଅଭିଯାନ” ଆରମ୍ଭ କରାଯାଇ ସମସ୍ତ ବ୍ଲକ ରେ ନିଜର ପ୍ରୟାସ ଜାରି ରଖିଥିବାବେଳେ କଂଗ୍ରେସ ମଧ୍ୟ ତାର ଜାଲ ବୁଣିବାରେ ଆରମ୍ଭ କରିଛି । ଆଉ ଏବେ ଭାରତୀୟ ଜନତା ପାର୍ଟି ରାଜ୍ୟର ସମସ୍ତ ଜିଲ୍ଲାରେ ନେତା ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ଆରମ୍ଭ କରିବାକୁ ଯାଉଛି “ବୁଥ୍ ଚାଲ୍ ଅଭିଯାନ” । ଆଉ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବୁଥ୍ ଚାଲ ଅଭିଯାନ ର ଏକ କର୍ମଶାଳା ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ସଭାପତିତ୍ବରେ ବିଶିଷ୍ଟ ପଦାଧିକାରୀଙ୍କ ସହ ଉତ୍କଳ ଆଶ୍ରମ ରୋଡ଼ ସ୍ଥିତ ଗଞ୍ଜାମ କଳା ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟତଃ ନିର୍ବାଚନ ପୂର୍ବରୁ ବୁଥ୍ ଚାଲ ଅଭିଯାନ ମାଧ୍ୟମରେ ଲାଭାର୍ଥି ସମ୍ପର୍କ ସହ ମୋଦିଙ୍କ ଗ୍ୟାରେଣ୍ଟିକୁ ଘରେ ଘରେ ପହଞ୍ଚାଇବା ପାଇଁ ପ୍ରତ୍ୟେକ ଵୁଥ୍ ରେ ରାଜନୈତିକ ଆସ୍ଥା ଭାଜନ ସହ ଡ଼ବଲ୍ ଇଞ୍ଜିନର ସରକାର ଆଣିବାରେ ପ୍ରତ୍ୟେକ ବୁଥ୍ ର କାର୍ଯ୍ୟକର୍ତ୍ତା ଧର୍ମପଦ ଭଳି ବୁଥ୍ ଜିତାଇ ମୋଦିଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ପୂର୍ବତନ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଆହ୍ୱାନ ଦେଇଥିଲେ । ଏହାସହ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭାରେ କିପରି ବିଜୟୀ ହେବ ସେଥିପାଇଁ କାର୍ଯ୍ୟକର୍ତ୍ତା ମାନେ ବୁଥ୍ ସ୍ତରରେ ପ୍ରୟାସ ସହ ଯୋଜନା କରିବା ପାଇଁ ବିଧାନସଭା ନେତା କାହ୍ନୁ ପତି ଗୁରୁମନ୍ତ୍ର ଦେଇଥିଲେ ।